ଛତ୍ରପୁର/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ୭୨ ଘଣ୍ଟା ଧରି ବର୍ଷାରେ ସ୍ଥିତି ବେହାଲ୍ ହୋଇଛି। ବ୍ରହ୍ମପୁର ସହର ସମେତ ୨୨ଟି ବ୍ଲକରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ। ଋଷିକୁଲ୍ୟା, ବଡ଼ନଦୀ ସମେତ ବିଭିନ୍ନ ପ୍ରମୁଖ ନଦୀ ଜଳପତ୍ତନ ବିପଦ ସଂକେତ ନିକଟବର୍ତୀ ହୋଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଲାଗି ରହିଥିବାରୁ ରାତି ଭିତରେ ନଦୀ ଜଳସ୍ତର ବିପଦ ସଙ୍କେତ ଟପିଯିବା ଆଶଙ୍କା କରାଯାଉଛି। ସେହିପରି ବହୁ ଚାଷ ଜମି ଜଳମଗ୍ନ ହୋଇଛି। ଗଞ୍ଜାମ ଜିଲ୍ଲାରେ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ୪୩.୯୩ ମିମି ହାରରେ ମୋଟ ୯୬୬.୫ ମିମି ବର୍ଷା ରେକର୍ଡ଼ କରାଯାଇଛି। ଚିକିଟି ବ୍ଲକରେ ସର୍ବାଧିକ ୮୭.୨ ମିମି ବର୍ଷା ହୋଇଥିବା ବେଳେ ସୋରଡ଼ା ବ୍ଲକରେ ସର୍ବନିମ୍ନ ୧୧.୪ ମିମି ବର୍ଷା ହୋଇଛି।
ଅନ୍ୟପକ୍ଷରେ ଗଂଜାମ ଜିଲ୍ଲାର ବିଭିନ୍ନ ପ୍ରମୁଖ ନଦୀରେ ଜଳସ୍ତର ଧୀରେ ଧୀରେ ବଢିବାକୁ ଲାଗି ଥିବା ସହ ବିପଦ ସଂକେତ ନିକଟତର ହୋଇଛି। ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀର ଜଳସ୍ତର ୧୬.୮୪ ବିପଦ ସଙ୍କେତ ଥିବା ବେଳେ ବର୍ତମାନ ୧୨.୩୯ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ସୋରଡ଼ାରେ ଋଷିକୂଲ୍ୟା ନଦୀ ବିପଦ ସଙ୍କେତ ଠାରୁ ପ୍ରାୟ ୨ ମିଟର ତଳେ ପ୍ରବାହିତ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଏଠାରେ ଋଷିକୂଲ୍ୟା ନଦୀର ବିପଦ ସଙ୍କେତ ୮୧.୯୯ ମିଟର ରହିଥିବା ବେଳେ ୭୯.୬୭ ମିଟରରେ ପାଣି ପ୍ରବାହିତ ହେଉଛି। ଜାନିବାଲିରେ ୫୩.୧୧ ମିଟର ବିପଦ ସଙ୍କେତ ଥିବା ବେଳେ ୫୧.୯୩ ମିଟର, ଆସିକାରେ ଋଷିକୂଲ୍ୟା ୩୪.୭୫ ମିଟର ବିପଦ ସଙ୍କେତ ଥିବା ବେଳେ ୩୨.୨୬ ମିଟର ଏବଂ ହୀରାଧରବାଟିରେ ୨୩.୧୬ ବିପଦ ସଙ୍କେତ ଥିବାବେଳେ ୨୦.୩୯ ମିଟରରେ ପାଣି ପ୍ରବାହିତ ହେଉଛି।
ସେହିପରି ବଡ଼ନଦୀ ମାଧବରିଡ଼ାରେ ବିପଦ ସଙ୍କେତ ୬୦.୬୫ ମିଟର ରହିଥିବା ବେଳେ ୫୭.୦୬ ମିଟର, ଆସିକା ବଡ଼ନଦୀ ୩୫.୪୨ ମିଟର ବିପଦ ସଙ୍କେତ ଥିବାବେଳେ ୩୨.୩୦ ମିଟର, ନୂଆଗାଁ ବ୍ରିଜ୍ ୭୦.୯୩ ମିଟର ବିପଦ ସଙ୍କେତ ରହିଥିବା ବେଳେ ୬୮.୧୩ ମିଟର, ଗ୍ୟାଲେରୀ ଆନିକଟ୍ ୧୦୨.୧୧ ମିଟର ବିପଦ ସଙ୍କେତ ଥିବା ବେଳେ ୧୦୦.୪୩ ମିଟର, ବାଘୁଆ କବିସୂର୍ଯ୍ୟନଗର ରୋଡ୍ ବ୍ରିଜ୍ ୩୪.୦୬ ମିଟର ବିପଦ ସଙ୍କେତ ଥିବା ବେଳେ ୩୦.୪୦ ମିଟର ପାଣି ପ୍ରବାହିତ ହେଉଛି। ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ସମୁଦ୍ର କୂଳ ଖାଉଥିବା ଦେଖିବାକୁ ମିଳିଛି।
ଫୁଲୁଛି ବଂଶଧାରା
କାଶୀନଗର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଥିଲା। ଆଜି ରାତି ୮ଟା ସୁଦ୍ଧା ଏହା ବିପଦ ସଙ୍କେତର ଖୁବ୍ ନିକଟରେ ଥିବା ଜଣାପଡ଼ିଛି। କାଶୀନଗର ଠାରେ ବଂଶଧାରାର ସତର୍କ ସଙ୍କେତ ୫୩.୬ ମିଟର ଓ ବିପଦ ସଙ୍କେତ ୫୪.୬ ମିଟର ରହିଥିବା ସ୍ଥଳେ ରାତି ୮ଟା ସୁଦ୍ଧା ୫୪.୫୬ ମିଟର ଉଚ୍ଚରେ ସ୍ଥିର ରହିଛି। ଆଜି ସକାଳ ୯ଟା ସୁଦ୍ଧା ଏହା ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଥିଲା। ଦଶଟାରେ ସତର୍କ ସଙ୍କେତ ଟପି ୫୪ ମିଟରରେ ପହଞ୍ଚିବା ପରେ ମଧ୍ୟାହ୍ନ ବାରଟା ସୁଦ୍ଧା ଏହା ୫୪.୨୫ ମିଟର ଉଚ୍ଚରେ ରହିଥିଲା। ସେହି ସମୟରୁ ଘଣ୍ଟା ପ୍ରତି ମାତ୍ର ୦.୦୫ ମିଟର ଲେଖାଏଁ ବୃଦ୍ଧି ପାଇ ଅପରାହ୍ନ ୫ଟା ସୁଦ୍ଧା ୫୪.୫ ମିଟର ଉଚ୍ଚରେ ପ୍ରବାହିତ ହେଉଥିଲା। ଆଜି ପୂର୍ବାହ୍ନ ସାଢ଼େ ଆଠରୁ ଅପରାହ୍ନ ସାଢ଼େ ପାଞ୍ଚ ସୁଦ୍ଧା ବଂଶଧାରା ଉପର ମୁଣ୍ଡରେ ରହିଥିବା ମୋହନାରେ ସର୍ବାଧିକ ୪୬.୮ ମିମି ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ କୁଟ୍ରାଗଡ଼ରେ ୧୫.୬ମିମି, ଗୁଡ଼ାରୀରେ ୨୦.୪ମିମି, ମହେନ୍ଦ୍ରଗଡରେ ୧୫ମିମି, ଗୁଣପୁରରେ ୧୬ ମିମି ଓ କାଶୀନଗରରେ ୧୯.୪ ମିମି ବୃଷ୍ଟିପାତ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ତେବେ, ବଂଶଧାରା ଉପର ମୁଣ୍ଡରେ ବର୍ଷାର ପ୍ରକୋପ କମି ଯାଇଥିବା ଯୋଗୁଁ କାଶୀନଗର ପ୍ରତି କୌଣସି ବିପତ୍ତି ନଥିବା ପ୍ରକାଶ।