କାଳିଆପାଣି: ୩ ଦିନ ଧରି ଲଗାଣ ବର୍ଷା ପାଇଁ ଗତକାଲି ସଂଧ୍ୟାରୁ ଖଣିଅଞ୍ଚଳର ଡମଶାଳ ନାଳରେ ବଢ଼ି ଆସିଛି। ଯାଜପୁର-ଢେଙ୍କାନାଳ ଜିଲ୍ଲା ସୀମାନ୍ତରେ ଥିବା ଡମଶାଳ ସେତୁ ଉପରେ ୩ ରୁ ୪ ଫୁଟ୍ ଉଚ୍ଚତାରେ ପାଣିସୁଅ ପ୍ରବାହିତ ହେଉଛି। ଡମଶାଳ ଓ କଲରଙ୍ଗି ଉପର ମୁଣ୍ଡରେ ଥିବା ବହୁ ନାଳ ଓ ଝରଣାରୁ ବଢ଼ି ପାଣି ନାଳକୁ ପ୍ରବେଶ କରୁଥିବାରୁ ସେତୁ ଉପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୨ ଜିଲ୍ଲା ମଧ୍ୟରେ ଥିବା କଲରଙ୍ଗି-କାଠପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।
ଉଭୟ ପାର୍ଶ୍ବରେ ଯାତ୍ରୀବାହୀ ବସ୍, ଟ୍ରକ୍, ଯାନବାହନ ଅଟକି ରହିଛି। ସେହିପରି ଅବସ୍ଥା କାଠପାଳ ପାଖ କୋଚିଲାବାଙ୍କରେ ମଧ୍ୟ ଦେଖିବାକୁ ମିଳିଛି। ଅପରପାର୍ଶ୍ବରେ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା କାଠପାଳ ବଜାର ଓ ବେଦାନ୍ତ-ଫେକର କଲୋନିରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଜରୁରି କାର୍ଯ୍ୟରେ କାଠପାଳ ବଜାର କିମ୍ବା ଆଖପାଖ ଗାଁଗଣ୍ଡା ଯିବାକୁ ହେଲେ ୨୦ କିଲୋମିଟର ବୁଲି ଯିବାକୁ ପଡ଼ୁଛି।