ଫୁଲବାଣୀ/ତୁମୁଡ଼ିବନ୍ଧ/ଦାରିଙ୍ଗବାଡ଼ି/ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଗତ ଦୁଇ ଦିନ ଧରି ଅନବରତ ଭାବେ ବର୍ଷା ଲାଗି ରହିବା ଫଳରେ ସମସ୍ତ ନଦୀନାଳର ଜଳପତ୍ତନ ବୃଦ୍ଧି ପାଇଛି। ସାଲୁଙ୍କୀ, ଖଡ଼୍ଗ, କାଳିପେନୁ, ବାଘ, ରାହୁଳ ଆଦି ନଦୀରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ତଳମୁଣ୍ଡରେ ପରିସ୍ଥିତି ସଂକଟାପନ୍ନ ହୋଇଛି। ଫିରିଙ୍ଗିଆ ବ୍ଲକର କ୍ରାଣ୍ଡିବାଲି ପ୍ରାଥମିକ ବିଦ୍ୟାଳୟ ଘର ଉପରେ ବରଗଛ ଉପୁଡି ପଡ଼ିବା ଫଳରେ ସ୍କୁଲ ଘର ଭାଙ୍ଗି ଯାଇଛି। ଆଜି ସକାଳ ପ୍ରାୟ ୬ଟା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଏକ ବଡ଼ ବିପଦରୁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ,ଶିକ୍ଷୟିତ୍ରୀ ରକ୍ଷା ପାଇ ଯାଇଛନ୍ତି। ତୁମୁଡ଼ିବନ୍ଧ ବ୍ଲକରେ ୧୦ରୁ ଅଧିକ ଝାଟିମାଟି ଘର ଭାଙ୍ଗି ଯାଇଛି। କୁର୍ତ୍ତମଗଡ଼.-ଡାଙ୍ଗେସିଗୁଡା ପୋଲ ଦୁଇ ଦିନ ହେଲା ଧୋଇଯିବାରୁ ୧୦ ଗାଁ ଏବେ ବି ବିଚ୍ଛିନ୍ନ ହୋଇ ରହିଛି। ଏହାସହ କୁର୍ତ୍ତମଗଡ- ସିର୍ଲା, କୁର୍ତ୍ତମଗଡ଼ -ପାରିଗଡ, ସୁନାଗାଁରୁ କୁଟିପଡ଼ା ରାସ୍ତା ଧୋଇଯାଇଛି। ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ୫-ଟି ସରକାରୀ ଉଚ୍ଚବିଦ୍ୟାଳୟ ଓ ବୁଡାଗୁଡ଼ା ପଞ୍ଚାୟତ କଡ଼ଗାବାଲି ପ୍ରାଥମିକ ବିଦ୍ୟାଳୟର ପାଚେରି ମଧ୍ୟ ନିର୍ମାଣର ଏକ ବର୍ଷ ନପୂରୁଣୁ ଧସିପଡ଼ିଛି।
ଫିରିଙ୍ଗିଆ ବ୍ଲକ୍ର ସାଡ଼ିଙ୍ଗିଆ ନିକଟରେ କ୍ଷୁଦ୍ର ଜଳସେଚନ ବିଭାଗର ଏକ ଚେକ୍ ଡ୍ୟାମ୍ ଭୁଶୁଡ଼ି ପଡ଼ିବା ଫଳରେ ଶତାଧିକ ଏକର ଜମିରେ ଜଳମଗ୍ନ ହୋଇପଡ଼ିଛି। ବ୍ଲକର ସଲାଗୁଡ଼ା ନିକଟରେ ଏକ ପାହାଡ଼ିଆ ନଦୀରେ ପ୍ରବଳ ଜଳପ୍ରବାହ ଚାଲିଥିବାରୁ ସଲାଗୁଡ଼ାକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ବାଲନ୍ଦାପଡ଼ାଠାରେ ଦୁର୍ଗାମୁଣ୍ଡା ନାଳ ପୋଲ ଉପରେ ୮ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କୋଏରମାଣ୍ଡୁ ଓ ପାହିରାଜୁ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ସେହିଭଳି ବାଘଡଙ୍ଗରୀ ନାଳରେ ବନ୍ୟାଜଳ ପଶିବାରୁ ତାଳପଙ୍ଗା, ବଟାବାହାଲି, ଲମ୍ବାଖେତା, କେନ୍ଦୁଗୁଡ଼ା ଭଳି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ବାଘନଦୀରେ ବନ୍ୟା ଆସିବାରୁ କ୍ରାଣ୍ଡିବାଲି ପଞ୍ଚାୟତ ପ୍ରଭାବିତ ହୋଇଛି। ସଲାଗୁଡ଼ା ପଞ୍ଚାୟତର ଅନେକ ଗ୍ରାମ ସହିତ ଡିଣ୍ଡିରାଗାଁ ପଞ୍ଚାୟତର ଟେଲାପାଲି ଓ ଗଞ୍ଜୁଖୋଲ ଗାଁ ପାଣିଘେରରେ ରହିଛି। ଲୁଇସିଂ ନାଳରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଅନେକ ଘର ବୁଡ଼ି ଯାଇଛି।
ଲଗାଣ ବର୍ଷାରେ ଫୁଲବାଣୀ ମୁଖ୍ୟ ବଜାରରେ ଜଳ ନିଷ୍କାସନ ହୋଇନପାରି ପାଞ୍ଚ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ଫଳରେ ନର୍ଦ୍ଦମାର ପାଣି କେତେକ ଦୋକାନ ମଧ୍ୟକୁ ପଶି ଯାଇଥିଲା। ଫୁଲବାଣୀ ସହରର ଆଉ କେତେକ ସ୍ଥାନରେ ଲୋକେ ପମ୍ପ ଲଗାଇ ପାଣି ନିଷ୍କାସନ କରିବାର ଦେଖିବାକୁ ମିଳିଥିଲା। ନଦୀଖଣ୍ଡିସାହି ପଛପଟ ଦେଇ ବହୁଥିବା ସାଲୁଙ୍କୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ ଅପରପାର୍ଶ୍ବରେ ଫୁଲବାଣୀ ପୌରପାଳିକାର ଡାମିଗାଁ ଏବଂ ଡାକପାଲା ଭଳି ଅଞ୍ଚଳ ସହରଠାରୁ ବିଚ୍ଛିନ୍ନ ହୋଇପଡ଼ିଛି। ଫୁଲବାଣୀ ମୁଖ୍ୟ ବଜାର ଉପରେ ଦୁଇଫୁଟ ଉଚ୍ଚର ବର୍ଷା ଜଳ ଚାଲିବା ସହ ନର୍ଦ୍ଦମା ପାଣିରେ ସହର ଉବୁଟୁବୁ ହୋଇ ପଡ଼ିଛି। ଫୁଲବାଣୀ ସହରର ଡ୍ରେନ୍ଗୁଡ଼ିକ ଜାମ୍ ହୋଇ ପଡ଼ିଥିବାରୁ ସହରର ଜଳ ନିଷ୍କାସନ ହୋଇ ପାରି ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଅପରପକ୍ଷେ, ପ୍ରବଳ ବର୍ଷା ଯୋଗୁଁ ଫୁଲବାଣୀ ସହରର ଅନେକ ସ୍କୁଲ, କଲେଜରେ ପାଣି ପଶିଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଳମ୍ବରେ ସ୍କୁଲ ଛୁଟି ଘୋଷଣା ହେବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।
ବାଲିଗୁଡ଼ା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଅନେକ ଘର ଭୁଶୁଡ଼ି ପଡ଼ିଛି। ଫୁଲବାଣୀ ସହରର କେନ୍ଦୁପଦର, ନଦୀଖଣ୍ଡିସାହି, ମାଷ୍ଟରପଡ଼ା ଓ ପ୍ରକୃତିବିହାରରେ ଅନେକ ଘରେ ପାଣି ପଶିଯାଇଛି। ତୁମୁଡ଼ିବନ୍ଧ ବ୍ଲକର ରାହୁଳ ଓ ଚାଉଳଧୁଆ ସମେତ ଛୋଟବଡ଼ ନଦୀନାଳରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବେଲଘର, ଗୁମା, ଝିରିପାଣି, ବିଲାମାଳ, ଲଙ୍କାଗଡ, ସୀର୍ଲା, ଭଣ୍ଡରଙ୍ଗି, କୁର୍ତ୍ତମଗଡ ଓ ତୁମୁଡ଼ିବନ୍ଧ ପଞ୍ଚାୟତରେ ବସବାସ କରୁଥିବା ବହୁ ଗରିବ ଲୋକଙ୍କ ମାଟିଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।