କୋଇଡ଼ା: ବିଦ୍ୟାଳୟ ରୂପାନ୍ତୀକରଣ ନାମରେ ସାରା ରାଜ୍ୟରେ ଶହଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ମାସ କେଇଟି ନଯାଉଣୁ ବିଭିନ୍ନ ବିଦ୍ୟାଳୟରେ ଏହି ରୂପାନ୍ତରୀକରଣର ଅସଲ ଚିତ୍ର ପଦାରେ ପଡ଼ିଯାଇଛି। ସେହିଭଳି ଏକ ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାର ଖଣିଭରା କୋଇଡ଼ା ବ୍ଲକ୍‌ରେ। ଏହି ବ୍ଲକ୍‌ର କାଲଟା ପଞ୍ଚାୟତ ଅନ୍ତର୍ଗତ ତୋଡ଼ାଠାରେ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ରହିଛି ତୋଡ଼ା ସେବାଶ୍ରମ। ଅସରାଏ ବର୍ଷାରେ ଏହି ବିଦ୍ୟାଳୟର ସବୁ ଶ୍ରେଣୀ କୋଠରିରେ ଭରିଯାଇଛି ବନ୍ୟାଜଳ। ଶ୍ରେଣୀ ଭିତରେ ଆଣ୍ଠୁଏ ପାଣିରେ ନୂଆକରି କିଣା ଯାଇଥିବା ବେଞ୍ଚ୍ ଡେସ୍କରେ ବସି ନିଜ ଭବିଷ୍ୟତ ଅଣ୍ଡାଳୁଛନ୍ତି କୁନିକୁନି ପିଲା। ସମ୍ମନ୍ବିତ ଆଦିବାସୀ ବିକାଶ ସଂସ୍ଥା (ଆଇଟିଡିଏ) ଦ୍ବାରା ନିକଟରେ ଏହି ସେବାଶ୍ରମ ବିଦ୍ୟାଳୟର ରୂପାନ୍ତରୀକରଣ କାମ ଶେଷ ହୋଇଛି।

Advertisment

ହେଲେ ଠିକାସଂସ୍ଥା କି ବିଭାଗୀୟ ଫଳକ କିଛି ନାହିଁ। କେବଳ ଧଳାରଙ୍ଗ ମାରି ଛାଡ଼ିଦେଇଛନ୍ତି। ସେବାଶ୍ରମର ଚତୁଃପାର୍ଶ୍ୱରେ ବଡ଼ ପାଚେରି ମଧ୍ୟ କରାଯାଇଛି। କିନ୍ତୁ ବିଦ୍ୟାଳୟ କୋଠାର ଚଟାଣର ସ୍ତର ଖୁବ୍ ତଳେ ଥିବାରୁ ସାମାନ୍ୟ ବର୍ଷାରେ ପାଣି ପଶିଛି। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟର ଅବସ୍ଥା ଏପରି ଯେ ବର୍ଷା ଦିନେ ଭିତରକୁ ପଶିବା ବି କଷ୍ଟକର। ଶିକ୍ଷକ ଓ ପିଲାମାନେ ନିଜେ ବିଦ୍ୟାଳୟରୁ ପାଣି ବାହାର କରୁଛନ୍ତି। ସେମାନଙ୍କ ପୋଷାକପତ୍ର, ବହିବସ୍ତାନି ସବୁ ଭିଜିଯାଉଛି। ଏ ସଂପର୍କରେ କୋଇଡା ସଂପ୍ରସାରଣ ଅଧିକାରୀ ଦାୟିତ୍ୱରେ ଥିବା ବଣାଇ ଅତିରିକ୍ତ ଜିଲ୍ଲା ସମ୍ପ୍ରସାରଣ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ତୋଡା ସେବାଶ୍ରମ ଅବସ୍ଥା ବିଷୟରେ ମୋ ପାଖରେ ସୂଚନା ନାହିଁ। ପ୍ରଧାନଶିକ୍ଷକଙ୍କ ଠାରୁ ବୁଝି ସେଠାକୁ ଯିବି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି।