ଜଳେଶ୍ୱର: ଝାଡ଼ଖଣ୍ଡରେ ଥିବା ଚାନ୍ଦିଲି ଡ୍ୟାମ୍‌ରେ ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା ଆସିଲା। ଫଳରେ ବାଲେଶ୍ବର ଜିଲ୍ଲାର ୫୬ଟି ପଞ୍ଚାୟତର ୨୬୪ଟି ଗାଁ ପାଣିରେ ବୁଡ଼ିଲା। ଦଶନ୍ଧି ଦଶନ୍ଧି ଧରି ଏପରି ମନୁଷ୍ୟକୃତ ବନ୍ୟା ଯୋଗୁଁ ସୁବର୍ଣ୍ଣରେଖା ନଦୀ କୂଳିଆଙ୍କ ଜୀବନଜୀବିକା ଉଜୁଡ଼ି ଯାଉଛି। ଏହାର ମୁକାବିଲା ପାଇଁ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟ ସରକାର ସମେତ କେନ୍ଦ୍ର ଜଳ ଆୟୋଗ ପଦକ୍ଷେପ ନେବାର ସମୟ ଆସିଛି ବୋଲି ମତପ୍ରକାଶ ପାଇଛି।

Advertisment

ଝାଡ଼ଖଣ୍ଡର ଛୋଟନାଗପୁର ମାଳଭୂମିରୁ ସୁବର୍ଣ୍ଣରେଖା ନଦୀ ବାହାରି ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ୩୯୫ କିମି ପ୍ରବାହିତ ହୋଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ନାରାୟଣମହାନ୍ତି ପଡ଼ିଆ ଓ ଅପରପାର୍ଶ୍ବରେ ଥିବା ବାଲିଆପାଳ ବ୍ଲକ ଚୌମୁଖ ନିକଟରେ ବଙ୍ଗୋପସାଗରରେ ମିଶିଛି। ଏକଦା ସୁବର୍ଣ୍ଣରେଖା ବାଲେଶ୍ବର ଜିଲ୍ଲା ଜଳେଶ୍ବର, ଭୋଗରାଇ, ବାଲିଆପାଳ ଓ ବସ୍ତା ଅଞ୍ଚଳବାସୀଙ୍କ ପାଇଁ ଜୀବନରେଖା ପାଲଟିଥିବା ବେଳେ ଏବେ ଦୁଃଖ ପାଲଟିଛି। ପ୍ରତିବର୍ଷ ସୁବର୍ଣ୍ଣରେଖାରେ ବନ୍ୟା ଆସି ଉପରୋକ୍ତ ୪ଟି ବ୍ଲକ୍‌ ୫୬ଟି ପଞ୍ଚାୟତ ଅଧୀନରେ ଥିବା ୨୬୪ଟି ଗାଁ ଓ ଜଳେଶ୍ବର ପୌରାଞ୍ଚଳର ୧୭ଟି ୱାର୍ଡ ପ୍ରଭାବିତ ହେଉଛି। 

ଚାନ୍ଦିଲି ଡ୍ୟାମ୍‌ର ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା ମୁଖ୍ୟ କାରଣ
ନିରବଦ୍ରଷ୍ଟା ସାଜିଛନ୍ତି କେନ୍ଦ୍ର ଜଳ ଆୟୋଗ

ଚଳିତ ମାସରେ ସୁବର୍ଣ୍ଣରେଖାରେ ବନ୍ୟା ପାଇଁ ଓଡ଼ିଶା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଝାଡ଼ଖଣ୍ଡକୁ ଦାୟୀ କରିଛନ୍ତି। ଚାନ୍ଦିଲି ଡ୍ୟାମର ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା ପାଇଁ ସୁବର୍ଣ୍ଣରେଖାରେ ବନ୍ୟା ଆସିଲା ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସକାଶେ ୧୯୭୮ ଅଗଷ୍ଟ ୭ରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସରକାରଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା। ସେହି ଚୁକ୍ତି ଅନୁଯାୟୀ ଚାନ୍ଦିଲି ଡ୍ୟାମ୍‌କୁ ବିକଶିତ କରାଯାଇଥିଲା। ମୋଟ ୬୫ ବର୍ଗ କିମି ଅଞ୍ଚଳକୁ ନେଇ ଅବସ୍ଥିତ ଚାନ୍ଦିଲି ଡ୍ୟାମ୍‌ର ଉଚ୍ଚତା ୧୯୨ ମିଟର ରହିବା କଥା। କିନ୍ତୁ ବିସ୍ଥାପନ ସମସ୍ୟା ଯୋଗୁଁ ଚାନ୍ଦିଲି ଡ୍ୟାମର ଜଳପତ୍ତନ ୧୮୧.୫୦ ମିଟର ମଧ୍ୟରେ ରଖାଯାଉଛି। କାରଣ ଜଳଭଣ୍ଡାର ନିକଟରେ ୯୫ ପ୍ରତିଶତ ଲୋକଙ୍କୁ 

ବିସ୍ଥାପିତ କରାଯାଇଥିବା ବେଳେ ଆହୁରି ୫ ପ୍ରତିଶତ ବାକି ରହିଛନ୍ତି। ଏବେ ବି ଜଳଭଣ୍ଡାରର ଅତିନିକଟରେ ୧୨ଟି ଗାଁ ରହିଛି। ଝାଡ଼ଖଣ୍ଡ ଅବବାହିକା ଅଞ୍ଚଳରେ ଅଧିକ ବର୍ଷା ହେଲେ ଜଳଭଣ୍ଡାରରେ ଜଳପତ୍ତନ ୧୮୪ ମିଟର ପାଖାପାଖି ହୋଇଯାଉଛି। ଉକ୍ତ ୧୨ଟି ଗାଁକୁ ବନ୍ୟା ଦାଉରୁ ମୁକୁଳାଇବା ପାଇଁ ଚାନ୍ଦିଲି ଜଳଭଣ୍ଡାର ଫାଟକ ଖୋଲି ଦିଆଯାଉଛି। ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଚାନ୍ଦିଲି ଡ୍ୟାମ୍‌ ଉପରେ ଜାମସେଦପୁରର କଳକାରଖାନା ନିର୍ଭର କରନ୍ତି। ଏହାବ୍ୟତୀତ ଏକାଧିକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ମଧ୍ୟ ସେହି ଅଞ୍ଚଳରେ ରହିଛି। ବର୍ଷ ତମାମ ଜଳ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଝାଡ଼ଖଣ୍ଡ ସରକାର ଚାନ୍ଦିଲି ଜଳଭଣ୍ଡାର ଜଳପତ୍ତନ ୧୮୧.୫୦ ମିଟର ଯାଏ ରଖୁଛନ୍ତି। ଚଳିତମାସରେ ଡ୍ୟାମ୍‌ର ଜଳପତ୍ତନ ୧୮୪ ମିଟର ପାଖାପାଖି ହେବାପରେ ମୋଟ ୧୩ ଗୋଟି ଫାଟକରୁ ୯ଟି ଫାଟକ ଖୋଲି ଦିଆଯାଇଥିଲା। ତେବେ ପ୍ରବଳ ବର୍ଷା ଯୋଗୁଁ ଗତ ୧୬ ତାରିଖରେ ମୋଟ ୧୨ଟି ଫାଟକ ଖୋଲି ଦିଆଯାଇଥିଲା। ଏହାର ପରିଣାମ ଉତ୍ତର ବାଲେଶ୍ୱବାସୀ ଭୋଗିଲେ। ଅଧିକ ଫାଟକ ନ ଖୋଲିବା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ବେ ବିନା ସୂଚନାରେ ଝାଡ଼ଖଣ୍ଡ ସରକାର ପାଣି ଛାଡ଼ି ଦେଇଥିଲେ। କେନ୍ଦ୍ର ଜଳ ଆୟୋଗ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି।