ସହରାଞ୍ଚଳରେ ବନ୍ୟା ପାଇଁ ବାଟ ଖୋଲିଛି ନଗର ଉନ୍ନୟନ ବିଭାଗ : ସହରାଞ୍ଚଳ ଡ୍ରେନେଜ୍‌ ମୁଖ୍ୟ ଯନ୍ତ୍ରୀ ପଦବି ଉଭାନ୍‌, ମନ୍ତ୍ରୀ ଓ ସଚିବଙ୍କର ବି ଏଥିପ୍ରତି ନିଘା ନାହିଁ

ଭୁବନେଶ୍ୱର : କେବଳ ଭୁବନେଶ୍ୱର, କଟକ କି ପୁରୀ ନୁହେଁ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଅସରାଏ ବଡ଼ ବର୍ଷା ହେଲେ ସ୍ଥିତି ସାଂଘାତିକ ହେଉଛି। ପୂରା ସହର ଜଳାର୍ଣ୍ଣବ ହୋଇଯାଉଛି। ରାଜ୍ୟର ୧୧୪ଟି ଯାକ ସହରାଞ୍ଚଳର ସ୍ଥିତି ବର୍ଷା ଦିନେ ଅଣାୟତ ହୋଇଯାଉଥିଲେ ହେଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏନେଇ ଆବଶ୍ୟକୀୟ ପ୍ରତିକାର ବ୍ୟବସ୍ଥା କରିପାରୁନି। ଏପରିକି ନ୍ୟାସନାଲ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଏନ୍‌ଡିଏମ୍‌ଏ) ପକ୍ଷରୁ ଏହାର ମୁକାବିଲା ପାଇଁ ଗାଇଡଲାଇନ୍‌ ଜାରି ହୋଇଥିବାବେଳେ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆସାମର ଗୌହାଟି ଢାଞ୍ଚାରେ ଡ୍ରେନ୍‌ ନିର୍ମାଣ କରିବା ପାଇଁ ଗାଇଡଲାଇନ୍‌ ଜାରି ହୋଇଛି। କିନ୍ତୁ ନଗର ଉନ୍ନୟନ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାରେ ଅକ୍ଷମ ଥିବାରୁ ଦିନକର ବର୍ଷାରେ ସହରାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି।

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସହରାଞ୍ଚଳରେ ପାଣି ଜମିବାର ମୁଖ୍ୟ କାରଣ ହେଲା ଆବଶ୍ୟକୀୟ ଡ୍ରେନ୍‌ ନାହିଁ। ଯେଉଁ ଅଞ୍ଚଳରେ ଡ୍ରେନ୍‌ ଅଛି ସେଗୁଡ଼ିକ ଠିକ୍‌ ଡିଜାଇନରେ ନିର୍ମାଣ ହୋଇନି କି ଏହି ଡ୍ରେନ୍‌କୁ ପାଣି ନିଷ୍କାସନ କରିବା ପାଇଁ ବାଟ ରଖାଯାଇନି। ଏନେଇ ଏକ ବିସ୍ତତ ରିପୋର୍ଟ ନଗର ଉନ୍ନୟନ ବିଭାଗ ନିକଟରେ ଅଛି। ହେଲେ ସହରାଞ୍ଚଳ ବନ୍ୟା ରୋକିବା ପାଇଁ କିଛି ପଦକ୍ଷେପ ନିଆଯାଇପାରୁନି।

ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଓ ସଚିବ ଏହି ବିଭାଗରେ ଦୁଇ ବର୍ଷରୁ ଅଧିକ ଦିନ ହେଲା ରହିଥିଲେ ହେଁ କିପରି ଏହି ଯୋଜନା କାର୍ଯ୍ୟକାରୀ ହେବ, ଡିପିଆର୍‌ ପ୍ରସ୍ତୁତ ହେବ ସେଥିପ୍ରତି ନିଘା ନାହିଁ। ରାଜ୍ୟର ସବୁ ସହର ଲଘୁଚାପ ବର୍ଷାରେ ଉବୁଟୁବୁ ହେଉଥିବାବେଳେ ମନ୍ତ୍ରୀ କି ସଚିବଙ୍କର ଦେଖା ମିଳୁନି। କ୍ଷେତ୍ର ପରିଦର୍ଶନ କରିବା ତ ଦୂରର କଥା ସ୍ଥିତିର ସମୀକ୍ଷା ବି କରୁନାହାନ୍ତି।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ସହରାଞ୍ଚଳରେ କିପରି ଡ୍ରେନ୍‌ ନିର୍ମାଣ ହେବ, କେଉଁ ଡ୍ରେନ୍‌ ଡିଜାଇନ୍‌ କିପରି ହେବ, ଡ୍ରେନ୍‌ ନିକଟରେ ରାସ୍ତା କିପରି ହେବା ଦରକାର ତା’ର ନିଷ୍ପତ୍ତି ନେବାକୁ ଓଡ଼ିଶା ଜଳଯୋଗାଣ ଓ ସ୍ୱେରେଜ ବୋର୍ଡ (ଓଡବ୍ଲ୍ୟୁଏସ୍‌ଏସ୍‌ବି) ଅଧୀନରେ ଜଣେ ମୁଖ୍ୟ ଯନ୍ତ୍ରୀ ପାହ୍ୟାର ଅଧିକାରୀଙ୍କୁ (ସହରାଞ୍ଚଳ ଡ୍ରେନେଜ୍‌) ଦାୟିତ୍ୱରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। ୨୦୧୪ ମସିହାରେ ତତ୍କାଳୀନ ନଗର ଉନ୍ନୟନ ବିଭାଗ ସଚିବ ଏହି ନିଷ୍ପତ୍ତି ନେଇଥିଲେ। ଏହି ମୁଖ୍ୟ ଯନ୍ତ୍ରୀ (ସହରାଞ୍ଚଳ ଡ୍ରେନେଜ୍‌)ଙ୍କ ଅଧୀନରେ ବିଭିନ୍ନ ପଦବି ସୃଷ୍ଟି କରିବା ସହ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ଏପରିକି ପୂର୍ବତନ ସ୍ୱେରେଜ୍‌ ବୋର୍ଡ ସଦସ୍ୟ ସଚିବ ଇଂ.ମନୋରଞ୍ଜନ ଦାସଙ୍କୁ ଏହି ପଦବିରେ ନିଯୁକ୍ତି ଦିଆଯାଇଥିଲା। ହେଲେ ସଚିବ ବଦଳିବାର ଦିନ କେଇଟା ମଧ୍ୟରେ ପଦବି ଉଭେଇଗଲା। ଏହିଭଳି ପଦବି ଅଛି ବୋଲି କେହି ଜାଣିଲେନି କି ସହରାଞ୍ଚଳ ଡ୍ରେନେଜ୍‌ ନେଇ ପ୍ରସ୍ତୁତ ହୋଇଥିବା ଯୋଜନା କାର୍ଯ୍ୟକାରୀ ହୋଇପାରୁନି।
ଏବେ ସହରାଞ୍ଚଳରେ ମହାନଗର ନିଗମ, ପୌରସଂସ୍ଥା, ପୂର୍ତ୍ତ ବିଭାଗ, ଜଳସମ୍ପଦ ବିଭାଗ ଡ୍ରେନ୍‌ ନିର୍ମାଣ କରୁଥିବାବେଳେ ସେମାନେ ମନଇଚ୍ଛା ଡ୍ରେନ୍‌ ନିର୍ମାଣ କରୁଛନ୍ତି। ରାସ୍ତାକୁ ଚାହିଁ ଡ୍ରେନ୍‌ ନିର୍ମାଣ ହେଉନଥିବାରୁ ପାଣି ରାସ୍ତାରେ ଭାସୁଛି, କିନ୍ତୁ ଡ୍ରେନ୍‌କୁ ଯାଉନି। ତେଣୁ ସହରାଞ୍ଚଳ ଡ୍ରେନେଜ୍‌ ବିଭାଗ ସମସ୍ତ ଡ୍ରେନ୍‌ ପ୍ରସ୍ତୁତ କଲେ ସମସ୍ୟା ରହିବନି ବୋଲି ନିଷ୍ପତ୍ତି ହୋଇଥିଲା। ଏହା କେବଳ ଯୋଜନାରେ ରହିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ସ୍ୱେରେଜ୍‌ ବୋର୍ଡର ସଦସ୍ୟ ସଚିବ ପଦବି ଜଣେ ସର୍ବୋଚ୍ଚ ଯନ୍ତ୍ରୀ ପାହ୍ୟାର ଅଧିକାରୀଙ୍କ ପାଇଁ ଥିଲା। ଏଥିରେ ଇଂ.ଏସ୍‌.ଲକ୍ଷ୍ମୀପତି କାର୍ଯ୍ୟ କରୁଥିଲେ। ହେଲେ ଲକ୍ଷ୍ମୀପତିଙ୍କର ଜନସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପଦବିକୁ ବଦଳି ହେବା ପରେ ତିନି ବର୍ଷ ହେଲା ସ୍ୱେରେଜ୍‌ ବୋର୍ଡର ମୁଖ୍ୟ ଯନ୍ତ୍ରୀ ଏହି ପଦବିରେ ରହୁଛନ୍ତି। କିନ୍ତୁ ମୂଳ ପଦବି ମୁଖ୍ୟ ଯନ୍ତ୍ରୀ (ସହରାଞ୍ଚଳ ଡ୍ରେନେଜ୍‌) ପଦବି ଉଭାନ୍‌ ହୋଇଯାଇଛି। ନା ଏଥିରେ କାହାକୁ ନିଯୁକ୍ତି ଦିଆଯାଉଛି ନା ଏହି ପଦବି ଅଛି ବୋଲି କେହି ଜାଣିଛନ୍ତି।

ସମ୍ବନ୍ଧିତ ଖବର