ବଢ଼ୁଛି ବର୍ଷା, ବନ୍ୟା ଭୟ : ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା ଓ କୁଶଭଦ୍ରା ଫୁଲୁଛି

ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି, ଆଉ ୩୬ ଘଣ୍ଟା ପ୍ରବଳ ବର୍ଷା

ଭୁବ‌ନେଶ୍ବର : ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ଲାଗି ରହିବ ବଡ଼ ବର୍ଷା। ଉତ୍ତର, ଉପକୂଳ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥା‌ନେ ଅତିରୁ ଅତିପ୍ରବଳ ବର୍ଷା ହୋଇପାରେ। ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କନ୍ଧମାଳ, ରାୟଗଡ଼ ଓ କଳା‌ହାଣ୍ଡିରେ ବର୍ଷା ଭୟାନକ ସ୍ଥିତି ଉପୁଜାଇବା ସମ୍ଭାବନା ଏଡାଇ ଦେଇ ହେବ ନାହିଁ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ଏସବୁ ଜିଲ୍ଲାରେ ୧୦୦ ମିମିରୁ ଅଧିକ ପରିମାଣର ବର୍ଷା ହୋଇପାରେ। କେବଳ ସେତିକି ନୁେହଁ, ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ଦେଖି ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ସମସ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ନିେର୍ଦଶ ଦେଇଛନ୍ତି।

ଅନ୍ୟପକ୍ଷରେ ମହାନଦୀ ସମେତ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଉପର ଓ ତଳମୁଣ୍ଡରେ ବର୍ଷା ଲାଗିରହିଛି। ଯେଉଁଥିପାଇଁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ସନ୍ଧ୍ୟା ସୁଦ୍ଧା ସବୁଠି ଜଳସ୍ତର ବିପଦ ସଙ୍କେତ ତଳେ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ତେବେ ଆଗକୁ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ବଡ଼ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଯାହାକି ନଦୀରେ ବନ୍ୟା ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ୧୪ ତାରିଖରୁ ପୁଣି ହୀରାକୁଦ େଗଟ୍ େଖାଲିବ େବାଲି କର୍ତୃପକ୍ଷ େଘାଷଣା କରିଛନ୍ତି। ତେବେ ମହାନଦୀର ଜଳସ୍ତର ଆଜି ସନ୍ଧ୍ୟା ସୁଦ୍ଧା ହ୍ରାସ ପାଉଥିବା ବେଳେ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା ଓ କୁଶଭଦ୍ରା ନଦୀର ଜଳସ୍ତର ବୃଦ୍ଧି ପାଉଥିବା ଏସଆରସି ଜଣାଇଛନ୍ତି।

ଏଣୁ ଅତିପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ଚିଠି ଲେଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି) ବିଷ୍ଣୁପଦ ସେଠୀ କହିଛନ୍ତି, ଯେ କୌଣସି ସ୍ଥିତିର ମୁକାବିଲା ଲାଗି କର୍ମଚାରୀମାନଙ୍କୁ ସଜାଗ ରଖ। ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନକୁ ତୁରନ୍ତ ଚିହ୍ନଟ କରିବା ସହ ସେଠାରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପରାମର୍ଶ ଦିଆଯାଇଛି। ଯଦି ଆବଶ୍ୟକ ପଡ଼େ ରିଲିଫ୍‌ କ୍ୟାମ୍ପ ଓ ସେଲଟର୍‌ରେ ସେମାନଙ୍କୁ ରଖ। ଆବଶ୍ୟକୀୟ ଶୁଖିଲା ଖାଦ୍ୟ, ସ୍ବଚ୍ଛ ପାନୀୟ ଜଳ, ଲାଇଟ୍‌, ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବାକୁ କୁହାଯାଇଛି। ଏଥିସହ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗକୁ ସଜାଗ ରଖିବା, ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା, ବର୍ଷାରେ ଧୋଇ ଯାଉଥିବା ରାସ୍ତା ଓ ପୋଲଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟ ଜିଲ୍ଲାପାଳମାନେ ମଧ୍ୟ ସ୍ଥିତି ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି।

୧୪ ତାରିଖରେ ବର୍ଷା କମିବାକୁ ଥିଲେ ମଧ୍ୟ ଦକ୍ଷିଣ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନ ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଧା, ପୁରୀ, ଯାଜପୁର, ଜଗତ୍‌ସିଂହପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବୋହିବ। ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଥିବା ଲଘୁଚାପ ବଳୟ ଏବେ ଓଡ଼ିଶା ମୁହାଁ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା‌ ୨୪ ଘଣ୍ଟା ମଧ୍ୟରେ ଏହା ଚିହ୍ନଟ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ୧୨ ଓ ୧୩ ତାରିଖରେ ଓଡ଼ିଶାରେ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି। ୧୩ ଓ ୧୪ ତାରିଖରେ ବିଦର୍ଭ ଓ ଛତିଶଗଡ଼, ୧୪ ଓ ୧୫ରେ ପୂର୍ବ ମଧ୍ୟପ୍ରଦେଶ, ୧୫ ଓ ୧୬ ତାରିଖରେ ପଶ୍ଚିମ ମଧ୍ୟପ୍ରଦେଶ ଓ ପୂର୍ବ ରାଜସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।

ଅନ୍ୟପକ୍ଷରେ ଗତ ୩୬ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ଶହେ ମିମିରୁ ଅଧିକ ବର୍ଷା ହୋଇଛି। ଫୁଲବାଣୀରେ ସର୍ବାଧିକ ୧୧୯ ମିମି ବର୍ଷା ହୋଇଥିବା ବେଳେ ଟିଟିଲାଗଡ଼ରେ ୧୧୩.୪ ମିମି ହୋଇଛି। ଏହାବ୍ୟତୀତ ବଲାଙ୍ଗୀରରେ ୮୬, ସୋନପୁରରେ ୬୭.୪, ଭବାନୀପାଟଣାରେ ୬୬, କଟକରେ ୬୦.୪, ଚା‌ନ୍ଦବାଲିରେ ୬୦.୩, ଦାରିଙ୍ଗବାଡ଼ିରେ ୫୪, ପୁରୀରେ ୪୫.୮, ଝାରସୁଗୁଡ଼ାରେ ୪୪.୯ ମିମି ବର୍ଷା ହୋଇଛି। ଆଜି ରାତିରେ କେତେକ ଜିଲ୍ଲାରେ ବର୍ଷା ଲାଗିରହିଥିବାରୁ ସ୍ଥିତି ଜଟିଳ ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର