ଭୁବନେଶ୍ବର : ମହାନଦୀର ଉପର ମୁଣ୍ଡ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ଏହା ମହାନଦୀ ଓ ଶାଖା ନଦୀରେ ଚଳିତବର୍ଷର ପ୍ରଥମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ, ଶନିବାର କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ନଦୀରେ ବନ୍ୟା ଆସିବ। ଏହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ କମିସନର ୪ ଜିଲ୍ଲାର ପ୍ରଶାସନ ଓ ବାସିନ୍ଦାଙ୍କୁ ସତର୍କ କରାଇଛନ୍ତି। ବଡ଼ ବନ୍ୟା ନହେଲେ ବି ନିମ୍ନ/ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି କରିବ ବୋଲି ଏସ୍ଆର୍ସି କହିଛନ୍ତି। ପୂର୍ଣ୍ଣିମା ଓ ପ୍ରବଳ ବର୍ଷା ସବୁ ଆକଳନ ବିଗାଡ଼ି ଦେବାର ଭୟ ମଧ୍ୟ ରହିଛି।
ସୋମବାର ପୂର୍ଣ୍ଣିମା ଥିବାରୁ ସମୁଦ୍ର ପାଣି ଟାଣିବନି। ଶନିବାର ବନ୍ୟା ଆସିବା ପରେ ତିନିରୁ ଚାରିଦିନ ଅଧିକାଂଶ ସ୍ଥାନରେ ନଦୀ କୂଳ ଲଂଘିବ। ଏପରି ସ୍ଥିତିରେ ତଳିଆ ଅଞ୍ଚଳରେ ଘାଇ ସୃଷ୍ଟି ହୋଇପାରେ। ଅଧିକାଂଶ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାବେଳେ ଘଳିଆ ଓ ଘାଇ ପରିସ୍ଥିତିକୁ ଏଡ଼ାଇବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ହେଲେ ନଦୀରେ ଭରା ପାଣି ଥିବାବେଳେ ବର୍ଷା ଅଧିକ ବିପଦ ସୃଷ୍ଟି କରିବ। ସ୍ଥିତି ଅଣାୟତ୍ତ ହେବାର ଭୟ ଥିବାରୁ ଉପକୂଳ ଜିଲ୍ଲା ଗୁଡିକରେ ଓଡ୍ରାଫର ୩୦ଟି ଟିମ୍, ଏନ୍ଡିଆର୍ଏଫ୍ର ୧୨ଟି ଟିମ ଓ ଅଗ୍ନିଶମର ୧୦ଟି ଟିମ୍କୁ ମୁତୟନ କରାଯାଇଛି। ଜଳସମ୍ପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ପ୍ରତି ଅଞ୍ଚଳ ପାଇଁ ଦାୟିତ୍ବ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଘଳିଆ ଘାଇ ପରିସ୍ଥିତି ମୁକାବିଲା ପାଇଁ ବାଲି ବସ୍ତା ଓ ଆବଶ୍ୟକ ସରଞ୍ଜାମ ରଖିବାକୁ କୁହାଯାଇଛି।
ଏସ୍ଆର୍ସି ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇ କହିଛନ୍ତି ଯେ ଏବେ ମହାନଦୀରେ ସେକେଣ୍ଡ ପିଛା ୪,୯୯,୯୫୭କ୍ୟୁସେକ୍ ଜଳ ପ୍ରବେଶ କରୁଛି। ମହାନଦୀର ଉପରମୁଣ୍ଡ ତଥା ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ଅଧିକରୁ ଅଧିକ ପାଣି ପ୍ରବେଶ କରୁଛି। ଏବେ ହୀରାକୁଦର ୨୮ଟି ଗେଟ୍ ଖୋଲା ଯାଇଥିବା ବେଳେ ସେକେଣ୍ଡ ପିଛା ୪,୮୬,୮୯୨କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଏହି ପାଣି ଏବେ ସୁଦ୍ଧା ତଳମୁଣ୍ଡକୁ ଆସିନି। ମୁଣ୍ଡୁଳିରେ ଏବେ ୫,୫୪,୬୯୫କ୍ୟୁସେକ୍ ଜଳ ନିଷ୍କାସନ ହେଉଥିବା ବେଳେ ଶନିବାର ସକାଳ ସୁଦ୍ଧା ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କରିବ। ଏହାର ପ୍ରଭାବରେ ଶନିବାର ସଂଧ୍ୟାରେ ଏକ ନିମ୍ନ ମଧ୍ୟମ ଧରଣର ବନ୍ୟା ପାସ୍ କରିବ।
/sambad/media/post_attachments/wp-content/uploads/2020/09/NARAJ-RE-BANYA-JALA-7-f.jpg)
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ୧୮ରୁ ୨୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ୧୮ ଓ ୧୯ରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ, ୧୯ ଓ ୨୦ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳରେ, ୨୦ ଓ ୨୧ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ସମ୍ବଲପୁରରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଳଭଣ୍ଡାର ଓ ପ୍ରବାହିତ ନଦୀଗୁଡ଼ିକରେ ଜଳ ପ୍ରବାହ ଓ ଜଳପତ୍ତନ ବୃଦ୍ଧି, ସୃଷ୍ଟି ହୋଇଥିବା ଘାଇ ଏବଂ ବନ୍ୟା ସ୍ଥିତି ସମ୍ପର୍କରେ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ମୁଣ୍ଡୁଳି, ନରାଜ, ମହାନଦୀ ଓ ବିରୂପା ବ୍ୟାରେଜ୍ସ୍ଥଳ ପରିଦର୍ଶନ କରି ସେଠାରେ ଜଳପ୍ରବାହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ, ମୁଖ୍ୟଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2020/08/SBPHO28-SBP-Hirakud-Dam-Water-Discharge-750x430.jpg)
ହୀରାକୁଦର ୨୮ ଗେଟ୍ ଖୋଲା
ସମ୍ବଲପୁର : ଗୁରୁବାର ସକାଳୁ ହୀରାକୁଦ ବନ୍ଧର ଆଉ ୪ଟି ଗେଟ୍ ଖୋଲା ଯାଇଛି। ଫଳରେ ମୋଟ ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସିତ ହେଉଛି। ଉପର ମୁଣ୍ଡରେ ଛତିଶଗଡ଼ କଲମା ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲା ରହିଛି। ତେଣୁ ଉପର ମୁଣ୍ଡ ମହାନଦୀ ଉପତ୍ୟକାର ସବୁ ପାଣି ସିଧାସଳଖ ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରୁଛି। ତେବେ ଉପର ମୁଣ୍ଡରେ ବର୍ଷା ବନ୍ଦ ହୋଇ ଯାଇଥିବାରୁ ଆଉ ଜଳ ପ୍ରବେଶ ବୃଦ୍ଧି ପାଇବାର ଆଶଂକା ନାହିଁ। ତେଣୁ ବର୍ତ୍ତମାନ ପାଇଁ ଆଉ ଅଧିକ ଗେଟ୍ ଖୋଲିବା ସମ୍ଭାବନା ନାହିଁ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିଲା ବେଳେ ଗରୁବାର ରାତି ୯ଟା ବେଳେ ହୀରାକୁଦ ଜଳସ୍ତର ୬୨୮.୮୧ ଫୁଟ୍ରେ ପହଞ୍ଚିଛି। ସେହି ସମୟରେ ଜଳଭଣ୍ଡାରକୁ ହାରାହାରି ୫,୧୨,୨୪୦ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୪,୮୬,୮୨୬ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ସେଥିରୁ ବାମ ସ୍ପିଲ୍ୱେର ୧୯ ଓ ଡାହାଣ ପାର୍ଶ୍ବର ୯କୁ ମିଶାଇ ମୋଟ୍ ୨୮ ସ୍ଲୁଇସ୍ ଗେଟ୍ ଦେଇ ୪,୫୭,୬୬୦ କ୍ୟୁସେକ୍ ମହାନଦୀକୁ ଛଡ଼ା ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୨୨ ମିଲିମିଟର୍ ଓ ତଳ ମୁଣ୍ଡରେ ୫.୪୮ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/naraj.jpg)
