ବାଲେଶ୍ବର/ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି ଏବଂ ବନ୍ୟାର ପ୍ରକୋପ ମଧ୍ୟ କମୁଛି। ତେବେ, ବନ୍ୟା ଯୋଗୁ ଉତ୍ତର ବାଲେଶ୍ବରର ବହୁ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ହଜାର ହଜାର ଏକର ଚାଷ ଜମିରେ ପାଣିର ସୁଅ ଚାଲିଛି। ଆଜି କେନ୍ଦ୍ରାଞ୍ଚଳ ଆର୍ଡିସି ବି. ପରମେଶ୍ବରନ୍ ଏଠାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ରାଜଘାଟଠାରେ ଆଜି ଅପରାହ୍ଣ ୨ଟା ସୁଦ୍ଧା ୧୧.୫୬ ମିଟରରେ ସ୍ଥିର ରହିଥିଲା। ଜାତୀୟ ରାଜପଥ ପୋଲ ନିକଟରେ ପ୍ରତି ସେକେଣ୍ଡରେ ୫୧୮୫.୦୬ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ଅପରାହ୍ଣ ୪ଟା ସମୟରେ ଜଳପତ୍ତନ ହ୍ରାସ ପାଇ ୧୧.୫୩ ମିଟରରେ ପ୍ରବାହିତ ହେଉଥିଲା। ନଦୀର ଉପର ମୁଣ୍ଡରେ ଆଉ ବର୍ଷା ନହେଲେ ସୁବର୍ଣ୍ଣରେଖା ବନ୍ୟା ପରିସ୍ଥିତିରେ ସୁଧାର ଆସିବ ବୋଲି ଜଳସମ୍ପଦ ବିଭାଗର ଇଞ୍ଜିନିୟର ଇନ୍ ଚିଫ୍ (ସର୍ବୋଚ୍ଚ ଯନ୍ତ୍ରୀ) ମୁକୁଲ ଚନ୍ଦ୍ର ବେରା କହିଛନ୍ତି।
ଅନ୍ୟପକ୍ଷରେ, ବନ୍ୟା ଯୋଗୁ ଉତ୍ତର ବାଲେଶ୍ବରର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲାର ୪୬ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ୨୯୧୬ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେଥିମଧ୍ୟରୁ ବସ୍ତା ବ୍ଲକ୍ର ୧୪ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ଜଳେଶ୍ବରର ୧୦ଟି ପଞ୍ଚାୟତ ଓ ପୌରାଞ୍ଚଳର ୭ଟି ୱାର୍ଡ, ବାଲିଆପାଳ ବ୍ଲକ୍ର ୨ପଞ୍ଚାୟତ, ଭୋଗରାଇ ବ୍ଲକ୍ର ୧୩ଟି ପଞ୍ଚାୟତ, ରେମୁଣା ଓ ସୋର ବ୍ଲକ୍ର ଗୋଟିଏ ଲେଖାଏଁ ପଞ୍ଚାୟତ ପ୍ରଭାବିତ ହୋଇଛି। ଏସବୁ ପଞ୍ଚାୟତର ହଜାର ହଜାର ଏକର ଚାଷ ଜମିରେ ପାଣିର ସୁଅ ଚାଲିଥିବା ଦେଖିବାକୁ ମିଳିଛି। କେନ୍ଦ୍ରାଞ୍ଚଳ ଆର୍ଡିସି ବି. ପରମେଶ୍ବରନ୍ ପୂର୍ବାହ୍ଣ ସାଢ଼େ ଦଶଟା ସମୟରେ ଜଳେଶ୍ୱର ପୌରପାଳିକା କାର୍ଯ୍ୟାଳୟରେ ପହଞ୍ଚି ବନ୍ୟା ମୁକାବିଲା ପାଇଁ ପୌର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଥିଲେ। ଏହାପରେ ଶାସନବାଡ଼ସ୍ଥିତ ସୁବର୍ଣ୍ଣରେଖା ନଦୀ କୂଳକୁ ଯାଇ ବନ୍ୟା ସ୍ଥିତି ଓ ନନ୍ଦୀକା ନିକଟରେ ଜଳ ନିଷ୍କାସନ ସମସ୍ୟାର ଅନୁଧ୍ୟାନ କରିଥିଲେ।
୪୬ଟି ପଞ୍ଚାୟତ ପ୍ରଭାବିତ
ବାହ୍ୟଜଗତରୁ ବହୁ ଗାଁ ବିଚ୍ଛିନ୍ନ
ଜଳକାରେ ପାଣି ବଢ଼ୁଛି, ବୁଢ଼ାବଳଙ୍ଗ ବିପଦ ସଙ୍କେତ ତଳେ
ଏଥିସହିତ, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଳକ୍ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଆର୍ଡିସିଙ୍କ ସହ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ ଉପସ୍ଥିତ ଥିଲେ। ସେହିପରି, ଜଳସମ୍ପଦ ବିଭାଗର ଇଆଇସି ତଥା ସ୍ବତନ୍ତ୍ର ସଚିବ ଶ୍ରୀ ବେରା ମଧ୍ୟ ଆଜି ପୂର୍ବାହ୍ଣ ସାଢ଼େ ଦଶଟା ସମୟରେ ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ପହଞ୍ଚି ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଶ୍ରୀ ବେରାଙ୍କ ସହ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ନବ କୁମାର ମହାଳିକ ଉପସ୍ଥିତ ଥିଲେ। ଜଳସମ୍ପଦ ବିଭାଗର ଚିଫ୍ ଇଞ୍ଜିନିୟର ଚିତ୍ତ ରଞ୍ଜନ ଭୂୟାଁ, ଜଳ ନିଷ୍କାସନ ବିଭାଗର ଆଡିସନାଲ୍ ଚିଫ୍ ଇଞ୍ଜିନିୟର ଦୀପକ ରଞ୍ଜନ ବେହେରା, ବାଲେଶ୍ୱର ଏସ୍ଡିଓ ତାପସ କୁମାର ନାୟକ, ସହକାରୀ ଯନ୍ତ୍ରୀ ମହେଶ୍ୱର ସିଂ, ରାଜଘାଟସ୍ଥିତ କେନ୍ଦ୍ର ଜଳ ଆୟୋଗ ଦ୍ବାରା ପରିଚାଳିତ ବନ୍ୟା ପୂର୍ବାନୁମାନ କେନ୍ଦ୍ରର ଜେଇ ତଥା ସୁପରଭାଇଜର ପୀୟୂଷ ନନ୍ଦୀ ପ୍ରମୁଖ ମଧ୍ୟ ସୁବର୍ଣ୍ଣରେଖା ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ। ଅପରପକ୍ଷରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ବେଶ୍ ତଳେ ରହିଥିବାବେଳେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ୮.୧୩ ମିଟର ଥିବା ବେଳେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬.୦୪ ମିଟରରେ ପ୍ରବାହିତ ହୋଇଛି। ସେହିପରି, ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ସନ୍ଧ୍ୟା ସମୟରେ ୬.୬୮ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି।
ଶିମିଳିପାଳରେ ଭୂସ୍ଖଳନ
ବାରିପଦା/ଯଶିପୁର: ମୟୂରଭଞ୍ଜରେ ବିପର୍ଯ୍ୟୟ ଆଣିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଜିଲ୍ଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ, ଦେଓ, ଗଙ୍ଗାହାର, ସୋନ ନଦୀ ସମେତ ସମସ୍ତ ଛୋଟବଡ଼ ନଦୀନାଳର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମୋରଡ଼ା, ଶୁଳିଆପଦା, ସାରସକଣା, ବାଙ୍ଗିରିପୋଷି, ବେତନଟୀ, ବଡ଼ସାହି, ଗୋପବନ୍ଧୁନଗର, କରଞ୍ଜିଆ, ଯଶିପୁର, କୁସୁମୀ ବ୍ଲକ୍ର ଶତାଧିକ ଗାଁ ଜଳମଗ୍ନ ହୋଇଯାଇଛି। ୩ଶହରୁ ଅଧିକ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି। ଘରେ ପାଣି ପଶି ଯାଇଥିବାରୁ ୨ ଦିନ ହେବ ଲୋକଙ୍କ ଘରେ ଚୁଲି ଜଳିନି। ସେହିପରି ଜରାଳୀ ଓ ସରାଳୀ ନଦୀରେ ବନ୍ୟା ତଥା ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁ ବାରିପଦା ସହରର ବିଭିନ୍ନ ୱାର୍ଡରେ ପାଣି ଜମି ରହିଛି।
ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ରବିବାର ରାତିରେ ଅଭୟାରଣ୍ୟକୁ ଯାଇଥିବା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ହୋଇଛି। କାଳିକାପ୍ରସାଦ-ଗୁଡ଼ୁଗୁଡ଼ିଆ ରାସ୍ତାର ମହୁଭଣ୍ଡାର ଗାଁ ନିକଟରେ ଭୂସ୍ଖଳନ ହୋଇ ରାସ୍ତା ଓ ରାସ୍ତାପାର୍ଶ୍ବ ସୁରକ୍ଷା କାନ୍ଥ ଧୋଇଯାଇଛି। ଫଳରେ ୩ଟି ପଞ୍ଚାୟତ; ବରେହିପାଣି, ଗୁଡ଼ୁଗୁଡ଼ିଆ ଓ ଅସ୍ତକୁମାରର ପ୍ରାୟ ୪୦ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୋମବାର ସକାଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଶିମିଳିପାଳ (ଉତ୍ତର) ଉପନିର୍ଦ୍ଦେଶକ ସାଇ କିରଣଙ୍କ ସହ ପଦସ୍ଥ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରାଯିବା ପରେ ଏବେ ଏହି ରାସ୍ତାରେ କେବଳ ଦୁଇ ଚକିଆ ଯାନ ଯାତାୟାତ କରିପାରୁଛି। ହେଲେ ୪ ଚକିଆ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଶିମିଳିପାଳ ଭିତରେ ରାତ୍ରୀଯାପନ କରିଥିବା ପର୍ଯ୍ୟଟକ, ଆମ୍ବୁଲାନ୍ସ ଓ ୪୦ ଗାଁକୁ ଜରୁରୀ ସାମଗ୍ରୀ ଯୋଗାଉଥିବା ଗାଡ଼ି ମୋଟରଗୁଡ଼ିକୁ ଚହଲା ରାସ୍ତା ଦେଇ ଯଶିପୁର ଗେଟ୍ ପରେ ଫେରିବାକୁ ପରାମର୍ଶ ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ।
ଏ ସମ୍ପର୍କରେ ଆର୍ସିସିଏଫ୍ ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି; ଜୁଲାଇ ପହିଲାରୁ ପରବର୍ତ୍ତୀ ନିଷ୍ପତ୍ତି ଯାଏଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ ବୋଲି ଗତକାଲି ଘୋଷଣା ହୋଇଥିଲା। ହେଲେ ଶିମିଳିପାଳ ଭିତରେ ରହୁଥିବା ହଜାର ହଜାର ଲୋକଙ୍କ ପାଇଁ ଏହି ରାସ୍ତା ଗୁରୁତ୍ବପୂର୍ଣ୍ଣ। ସେହିପରି ଅଭୟାରଣ୍ୟ ଭିତରେ ଥିବା ଏକାଧିକ ଅରଣ୍ୟ ନିବାସକୁ ମଧ୍ୟ ଏହି ରାସ୍ତା ସଂଯୋଗ କରିଛି। ତେଣୁ ପାଗ ଶୁଖିଲା ହେବାମାତ୍ରେ ଆମେ ଏହି ରାସ୍ତାର ସମ୍ପୂର୍ଣ୍ଣ ମରାମତି କରିବୁ। ସେହିପରି ଜିଲ୍ଲା ଜରୁରିକାଳୀନ ଅଧିକାରୀ କହିଛନ୍ତି ଯେ, ଆଜି ବର୍ଷା କମିଥିବାରୁ ବନ୍ୟା ଭୟ ଟଳିଯାଇଛି। ହେଲେ ତଳିଆ ଅଞ୍ଚଳରେ ପାଣି ପଶିଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର ସହ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/01/khfkhfkfhk-2025-07-01-00-48-27.jpg)
