ବାଲିପାଟଣା: ବନ୍ୟା ପ୍ରକୋପ କମିଛି। ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା। ଶହ ଶହ ଲୋକ ଏବେ ବି ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଂଜିଛନ୍ତି। ଅଚ୍ୟୁତପୁର କାଜରୁ ପାଣି ଗଡ଼ୁଛି। ଅନେକ ସ୍ଥାନରେ ରାସ୍ତାରୁ ପାଣି ଛାଡ଼ିଛି। ମାତ୍ର କୃଷ୍ଣପୁର ବ୍ରିଜ ଉପରେ ପାଣି ଚାଲୁଛି। ପାଣି ମାଡ଼ରେ ବ୍ରିଜ ନିକଟରେ ୩୦ ଫୁଟ ରାସ୍ତା ଧସି ଯାଇଛି। ଫଳରେ ବାଲିପାଟଣା-ରାଜସ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଧାନ ଜମିରେ ବନ୍ୟା ପାଣି ଲହଡ଼ି ମାରୁଛି।
ସେପଟେ ଗରିଆ ଗାଁରେ ଝାଡ଼ାବାନ୍ତି ବ୍ୟାପିବା ଖବର ପ୍ରକାଶ ପରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ ତ୍ୱରିତ ପଦକ୍ଷେପ ନେବା ଲାଗି ନିର୍ଦେଶ ଦେବା ପରେ ବିଡିଓ ଆଦିକନ୍ଦ ବେହେରା, ଏଡିପିଏଚଓ ଦେ ନନ୍ଦିତା ଗୁପ୍ତା, ରାଜସ୍ ମେଡିକାଲ କର୍ମଚାରୀ, ଅଙ୍ଗନବାଡ଼ି, ଆଶାକର୍ମୀ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ସେପଟେ ଧନୁଆ ବନ୍ୟାରେ ରାଜସ, ପମ୍ପାଲୋ, ଆଳିଶି ଶାସନ, କୁରୁଞ୍ଜିପୁର, ତୁରିନ୍ତିରା, ସୋମାଣା ପଞ୍ଚାୟତର ଲୋକେ ପ୍ରଭାବିତ ହୋଇଛନ୍ତି। ପାଣି କମିଥିବାରୁ ପ୍ରଶାସନ ତରଫରୁ ନିୟୋଜିତ ବୋଟ୍ ଉଠି ଯାଇଛି। ହେଲେ ରନ୍ଧାଖାଦ୍ୟ ବଣ୍ଟନ ଜାରି ରହିଥିବା ବିଡିଓ ଆଦିକନ୍ଦ ବେହେରା ସୂଚନା ଦେଇଛନ୍ତି।
ବାର୍ହା ଆତଙ୍କ
ବନ୍ୟା ବିପତ୍ତି ବେଳେ ଆତଙ୍କ ଖେଳାଇଛି ବାର୍ହା। ପମ୍ପାଲୋ ପଞ୍ଚାୟତ ଦରଡ଼ା ଗ୍ରାମରେ ଗତକାଲି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ବେଳେ ଏକ ବାର୍ହା ଦେଖା ଯାଇଥିଲା। ଗାଁରୁ ବାହାରି ଲୋକଙ୍କୁ କାମୁଡ଼ିବା ପାଇଁ ଗୋଡ଼ାଇଥିଲା। ଲୋକେ ଭୟରେ ଏଣେ ତେଣେ ଦୌଡ଼ିଥିଲେ। ଲୋକେ ଠେଙ୍ଗା ବାଡ଼ି ଧରି ଗୋଡ଼ାଇବାରୁ ନିକଟସ୍ଥ ବଣ ଭିତରକୁ ଚାଲି ଯାଇଥିଲା। ବନ୍ୟଜନ୍ତୁଟି ବନ୍ୟାପାଣି ଯୋଗୁଁ କେଉଁ ଆଡ଼ୁ ଚାଲି ଆସିଥିବା ଗ୍ରାମବାସୀ କହିଛନ୍ତି।
ବିଭିନ୍ନ ସଂଗଠନ ପକ୍ଷରୁ ରିଲିଫ୍ ବଣ୍ଟନ
ଜଟଣୀ ବିଧାୟକ ସୁରେଶ ରାଉତରାୟ ଦ୍ୱିତୀୟ ଥର ବାଲିପାଟଣା ବନ୍ୟାଞ୍ଚଳ ବୁଲି ରିଲିଫ ବାଣ୍ଟିଛନ୍ତି। ତାଙ୍କ ସହିତ ବ୍ଲକ କଂଗ୍ରେସ ସଭାପତି ବଟକୃଷ୍ଣ ନାୟକ ଓ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ। ସେହିପରି ଜୟଦେବ ଓକିଲ ସଂଘ ତରଫରୁ ପମ୍ପାଲୋ ପଞ୍ଚାୟତରେ ରିଲିଫ ବଣ୍ଟନ ହୋଇଛି। ସଂଘ ସଦସ୍ୟ ଅଶୋକ ରାଉତରାୟ, ସୁରେଶ ଦାଶ, ଅମରେଶ ସ୍ୱାଇଁ, ପ୍ରଭୁ ପଦ, ସୁରେନ୍ଦ୍ର ଜେନା, ଦୀପକ ରଞ୍ଜନ ଆଚାର୍ଯ୍ୟ, ଦିଲ୍ଲୀପ ଓଝା, ସରପଞ୍ଚ ବାହାନ ଭୋଇ ଉପସ୍ଥିତ ଥିଲେ। ଭୁବନେଶ୍ୱର ଓକିଲ ସଂଘ ତରଫରୁ ବିଭିନ୍ନ ଗ୍ରାମରେ ରିଲିଫ ବଣ୍ଟନ କରାଯାଇଛି। ସଂଘ ସଂପାଦକ ରାଜକିଶୋର ଦାଶ, ଅଶୋକ ବଡ଼ପଣ୍ଡା, ଅଭିମନ୍ୟୁ ସ୍ୱାଇଁ, ସୁରେଶ ବାରିକ, ବିକାଶ ରାଉତରାୟ, କମଳ ଜେନା, ବିଭୁ ଦାଶ ପ୍ରମୁଖ ସାମିଲ ହୋଇ ବନ୍ୟା ପୀଡ଼ିତଙ୍କୁ ରିଲିଫ ପ୍ରଦାନ କରିଥିଲେ। ଏଥିସହିତ ଆମ୍ ଆଦମୀ ପାର୍ଟି ସମେତ ବହୁ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରିଲିଫ ବଣ୍ଟା ଯାଇଛି।