ପୁରୀ/ ପିପିଲି: ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାଜଳ ଆସିବା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ପୁରୀ ଜିଲ୍ଲା ଦେଇ ପ୍ରବାହିତ ଭାଗର୍ବୀ, ଦୟା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହା ସହ ଦୁଇ ନଦୀର ଶାଖା ନଦୀ ବି ଫୁଲିବା ଆରମ୍ଭ କରିଛି। ଆଜି ସଂଧ୍ୟା ୬ଟା ସୁଦ୍ଧା ପିପିଲି ବ୍ଲକ୍‌ ମାଧିପୁରଠାରେ ଦୟା ନଦୀର ଜଳସ୍ତର ବିପଦସଂକେତ ପାଖାପାଖି ପ୍ରବାହିତ ହେଉଛି। ସେହିଭଳି ଭାର୍ଗବୀର ଜଳସ୍ତର ବି ଫୁଲିବା ସହ ପିପିଲି ହରିପୁର ନିକଟରେ ବିପଦସଂକେତ ନିକଟରେ ପ୍ରବାହିତ ହେଉଛି। ଜଳସ୍ତର ଆଜି ରାତି ଭିତରେ ବହୁ ଅଧିକ ବଢ଼ିଯିବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଗତକିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଫଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଉପରମୁଣ୍ଡର ଏହି ବନ୍ୟା ଜଳ କ୍ରମେ ମହାନଦୀରେ ପହଞ୍ଚିବା ପରେ ମୁଣ୍ଡଳିଠାରୁ ଏହା ଭାର୍ଗବୀ, ଦୟା ଦେଇ ପୁରୀ ଜିଲ୍ଲାରେ ପ୍ରବେଶ କରିଛି। ଯେଉଁଥିପାଇଁ କିଛିଦିନ ଧରି ଶୁଖିଲା ପଡ଼ିଥିବା ଦୟା, ଭାର୍ଗବୀ, କୁଶଭଦ୍ରା ଆଦିର ଜଳସ୍ତର ହଠାତ୍‌ ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳକୁ ଜଳମଗ୍ନ କରିବାରେ ଲାଗିଛି। ଆଉ ଦିନେ ଦୁଇ ଦିନ ଭିତରେ ସ୍ଥିତି ଅସମ୍ଭାଳ ହୋଇପଡ଼ିବା ଆଶଙ୍କା ଦେଖାଦେଇଛି।

Advertisment

ପୁରୀ ଜଳସେଚନ ବିଭାଜନ ଅଧୀନରେ ଥିବା ବିଭିନ୍ନ ଗଜ୍‌ ଷ୍ଟେସନ୍‌ଠାରେ ଅକାତକାତ ଜଳ ପ୍ରବାହିତ ହେଉଛି। ସଂଧ୍ୟା ୬ଟା ସୁଦ୍ଧା ଦୟା ନଦୀର ପ୍ରବାହିତ ଜଳ ଉପରେ ନଜର ପକାଇଲେ, ମାଧିପୁରଠାରେ ବିପଦସଂକେତ ୧୧.୪୦ ମିଟର ଥିବାବେଳେ ୧୦.୭୦ ମିଟର ଜଳ ପ୍ରବାହିତ ହେଉଛି। ସେହିଭଳି ପିପିଲିର କଣ୍ଟିଠାରେ ବିପଦସଂକେତ ୧୦.୨୫ ମିଟର ଥିବାବେଳେ ୯.୮୦ ମିଟର ଜଳ ପ୍ରବାହିତ ହେଉଛି। କଣାସଠାରେ ଜଳପ୍ରବାହ ବିପଦସଂକେତ ୩.୯୯ ମିଟର ଥିବାବେଳେ ୩.୪୮ ମିଟର ଜଳ ପ୍ରବାହିତ ହେଉଛି। କଣାସର ଘୋରଡିଆଠାରେ ବିପଦସଂକେତ ଉପରେ ଜଳ ପ୍ରବାହିତ ହେଉଛି। ବିପଦସଂକେତ ୬.୨୪ ମିଟର ଥିବାବେଳେ ୬.୮୫ ମିଟର ଜଳ ପ୍ରବାହିତ ହେଉଛି।

ସେହିଭଳି ଭାର୍ଗବୀ ନଦୀର ଜଳସ୍ତର ଉପରେ ନଜର ପକାଇଲେ, ହରିପୁରଠାରେ ଭାର୍ଗବୀ ନଦୀର ବିପଦ ସଙ୍କେତ ୧୨.୦୯୫ ମିଟର ଥିବାବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ୧୨.୫ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ସତ୍ୟବାଦୀର ଗବକୁଣ୍ଡଠାରେ ବିପଦସଂକେତ ୬.୭୧ ମିଟର ଥିବାବେଳେ ୪.୯୦ ମିଟର ଜଳ ପ୍ରବାହିତ ହେଉଛି। ପୁରୀ ସଦର ଚନ୍ଦନପୁରଠାରେ ବିପଦସଂକେତ ୬.୭୨ ମିଟର ହୋଇଥିବାବେଳେ ୫.୭୬ ମିଟର ଜଳ ପ୍ରବାହିତ ହେଉଛି। ପୁରୀ ସଦରର ଗଙ୍ଗାନାରାୟଣପୁରଠାରେ ବିପଦସଂକେତ ୬.୩୨ ମିଟର ଥିବାବେଳେ ୬ ମିଟରରେ ଜଳ ପ୍ରବାହିତ ହେଉଛି। ପୁରୀ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ରତ୍ନାକର ଦଳାଇ କହିଛନ୍ତି, ମୁଣ୍ଡଳୀ ଜଳସ୍ତର ଉପରେ ଭାର୍ଗବୀ, ଦୟା ସହ ଅନ୍ୟାନ୍ୟ ଶାଖା ନଦୀର ଜଳସ୍ତର ନିର୍ଭର କରୁଛି। ଆଜି ରାତିରେ ୯ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ ବୋଲି ସମ୍ଭାବନା ରହିଛି। ସେହି ଅନୁସାରେ ଆମ ଜିଲ୍ଲା ଦେଇ ପ୍ରବାହିତ ନଦୀର ଜଳସ୍ତର ବୃଦ୍ଧି ପାଇବ। ଭାର୍ଗବୀର ଡାହାଣ ପାର୍ଶ୍ବ ପୁରୀ ଜଳସେଚନ ଡିଭିଜନ୍‌ ଅଧୀନରେ ଆସୁଥିବାରେ ବାମ ପାର୍ଶ୍ବ ନିମାପଡ଼ା ଡିଭିଜନ୍‌ ଅଧୀନରେ ଆସୁଛି। ଦୟାର ବି ଡାହାଣ ପାର୍ଶ୍ବ ଆମର ଓ ବାମ ପାର୍ଶ୍ବ ନିମାପଡ଼ା ଡିଭିଜନ୍‌ର। ଆମେ ନଦୀର ଜଳସ୍ତର ଓ ନଦୀବନ୍ଧ ଉପରେ ସମ୍ପୂର୍ଣ୍ଣ ନଜର ରଖିଛୁ। ସ୍ବତନ୍ତ୍ର ପାଟ୍ରୋଲିଂ ଟିମ୍‌ ବିର ବୁଲୁଛନ୍ତି। ସବୁ ଉପରେ ଆମର ନଜର ରହିଛି ବୋଲି ଇଂ. ଦଳାଇ କହିଛନ୍ତି। ପରିସ୍ଥିତିକୁ ଦେଖି ଲୋକଙ୍କୁ ଆବଶ୍ୟକ ହେଲେ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି। ଅନ୍ୟପକ୍ଷରେ ଭାର୍ଗବୀ ନଦୀବନ୍ଧର ରୁପଦେଇପୁର ସେକ୍‌ସନର କେତେକ ସ୍ଥାନରେ ବନ୍ଧ ଦୁର୍ବଳ ରହିଛି। ନଦୀବନ୍ଧରେ ପୂର୍ବରୁ ପଡ଼ୁଥିବା ଘଳିଆ ସ୍ଥାନରେ ବାଲିବସ୍ତା ମହଜୁଦ ରଖାଯାଇଛି ବୋଲି ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଦୋରା କହିଛନ୍ତି।