ପୁରୀ ଜିଲ୍ଲାରେ ବନ୍ୟା ମୁକାବିଲାର ପ୍ରସ୍ତୁତି ନେଇ ବୈଠକ

ଲୁଣା ବନ୍ଧ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଗୁରୁତ୍ବ

ଭୁବନେଶ୍ୱର : ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଆଜି ସେଚ ସଦନରେ ଅନୁଷ୍ଠିତ ‌େହାଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ବିଭିନ୍ନ ନଦୀ ତଟର ବିପଦସଙ୍କୁଳ ସ୍ଥାନ ଓ ଲୁଣା ବନ୍ଧର ସ୍ଥିତି ସମ୍ପର୍କରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ନାବାର୍ଡ ଅଧୀନରେ ବିଭିନ୍ନ ଯୋଜନା, ରାଜ୍ୟ ଯୋଜନା ଓ ଗୁରୁତର ରକ୍ଷଣାବେକ୍ଷଣ ଯୋଜନାରେ ଥିବା ବ୍ୟୟ ଅଟକଳ ଓ ଖର୍ଚ୍ଚର ସ୍ଥିତି ସମ୍ପର୍କରେ ଶ୍ରୀ ଦାସବର୍ମା ଜାଣିବାକୁ ଚାହିଁଥିଲେ। ପୁରୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଥିଲେ। ମାଳିସାହି ନିକଟରେ ଭାର୍ଗବୀ ନଦୀ ଉପରେ ପୋଲ ନିର୍ମାଣ ସମ୍ପର୍କରେ ସମୀକ୍ଷା ହୋଇଥିଲା। ପୋଲ କାମକୁ ତୁରନ୍ତ ଶେଷ କରିବା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଥିଲେ।

ସମ୍ପୂର୍ଣ୍ଣ ପୁରୀ ଜିଲ୍ଲା ବିଶେଷ କରି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ନଡ଼ିଆଖିଆ, ପାଇକରାପୁର, ମହିଁଷା ବ୍ରହ୍ମପୁର, ସାତପଡ଼ା, ଖିରିସାହି ଆଦି ଗ୍ରାମରେ ପ୍ରସ୍ତାବିତ ଲୁଣା ବନ୍ଧ ଯୋଜନାକୁ ବୈଠକରେ ଉପସ୍ଥାପନା କରାଯାଇଥିଲା। ଏ ସମ୍ପର୍କରେ ସରକାରଙ୍କ ସହ ପରବର୍ତ୍ତୀ ସମୟରେ ଆଲୋଚନା ହେବ। ସୁନାମୁହିଁ ନଦୀ ପାଇଁ ସ୍ଥାୟୀ ସମସ୍ୟା ଭାବେ ଦେଖାଦେଇଥିବା ମଙ୍ଗଳା ନଦୀର ମୁହାଣ ଖନନର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ଶ୍ରୀ ଦାସବର୍ମା କହିଥିଲେ ଯେ ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ ଓ ପୁରୀ ଡ୍ରେନେଜ୍ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ସୁନାମୁହିଁ ନଦୀ ନିକଟକୁ କ୍ଷେତ୍ର ପରିଦର୍ଶନରେ ଯା’ନ୍ତୁ। ଏହି ନଦୀ ଉପରେ ମୋଟୋ ନିକଟରେ ଏକ ସ୍ଲୁଇସ୍‌ ନିର୍ମାଣର ଜରୁରୀ ଆବଶ୍ୟକତା ଥିବାରୁ ତାହାକୁ ସର୍ବାଧିକ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ। ଦକ୍ଷିଣ କାଣିଆ ନଦୀରେ ଖନନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସେ କହିଥିଲେ। ଭାର୍ଗବୀ, ଦୟା, ଲୁଣା, ରତ୍ନଚିରା ଓ ମକରାର ବନ୍ୟା ଜଳ ନିଷ୍କାସନ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଜଳସମ୍ପଦ ବିଭାଗର ସ‌େର୍ବାଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ମୁଖ୍ୟ ଯନ୍ତ୍ରୀ ଯୁଗଳ କିଶୋର ତ୍ରିପାଠୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର