ଭଦ୍ରକ: ସାଳନ୍ଦୀ ନଦୀର ବନ୍ୟାଜଳରେ ବୁଡ଼ିଲା ଲୋକଙ୍କ ଘର। ଲଗାଣ ବର୍ଷାରେ ନଦୀକୂଳିଆ ଆତଙ୍କିତ। ଲୋକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପ୍ରଶାସନର ଦୃଷ୍ଟିକୁ ଆଣିଲେ ଭଦ୍ରକ ବିଧାୟକ। ଲୋକେ ରାତିରେ ଘରେ ଶୋଇଥିବା ବେଳେ ହଠାତ ଲୋକଙ୍କ ଘର ଭିତରକୁ ପ୍ରବେଶ କରିଥିଲା ବନ୍ୟାଜଳ।

Advertisment

ଗତକାଲି ଭଦ୍ରକ ଜିଲ୍ଲାର ଆଖୁଆ ପଦା ନିକଟରେ ବୈତରଣୀର ଜଳସ୍ତର ବୃଦ୍ଧିପାଇଁ ବିପଦ ସଂକେତ ୧୮.୨୧ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ପରେ ବୈତରଣୀର ଜଳସ୍ତର କମି ଯାଇଥିଲା। ବୈତରଣୀ ଆଜି ସ୍ଥିର ରହିଥିବା ବେଳେ ସାଳନ୍ଦୀ ନଦୀରେ ଜଳସ୍ତର ହଠାତ ବୃଦ୍ଧି ପାଇଛି। ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ଡ୍ୟାମର ଗେଟ ଖୋଲି ଦିଆଗଲା। ହଦଗଡ଼ରୁ ଗେଟ ଖୋଲା ଗଲେ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଠି ହେବ ବୋଲି ଗତକାଲି ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। 

 

ସୂଚନା ଅନୁସାରେ, ରାଜ୍ୟରେ ଗତ କିଛିଦିନ ହେଲା ଲାଗାଣ ବର୍ଷା ଯୋଗୁଁ ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ରାତି ପ୍ରାୟ ୩ଟା ବେଳକୁ ସାଳନ୍ଦୀ ନଦୀରେ ବନ୍ୟାଜଳ ଭଦ୍ରକ ସହର ଓ ବିଭିନ୍ନ ଗାଁ ଭିତରକୁ ପ୍ରବେଶ କରିଥିଲା। ଭଦ୍ରକ ପୌରାଞ୍ଚଳର ୨୮ ନମ୍ବର, ୨୯ ନମ୍ବର ଓ ୩୦ ନମ୍ବର ୱାର୍ଡରେ ଲୋକଙ୍କ ଘରେ ସାଳନ୍ଦୀର ବନ୍ୟାଜଳ ପ୍ରବେଶ କରିବାରୁ ଲୋକଙ୍କର ଘର ଦ୍ବାର ଭାଙ୍ଗିଯାଇଛି। ଲୋକେ ବାଧ୍ୟ ହୋଇ ଅନ୍ୟ ଲୋକଙ୍କ ଘରକୁ ଆଶ୍ରୟ ନେବାକୁ ପଳାଇଥିଲେ। ଲୋକଙ୍କର ଧାନ ଚାଉଳ ସବୁ ବୁଡିଯାଇଛି। କେବଳ ଭଦ୍ରକ ପୌରାଞ୍ଚଳର ଏପରି ବନ୍ୟା ପରିସ୍ଥିତି ସୃଷ୍ଠି ହୋଇନାହିଁ। ଭଦ୍ରକ ବ୍ଲକର ଖଣ୍ଡତଡ଼ା, ବେନ୍ତାଳ ପଞ୍ଚୟରେ ଅନେକ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଛି। 

7a0b9808-6886-437b-8d93-914967bbc879

ଆଜି ସକାଳୁ ସକାଳୁ ଭଦ୍ରକ ସହର ଓ ଭଦ୍ରକ ଗ୍ରାମାଞ୍ଚଳରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଠି ହେବାପରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କର ସମସ୍ୟା ବୁଝିବା ସହ ଭଦ୍ରକ ପୌରପାଳିକାର ପୌର ନିର୍ବାହୀ ଅଧିକାରୀଙ୍କୁ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ କହିଥିବା ବେଳେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକେ କ୍ଷତିଗ୍ରସ୍ତ ହୋଇ ସେମାନଙ୍କୁ ଭେଟି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ସାମଲ ରିଲିଫ ପ୍ରଦାନ କରିଥିବା ବେଳେ ଆଜି ଅପରାହ୍ନରେ ଜିଲ୍ଲାପାଳ ଦିଲୀପ ରାଉତରାୟ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ବିପନ୍ନ ଲୋକଙ୍କୁ ତୁରନ୍ତ ରିଲିଫ ପ୍ରଦାନ କରିବା ପାଇଁ ଓ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଆଜି ଦିନ ତମାମ ଭଦ୍ରକରେ ବର୍ଷା ଲାଗି ରହିଥିବା ବେଳେ ସାଳନ୍ଦୀର ଜଳସ୍ତର ପୁଣି ବୃଦ୍ଧି ପାଇଛି। ଆଜି ରାତିରେ ଅଧିକ ବର୍ଷା ହେଲେ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଇଛି। ସେହିପରି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ, ତିହିଡି ବ୍ଲକ ଓ ଚାନ୍ଦବାଲି ବ୍ଲକ ଦେଇ ପ୍ରବାହିତ ହୋଇଥିବା ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ତିହିଡି ଓ ଧାମନଗର ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଠି ହୋଇଛି। ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ରହିଥିବା ସଂପର୍କରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି। ଅନ୍ୟପକ୍ଷରେ ହଦଗଡ଼ ଡ୍ୟାମରେ ଗେଟ ବନ୍ଦ କରିବା ପାଇଁ ଭଦ୍ରକ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି।