ବୈତରଣୀରେ ମାଡ଼ିଆସୁଛି ବନ୍ୟାଜଳ

ଭଦ୍ରକ/ଭଣ୍ଡାରିପୋଖରୀ-୧/ବସ୍ତା-୨/ଗାନ୍ଧିଛକ : ସପ୍ତାହେ ହେଲା ଅବିଶ୍ରାନ୍ତ ବର୍ଷା। କେତେବେଳେ ଝିପିଝିପି ତ ଆଉ କେତେବେଳେ ଭୀଷଣ ବର୍ଷା ଦେଖୁଛି ଉତ୍ତର ଓଡ଼ିଶା। ଲଗାଣ ବର୍ଷା ଯୋଗୁଁ ଆଖୁଆପଦାଠାରେ ଆଜି ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଶନିବାର ସନ୍ଧ୍ୟା ୭ଟା ସୁଦ୍ଧା ୧୯.୦୭ ମିଟରରେ ପ୍ରବାହିତ ହେଉଥିଲା। ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଶନିବାର ଦିନ ଆଖୁଆପଦା ଆନିକଟ ଓ ବାଲିପୋଖରୀ ଜଳ ନିର୍ଗମନ ପଥ (ଏସ୍‌କେପ୍‌) ପରିଦର୍ଶନ କରି ସମ୍ଭାବ୍ୟ ବନ୍ୟା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ରାତିରେ ଏହି ବାଟ ଦେଇ ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ରହିଥିବାରୁ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ବ୍ଲକର ବିଡିଓ ଓ ତହସିଲଦାରମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବନ୍ୟାପାଣି ତଳିଆ ଅଞ୍ଚଳରେ ପ୍ରବେଶ କଲେ ଗ୍ରାମବାସୀଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରେ‌ ବୋଟ୍‌, ବିପନ୍ନ ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ପଲଥିନ୍ ମହଜୁଦ ରଖାଯାଇଛି ବୋଲି ଜିଲ୍ଲାପାଳ ‘ସମ୍ବାଦକୁ କହିଛନ୍ତି।

ବନ୍ୟାଜଳ ଆଜି ରାତି ସୁଦ୍ଧା ବାଲିପୋଖରୀ ଏସ୍‌କେପ୍ ଦେଇ ତଳିଆ ଅଞ୍ଚଳକୁ ପ୍ରବାହିତ ହେବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ନପଙ୍ଗ, ମାଳଦା, ବାଲିପୋଖରୀ, ବନ୍ଦାଳ ମଢିଆଳି, ଝୁଣ୍ଟୁଣା ଆଦି ପଞ୍ଚାୟତ ସମେତ ଧାମନଗର ବ୍ଲକର ଦିହୁଡ଼ି ଆନନ୍ଦପୁର, ଖଡିପଦା, ଦୋବଲ, କରଦା, ସୋହଡା, ପଧାନୀ, ଦଳାଙ୍ଗ, ଅର୍ଜୁନପୁର, ଧୁଷୁରୀ, କୋଠାର, ବୟାଙ୍ଗଡିହ, ହସନାବାଦ, ପାଳସାହି, ରଇପୁର, ବମକୁରା, କାସିମପୁର, ଅସୁରାଳି ଆଦି ପଞ୍ଚାୟତର ଶତାଧିକ ଗାଁ ଜଳପ୍ଲାବିତ ହେବାର ଆଶଙ୍କା ରହିଛି। ସେପଟେ ବୈତରଣୀର ଅବବାହିକା ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ନାନ୍ଦପୁର ଆଦି ପଞ୍ଚାୟତର ଲୋକେ ଭୟଭୀତ ଅବସ୍ଥା‌ରେ ରହିଛନ୍ତି। ପ୍ରବଳ ବର୍ଷ‌ା ଯୋଗୁଁ ଧାମନଗର ବ୍ଲକର ରାମେଶ୍ବରପୁର ମହାନ୍ତିସାହି ଗେଙ୍ଗୁଟି ନଦୀଠାରେ ପଥର ପ୍ୟାକିଂ ଧସିବାରେ ଲାଗିଛି। ଧାମନଗର ବ୍ଳକରେ ପ୍ରବାହିତ ରେବ ଓ କପାଳି ନଦୀରେ ମଧ୍ୟମଧରଣର ବନ୍ୟା ଆସିଛି। ଫଳରେ ଫତେପୁର, ଅସୁରାଳି, କାଶିମପୁର, କଟସାହି, ଖପରପଦା, କୋଠାର, ଧୂଷୁରୀ, ହଂସପୁର, ସାହୁସାହ, ଲେଞ୍ଜରା, ବାଙ୍କସାହି, ଖୋପାସାହି, ତୋରବନ୍ତିଆ, ହାତିଆପଡ଼ା, ଶ୍ରୀଗଙ୍ଗା ଆଦି ପଞ୍ଚାୟତର ବହୁ ଚାଷଜମି ଜଳମଗ୍ନ ହୋଇଯାଇଛି। ସେହିପରି ପତ୍ରିସାହି-ବାଙ୍କସାହି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା ଗମନାଗମନ ବାଧାପ୍ରାପ୍ତ ହୋଇଛି।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲାର ଜଳକା ଓ ସୁବର୍ଣ୍ଣରେଖା ନଦୀ ମଧ୍ୟ ଫୁଲିବାରେ ଲାଗିଛି। ବସ୍ତା ବ୍ଲକ ମଥାନୀ ନିକଟରେ ଜଳକାର ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଶନିବାର ରାତି ୮ଟା ସୁଦ୍ଧା ଏଠାରେ ଜଳସ୍ତର ୬.୩୨ ମିଟରରେ ପହଞ୍ଚିଥିଲା। ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୬.୯୪ ମିଟର ରହିଛି। ତେବେ ଜାମଶୋଳାଘାଟରେ ବିପଦ ସଙ୍କେତ ୪୬.୧୮ ମିଟର ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ରାତିରେ ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ଏଡ଼ାଇ ଦିଆଯାଇନପାରେ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଜଳକା ନଦୀର ତଳିଆ ଅଞ୍ଚଳ ମଥାନୀ, କୁଡ଼ିଆ, ଚକୁରାଇ ପଞ୍ଚାୟତର ବହୁ ଗାଁ ଲୋକ ସମ୍ଭାବ୍ୟ ବନ୍ୟାକୁ ନେଇ ଆତଙ୍କିତ ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର