ଉଚ୍ଛେଦର ୬ ଦିନରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ

ସମତୁଲ ହେଲା ଏମାର ମଠ ଜାଗା, ମାପଚୁପ ପରେ ପଡ଼ିଲା ବାଲି, ଟାଇଲ୍

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅଭିଯାନର ୬ ଦିନ ଭିତରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ବାର ସମ୍ମୁଖ ଏମାର ମଠ ଜାଗାକୁ ସମତୁଲ କରାଯାଇ ଟାଇଲ୍ ବିଛା କାମ ଆରମ୍ଭ ହୋଇଛି। ପୂର୍ତ ବିଭାଗ ପକ୍ଷରୁ ଏମାର ମଠର ଏହି ଜାଗାରୁ ଭଗ୍ନାବଶେଷ ହଟାଯିବା ପରେ ଆଜି ମାପଚୁପ ସହ ବାଲି, ଟାଇଲ୍ ଆଦି ବିଛା ଯାଇଛି। ଏହି କାମରେ ଏକାଧିକ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ବିହାରରୁ ଆସିଥିବା ଶ୍ରମିକମାନଙ୍କୁ ଟାଇଲ୍ ବିଛାରେ ଲଗାଯାଇଛି। ଏହି କାମ ଶେଷ ହେବା ପରେ ଯାତାୟାତ ସୁଗମ ହେବା ସହ ସିଂହଦ୍ବାର ସମ୍ମୁଖରେ ଲକ୍ଷ ଲକ୍ଷ ଭକ୍ତ ଛିଡ଼ା ହୋଇ ଶ୍ରୀମନ୍ଦିର ଓ ପତିତପାବନଙ୍କୁ ନିର୍ବିଘ୍ନରେ ଦର୍ଶନ କରିପା‌ରିବେ।

ଦୁଇ ଦିନ ପୂର୍ବରୁ ଏମାର ମଠର ଏହି ଜାଗାରେ ଚାରିମହଲା କୋଠା ଠିଆ ହୋଇଥିଲା। ୧୦ରୁ ଅଧିକ ଦୋକାନ ଘର ସହ ବ୍ରିଟିସ୍‌ ଅମଳର ରଘୁନନ୍ଦନ ପାଠାଗାର ବି ଥିଲା। ଏହାକୁ ଭାଙ୍ଗି ଦିଆଯିବା ପରେ କୋଠାର ଭଗ୍ନାବଶେଷଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ମଠ ପଛପାର୍ଶ୍ବରେ ଥିବା ପୁରୁଣା କୋଠାର ଭଗ୍ନାଂଶକୁ ପଛପାର୍ଶ୍ବ ମଠ ଜାଗାରେ ପକାଯାଇ ସମତୁଲ କରାଯାଇଛି। ସେହିପରି ସିଂହଦ୍ବାର ସମ୍ମୁଖରେ ରଘୁନନ୍ଦନ ପାଠାଗାର ଓ ଅନ୍ୟାନ୍ୟ ଦୋକାନ ଘର ଥିବା ଜାଗାକୁ ବଡ଼ଦାଣ୍ଡ ସହ ସମତୁଲ କରାଯାଇଛି। ଆଜି ଏକାଧିକ ଜେସିବି ଦ୍ବାରା ମାଟି, ଗୋଡ଼ି ଆଦିକୁ ସମତୁଲ କରାଯିବା ପରେ ସଂଧ୍ୟାରେ ଟାଇଲ୍ ବିଛା ଆରମ୍ଭ ହୋଇଛି। ଏଥି ପାଇଁ ଆଜି ବଡ଼ ବଡ଼ ଟ୍ରକରେ ଟାଇଲ୍ ଆସି ସିଂହଦ୍ବାର ସମ୍ମୁଖରେ ଗଦା ହୋଇଛି। ଏହିଠାରୁ ସୌନ୍ଦର୍ଯ୍ୟୀକରଣ କାମର ଭିତ୍ତିପ୍ରସ୍ତର ପଡ଼ିଥିବା ବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ଜାଗାର ‌ଉନ୍ନତୀକରଣ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟର ତତ୍ତ୍ବାବଧାନ କରିଛନ୍ତି।

ସମ୍ବନ୍ଧିତ ଖବର