ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଗୌଣିଘସା ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ଦମୟନ୍ତୀ ରାଉତ ପାଇବେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ସମ୍ମାନ-୨୦୨୧। ଏହି ସମ୍ମାନ ଦେଶର ରାଷ୍ଟ୍ରପତି ପ୍ରଦାନ କରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ପତ୍ର ସଂଖ୍ୟା (୧୧୧୬୨/୨୧-୫-୨୦୨୨)ରେ ଦର୍ଶାଯାଇଛି। ତେବେ କେଉଁଦିନ ସମ୍ମାନ ପ୍ରଦାନ କରାଯିବ ତାହାର ତାରିଖ ଧାର୍ଯ୍ୟ ହୋଇନଥିବା ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ମହିଳା ସ୍ୱାସ୍ଥ୍ୟକର୍ମୀ ଦମୟନ୍ତୀ ୧୯ ବର୍ଷ ହେଲା ଗୌଣିଘସା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି।
ଗୌଣିଘସା ପଞ୍ଚାୟତ ହରିଚନ୍ଦନପୁର ବ୍ଲକ୍ର ଏକ ଦୁର୍ଗମ ଅଞ୍ଚଳ। ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉପରେ ୫୫୦୦ ଲୋକ ନିର୍ଭର କରୁଛନ୍ତି। ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ଅନୁସୂଚିତ ଜନଜାତି ବର୍ଗର। ପଞ୍ଚାୟତର ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯିବାପାଇଁ ସବୁଦିନିଆ ରାସ୍ତା ନାହିଁ। ଦମୟନ୍ତୀ ସାଇକଲ ନଚେତ ଚାଲିଚାଲି ନଦୀନାଳ ଅତିକ୍ରମ କରି ଲୋକଙ୍କୁ ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଟିକାଦାନ, ପୁରୁଷ ବନ୍ଧ୍ୟାକରଣ, ସ୍ୱଚ୍ଛ ଭାରତ ଅଭିଯାନ, ଦମନ, କରୋନା ସଚେତନତା କାର୍ଯ୍ୟକ୍ରମ ସୁଚାରୁରୂପେ କରିଆସୁଛନ୍ତି ଦମୟନ୍ତୀ।