ହୀରାକୁଦ ଜଳଭଣ୍ଡାରରେ ଭାସମାନ ରେସ୍ତୋରାଁ

ବୁର୍ଲା,: ହୀରାକୁଦର ନୀଳ ଜଳରାଶିରେରେ ଭାସିବେ। ଆଉ ଭାସୁଥିବା ଅବସ୍ଥାରେ ନେବେ ସୁସ୍ବାଦୁ ଖାଦ୍ୟର ମଜା। ନୀଳ ଜଳରାଶିକୁ ଢ଼େଉ, ସୁଲୁସୁଲିଆ ସୁଶୀତଳ ତାଜା ପବନ, ଦୂର ଦିଗ୍‌ବଳୟରେ ସୂର୍ଯ୍ୟାସ୍ତର ଦୃଶ୍ୟ, ଜଳରାଶି ଭିତରୁ ପାହାଡ଼ର ସବୁଜ ବନାନୀ। ଏମିତି ପ୍ରାକୃ୍ତିକ ଦୃଶ୍ୟ ଭିତରେ ନିଜକୁ ହଜାଇ ଦେଉଥିବା ବେଳେ ଉପଭୋଗ କରୁଥିବେ ମୃଦୁ ପାନୀୟର ଆନନ୍ଦ। ଏହା କେବଳ ଏକ ବର୍ଣ୍ଣନା ନୁହେଁ ଏହା ବାସ୍ତବରେ ପରିଣତ ହେବା ଆରମ୍ଭ ହୋଇଛି। ପର୍ଯ୍ୟଟକଙ୍କୁ ଏମିତି ପର୍ଯ୍ୟଟନର ଆନନ୍ଦ ଦେବାକୁ ସୁଯୋଗ ସୃଷ୍ଟି କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ବିଭାଗର ଅନୁମୋଦନ କ୍ରମେ ଏବେ ଜଳ ରାଶିରେ ଭିତରେ ଆରମ୍ଭ ହୋଇଛି ‘ଭାସନ୍ତା ରୋସ୍ତାରାଁ’। ରାଜ୍ୟ ପର୍ଯ୍ୟଟନ ବିଭାଗର ଅନୁମୋଦନ କ୍ରମେ ବୋଟିଂ ସେବା ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥା ଦ୍ୱାରା ଏହି ଫ୍ଲୋଟିଂ ରେସ୍ତୋରାଁ (ଭାସମାନ ରେସ୍ତୋରାଁ) ସେବା ମଧ୍ୟ ପରିଚାଳିତ ହେବ।

ହୀରାକୁଦ ଜଳଭଣ୍ଡାରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷପ ହାତକୁ ନେଉଛି। ହୀରାକୁଦ ଜଳଭଣ୍ଡାରରେ ଗତ ବର୍ଷଠାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁମତି କ୍ରମେ ଏକ ଘରୋଇ ସଂସ୍ଥା ଦ୍ୱାରା ପ୍ରଥମେ ବୋଟିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସଂସ୍ଥା ଦ୍ୱାରା ଗତ ମାସ ୩ ତାରିଖରେ  କ୍ରୁଜ୍ ବୋଟିଂ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି। ଶୁକ୍ରବାରଠାରୁ ଫ୍ଲୋଟିଂ ରେସ୍ତୋରାଁ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଏହି ବ୍ୟବସ୍ଥାକୁ ଉଦ୍‌ଘାଟନ କରାଯାଇଛି।

ଏହି ରେସ୍ତୋରାଁ କୂଳରୁ ୩ ଶହ ମିଟର ଦୂରରେ ଅବସ୍ଥାପିତ ହୋଇଛି। ତେବେ ପର୍ଯ୍ୟଟକଙ୍କୁ ସଂସ୍ଥା ନିଜର ବୋଟରେ ନେଇ ଉକ୍ତ ରେସ୍ତୋରାଁରେ ଛାଡିବ। ପର୍ଯ୍ୟଟକ ସେଠାରେ ମଜା ନେଇ ସାରିବା ପରେ ପୁଣି ସେହି ବୋଟ୍ କୂଳକୁ ଆଣିବ ବୋଲି ପରିଚାଳନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ତେବେ ଏଥି ପାଇଁ ଜଣେ ପର୍ଯ୍ୟଟକଙ୍କ ପିଛା ୨ ଶହ ଟଙ୍କା ଫି’ ରାଖାଯାଇଛି। ଏଥିରେ ବୋଟ୍‌ରେ ନେବା ଆଣିବା ସହିତ ଏକ ମକ୍‌ଟେଲ୍ ଫ୍ରିରେ ଦିଆଯିବ ବୋଲି  ସୂଚନା ମିଳିଛି। ଏହି ରେସ୍ତୋରଁାରେ ସମସ୍ତ ପ୍ରକାର ମକ୍‌ଟେଲ୍, ଲସି, ମୃଦୁ ପାନୀୟ ସହିତ ଷ୍ଟାର୍ଟର୍‌ ଆଇଟମ ରହିବ। ପର୍ଯ୍ୟଟକ ଯାହା ଖାଇବା ପାଇଁ ଇଚ୍ଛା ପ୍ରକାଶ କରିବେ ତାହା ଆଗୁଆ ଅର୍ଡର୍ କରିବେ ବୋଲି ନିୟମ କରାଯାଇଛି। ଏହି ରେସ୍ତୋରାଁରେ ଏକା ସାଙ୍ଗରେ୨୦ ଜଣଙ୍କ ବସିବା ସୁବିଧା ରହିଛି। ତେବେ ବର୍ତ୍ତମାନ ଖରାଦିନ ଯୋଗୁଁ ଅପରାହ୍‌ଣ  ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହା  ଖୋଲା ରହିବ। ପରବର୍ତ୍ତୀ ସମୟରେ ଏହା ପୂର୍ବାହ୍ନ ୧୦ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଶେଖ ଅସିମ ବଖସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର