ଭୁବନେଶ୍ବର: ଖୋଲା ବଜାରରେ ୨୭.୫୦ ଟଙ୍କାରେ ମିଳିବ ଭାରତ ଅଟା। ପ୍ରଥମ ସପ୍ତାହରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଫସିଆଇକୁ କ୍ବିଣ୍ଟାଲ ପିଛା ୨୧.୫୦ ଟଙ୍କାରେ ୨.୫ ଲକ୍ଷ ମେଟ୍ରିକ ଟନର ଗହମ ଦିଆଯାଇଛି। ନାଫେଡ଼, ମାର୍କଫେଡ଼, କେନ୍ଦ୍ରୀୟ ଭଣ୍ଡାର, ଏନସିସିଏଫ ଜରିଆରେ ଏହା ଅଟାରେ ପରିଣତ କରାଯାଇ ଖୋଲା ବଜାରରେ ବିକ୍ରି କରାଯିବ। ମୋବାଇଲ ଗାଡ଼ି ଜରିଆରେ ଏହାର ବିକ୍ରି ହେବ। ପରବର୍ତ୍ତୀ ସମୟରେ ଚାହିଦାକୁ ଦୃଷ୍ଟିରେ ରଖି ଗହମ ଯୋଗାଣ କରାଯିବା ନେଇ ଏଫସିଆଇ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହାପ୍ରବନ୍ଧକ ପ୍ରେମ ସିଂ, ଉପମହାପ୍ରବନ୍ଧକ ସଞ୍ଜୀବ କୁମାର ଏବଂ ଅନୀଲ ଢିଲନ। ବର୍ତ୍ତମାନ ଖୋଲା ବଜାରରେ କିଲୋ ପ୍ରତି ୪୦ରୁ ଉର୍ଧ୍ବ ଟଙ୍କାରେ ଅଟା ବିକ୍ରିକୁ ନେଇ ଏଭଳି ପଦକ୍ଷେପ ଗ୍ରହଣ ହୋଇଛି।
ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ଦେଶରେ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣରେ ଅଟା ରହିଛି। ଓଡ଼ିଶା ଭଳି ରାଜ୍ୟ ପାଇଁ ମଧ୍ୟ ଏହା ଉପଲବ୍ଧ ରହିଛି। ଏଫସିଆଇ ଠାରୁ ଗହମ ନେଉଥିବା ଅଟାଚକି କିମ୍ବା ମିଲ ୨୭.୫୦ ଟଙ୍କାରୁ ଅଧିକ ଦରରେ ବିକ୍ରି କରିପାରିବେ ନାହିଁ ଏଥିପାଇଁ ଦୃଷ୍ଟି ଦିଆଯାଉଛି। ଯେଉଁ ବ୍ୟବସାୟୀମାନେ ଏହାର କଳାବଜାରୀ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିସହିତ ମଇଦା, ସୁଜିର କଳାବଜାର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ପ୍ରତି ସପ୍ତାହରେ ଉଚ୍ଚସ୍ତରରେ ସମୀକ୍ଷା ବୈଠକ ହେବ। ବେଆଇନ ଜମାକୁ ନେଇ ଏଫସିଆଇ ଏବଂ ରାଜ୍ୟ ସରକାରଙ୍କ ନିୟମିତ ଯାଞ୍ଚ କରୁଛନ୍ତି। କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏଭଳି କରୁଥିବା ଜଣାପଡ଼ିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଅଧିକରୁ ଅଧିକ ମିଲ ଏଫସିଆଇ ଠାରୁ ଗହମ କ୍ରୟ କରି ଖୋଲା ବଜାରରେ ରିହାତି ଦରରେ ବିକ୍ରି ପାଇଁ ମଧ୍ୟ ଆହ୍ବାନ କରାଯାଇଛି।