ଖୋଲା ବଜାରରେ ଅଟା ଦର ଖସିବ, ମିଲର ବିକିବେ ୨୯.୫ ଟଙ୍କାରେ ଅଟା

ଭୁବନେଶ୍ବର : ଖୋଲା ବଜାରରେ ଅଟା କିଲୋଗ୍ରାମ ପିଛା ୨୯.୫୦ ଟଙ୍କାରେ ଉପଲବ୍ଧ ହେବ। କେନ୍ଦ୍ର ସରକାରଙ୍କ ନିର୍ଦେଶ ପରେ ଏଥିପାଇଁ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଓଡ଼ିଶା ପକ୍ଷରୁ ୪୬ହଜାର ମେଟ୍ରିକ ଟନ୍‌ ଗହମର ଟେଣ୍ଡର କରାଯାଇଛି। ବଜାରରେ ଚଢ଼ା ଦର‌ରେ ବିକ୍ରି ହେଉଥିବା ଅଟାକୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଏଫ୍‌ସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମିଲରଙ୍କ ପାଇଁ ଟେଣ୍ଡରରେ କ୍ବିଣ୍ଟାଲ ପିଛା ୨୩୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ମିଲିଂ ପରେ ସେମାନେ ଏହାକୁ କ୍ବିଣ୍ଟାଲ ପିଛା ୨୯୫୦ ଟଙ୍କାରେ ବିକ୍ରି କରିପାରିବେ। ଜଣେ ମିଲର ବ‌ାର୍ଷିକ ସର୍ବାଧିକ ୩ହଜାର ମେଟ୍ରିକ୍ ଟନ୍‌ ଗହମ ଉଠାଇପାରିବେ। ତେବେ ଛୋଟ ବ୍ୟବସାୟୀ(ଅଟା ଚକି)ଙ୍କ ପାଇଁ ଏଭଳି କୌଣସି ନିୟମ ଲାଗୁ ହେବନାହିଁ। ସେମାନେ ବିନା ଟେଣ୍ଡରରେ ଏଫ୍‌ସିଆଇରୁ କ୍ବିଣ୍ଟାଲ ପିଛା ୨୩୫୦ ଟଙ୍କାରେ ଗହମ ନେବା ପରେ ୨୯୫୦ ଟଙ୍କାରେ ବିକ୍ରି କରିବେ। ଓଡ଼ିଶାକୁ ଗହମ ମୁଖ୍ୟତଃ ପଞ୍ଜାବ ଓ ହରିୟାନାରୁ ଆସୁଥିବା ବେଳେ ଏହାର ଗମନାଗମନ ଖର୍ଚ୍ଚ ମିଲରଙ୍କୁ ଦେବାକୁ ପଡ଼ିବ। ଏଫ୍‌ସିଆଇର ଜଣେ ଅଧିକାରୀଙ୍କ କହିବା କଥା ପ୍ରଥମ ପର୍ଯ୍ୟାୟରେ ୪୬ହଜାର ମେଟ୍ରିକ୍ ଟନ୍‌ ଗହମର ଟେଣ୍ଡର କରାଯାଇଛି। ଯଦି ମିଲରମାନେ ଆହୁରି ଅଧିକ ଗହମ କିଣିବା ପାଇଁ ଆସିବେ ତାହାଲେ ସେମାନଙ୍କୁ ଆହୁରି ଅଧିକ ଦିଆଯିବ। ମାର୍ଚ ମାସ ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟାରେ ସେମାନେ ଗହମ କିଣିପାରିବେ। ତେବେ ଛୋଟ ବ୍ୟବସାୟୀଙ୍କ କ୍ଷେତ୍ରରେ ଏହା ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର