କେନ୍ଦୁଝର : କରୋନା ପାଇଁ ଘର ଭିତରେ ବନ୍ଦୀ ହୋଇରହିଛନ୍ତି ଲୋକେ। ଠିକ୍ ସେମିତି ବଗିଚାର ଚଉହଦୀରେ ବନ୍ଦୀ ଅବସ୍ଥାରେ ରହିଛି ଫୁଲର ସମ୍ଭାର। ସେଇଠି ଫୁଟୁଛନ୍ତି, ସେଇଠି ମଉଳୁଛନ୍ତି। ହେଲେ, ସେହି ଫୁଲକୁ ତୋଳିଆଣିବାକୁ କେହି ନାହାନ୍ତି କି ସେମାନଙ୍କ ରୂପସମ୍ଭାର ମେଲାଇବା ପାଇଁ ବଜାର ନାହିଁ। ମାତ୍ର, ଫୁଲକୁ ନ ଛୁଇଁବାର ଦୁଃଖରେ ରହିଛନ୍ତି ଉଭୟ ଚାଷୀ ଓ ବ୍ୟବସାୟୀ।
ଏହି ଚାଷୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି, କେନ୍ଦୁଝର ସଦର ବ୍ଲକ୍ ବାଉରୀପଦା ପଞ୍ଚାୟତ କୁଶପଦା ଗ୍ରାମର ଫୁଲଚାଷୀ ଗୋପବନ୍ଧୁ ମହାନ୍ତ। ଗୋପବନ୍ଧୁଙ୍କ କହିବା ଅନୁଯାୟୀ, ଲକ୍ଡାଉନ୍ ପରେ ଆଉ ଗଛରୁ ଫୁଲ ତୋଳା ହୋଇନାହିଁ। ବଜାର ବନ୍ଦ, ବେପାରୀ ନେଲେ ମଧ୍ୟ କେଉଁଠି ବିକ୍ରି କରିବେ? ତେଣୁ ଫୁଲ ଗଛରେ ଫୁଟି ଶେଷରେ ମଉଳି ଝଡ଼ିପଡ଼ୁଛି। ବର୍ତ୍ତମାନ ତାଙ୍କ ବଗିଚାରେ ପ୍ରାୟ ୪ ହଜାର ଗଛରେ ଗେଣ୍ଡୁଫୁଲ ଫୁଟିଛି। ପୂର୍ବରୁ ସେ ପ୍ରତିଦିନ ୪୦ରୁ ୫୦ କେଜି ଫୁଲ ତୋଳି ବିକ୍ରି କରୁଥିଲେ। କେଜି ପ୍ରତି ୪୦ ଟଙ୍କା ହିସାବରେ ଦିନକୁ ସେ ୧୫ ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ। ହେଲେ ବର୍ତ୍ତମାନ ବ୍ୟବସାୟ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଫୁଲ ଚାଷ ପାଇଁ ସେ କୋଲକାତାରୁ ଗେଣ୍ଡୁଫୁଲ ଚାରା ଆଣି ଲଗାଇଥିଲେ। ଚାଷରେ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିବା ସହ ସେ ନିଜେ ଶ୍ରମଦାନ କରିଥିଲେ। ବଗିଚାରେ ଭଲ ଫୁଲ ଫୁଟିଛି। ହେଲେ କରୋନା ସବୁକିଛି ଉଜାଡ଼ି ଦେଇଛି ବୋଲି ଗୋପବନ୍ଧୁ କହିଛନ୍ତି। ପଣା ସଂକ୍ରାନ୍ତି ବେଳେ ସେ ପ୍ରାୟ ୨ କୁଇଣ୍ଟାଲ ଗେଣ୍ଡୁ ଓ ଅନ୍ୟାନ୍ୟ ଫୁଲ ବିକ୍ରି କରି ଲଭବାନ ହେଉଥିଲେ। ଲୋକେ ନିଜ ଘରେ ମାଟିଆ ପୂଜା କରିବା ସହ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଫୁଲ କିଣି ନେଉଥିଲା। ସେହିପରି ବିଭିନ୍ନ ହନୁମାନ ମନ୍ଦିରକୁ ସଜାଇବା ପାଇଁ ଶ୍ରଦ୍ଧାଳୁମାନେ ପ୍ରଚୁର ପରିମାଣର ଫୁଲ କିଣୁଥିଲେ। କରୋନାପାଇଁ ଚଳିତ ବର୍ଷ ପୂଜାର୍ଚ୍ଚନା ଆଉ ଆଡ଼ମ୍ବରପୂର୍ଣ୍ଣ ହେବ ନାହିଁ। ଫୁଲ ମଧ୍ୟ ବିକ୍ରି ହେବ ନାହିଁ ବୋଲି ଗୋପବନ୍ଧୁ ପ୍ରକାଶ କରିଛନ୍ତି।
କେବଳ ଫୁଲଚାଷୀ ନୁହଁନ୍ତି ଫୁଲ ଦୋକାନୀଙ୍କ କାରବାର ମଧ୍ୟ ବନ୍ଦ ହୋଇଯାଇଛି। କେନ୍ଦୁଝର ସହରକୁ ମୁଖ୍ୟତଃ କୋଲକାତା ବସ୍ରେ ଫୁଲ ଆସିଥାଏ। ହେଲେ ଲକ୍ଡାଉନ୍ ପାଇଁ ବସ୍ ଚଳାଚଳ ବନ୍ଦ ଥିବାରୁ ଫୁଲ ଦୋକାନ ମଧ୍ୟ ବନ୍ଦ ହୋଇଯାଇଛି। ଦୋକାନୀମାନେ ପୂର୍ବରୁ ଯାହା ରୋଜଗାର କରିଥିଲେ ତାହା ସରିବାକୁ ବସିଲାଣି। ବର୍ତ୍ତମାନ ପରିବାର କିପରି ଚଳାଇବେ ତାକୁ ନେଇ ମୁଣ୍ଡରେ ଚଡ଼କ ପଡ଼ିଲାଣି ବୋଲି ଫୁଲ ଦୋକାନୀ ରାଜେଶ ତ୍ରିପାଠୀ କହିଛନ୍ତି। ଫୁଲଚାଷୀ ଓ ଦୋକାନୀଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବା ସହ ସହାୟତା କରିବାକୁ ରାଜେଶ ନିବେଦନ କରିଛନ୍ତି। ସେହିପରି କେନ୍ଦୁଝର ସହର ବାସିନ୍ଦା ପାର୍ଥସାରଥି ସାହୁଙ୍କ କହିବା ଅନୁଯାୟୀ, ଘରେ ଠାକୁର ପୂଜାପାଇଁ ସବୁଦିନ ସେ ବଜାରରୁ ଫୁଲ କିଣୁଥିଲେ। ଲକ୍ଡାଉନ୍ ଯୋଗୁଁ ଦୋକାନ ବନ୍ଦ ଥିବାରୁ ଠାକୁର ପୂଜାପାଇଁ ଫୁଲ ପାଉନାହାନ୍ତି ବୋଲି ସେ କହିଛନ୍ତି।