ବାରିପଦା (ଶ୍ରୀକାନ୍ତ ସାହୁ): ମୟୂରଭଞ୍ଜବାସୀଙ୍କ ଚିନ୍ତା ବଢ଼ାଉଛି ଅଧିକ ଫ୍ଲୋରାଇଡ୍‌ ଯୁକ୍ତ ପାଣି। ଜିଲ୍ଲାର ବହୁ ଅଞ୍ଚଳରେ ଭୂତଳ ଜଳରେ ଫ୍ଲୋରାଇଡ୍‌ ସ୍ତର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଓ ବିଆଇଏସ୍‌ର ସୁରକ୍ଷିତ ସୀମାଠାରୁ ବହୁତ ଉପରେ ରହିଛି। ଯେଉଁଥି ପାଇଁ ଲୋକମାନେ ଦାନ୍ତରୋଗ, ହାଡ଼କ୍ଷୟ ଭଳି ରୋଗରେ ପଡ଼ୁଛନ୍ତି। ବିଶେଷକରି ପିଲାମାନଙ୍କ ଦାନ୍ତର ରଙ୍ଗ ବଦଳିଯିବା, ଅସମୟରେ ଦାନ୍ତ ଭାଙ୍ଗିବା ଭଳି ସମସ୍ୟା ଭୋଗୁଛନ୍ତି। ସେହିପରି, ବୟସ୍କମାନେ ଗଣ୍ଠି ଯନ୍ତ୍ରଣା, ହାଡ଼ରେ ହଠାତ୍‌ ବିକୃତି, ସ୍ନାୟୁଗତ ରୋଗର ସମ୍ମୁଖୀନ ହେଉଛନ୍ତି।

Advertisment

କପ୍ତିପଦା, ଠାକୁରମୁଣ୍ଡା ଓ ରରୁଆଁ ପାଇଁ ହାଇଆଲର୍ଟ
ବାରିପଦା ପାଇଁ ମଧ୍ୟ ସମସ୍ୟା ଆଣିଛି ଅସୁରକ୍ଷିତ ପାନୀୟ ଜଳ
ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକ

ବଣ ଜଙ୍ଗଲ, ନଦୀନାଳ ଭରା ମୟୂରଭଞ୍ଜ ଜିଲ୍ଲାର ଭୂତଳ ଜଳରେ ଅଧିକ ପରିମାଣର ଫ୍ଲୋରାଇଡ୍‌ ରହିଛି। ବିଶେଷକରି, କପ୍ତିପଦା, ଠାକୁରମୁଣ୍ଡା, ରରୁଆଁ ଓ ବାରିପଦାର କିଛି ଅଞ୍ଚଳରେ ଫ୍ଲୋରାଇଡ୍ ସ୍ତର ଅନୁମୋଦିତ ସୀମା ଅତିକ୍ରମ କରିଛି। ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ। ୨୦୨୪ ଡିସେମ୍ବରରେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ରିପୋର୍ଟ ଅନୁସାରେ, ଜିଲ୍ଲାର କେତେକ ଅଞ୍ଚଳରେ ‌ଫ୍ଲୋରାଇଡ୍‌ ସ୍ତର ୨୦.୩ ଏମ୍‌ଜି/ଲିଟର ପର୍ଯ୍ୟନ୍ତ ପହଞ୍ଚିଛି। ଯାହାକି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ବିଆଇଏସ୍‌ର ସୁରକ୍ଷିତ ସୀମା ୧.୫ ଏମ୍‌ଜି/ଲିଟର ଠାରୁ ବହୁ ଅଧିକ।  ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି କପ୍ତିପଦା: ୨୦.୩ ଏମ୍‌ଜି/ଲିଟର ପର୍ଯ୍ୟନ୍ତ (ଅତ୍ୟଧିକ), ଠାକୁରମୁଣ୍ଡା: ୫-୧୫ ଏମ୍‌ଜି/ଲିଟର (ଅଧିକ), ରରୁଆଁ : ୪-୧୨ ଏମ୍‌ଜି/ଲିଟର (ଅଧିକ) ଓ ବାରିପଦା (କିଛି ଅଞ୍ଚଳ): ୨.୫-୮ ଏମ୍‌ଜି/ଲିଟର (ମଧ୍ୟମ) ରହିଛି। ଫ୍ଲୋରାଇଡ୍ ସ୍ତର କପ୍ତିପଦାରେ ୨୦.୩ ଏମ୍‌ଜି/ଲିଟର ଥିବାବେଳେ ଠାକୁରମୁଣ୍ଡାରେ ୧୫ ଏମ୍‌ଜି/ଲିଟର ପର୍ଯ୍ୟନ୍ତ ରହିଛି। ଯାହାକି, ପାନୀୟ ଉପଯୋଗୀ ନୁହେଁ। ଏହି ଫ୍ଲୋରାଇଡ୍‌ ମିଶାପାଣି ପିଇ ବହୁଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅନ୍ୟ ଏକ ସୂଚନା ଅନୁସାରେ, କପ୍ତିପଦାରେ ୧୨୦୦ ଜଣ ଲୋକ ଅତ୍ୟଧିକ ପ୍ରଭାବିତ ହୋଇଥିବା ବେଳେ ଠାକୁରମୁଣ୍ଡାରେ ୯୫୦ ଜଣ, ରରୁଆଁରେ ୮୦୦ ଜଣ ଓ ବାରିପଦାରେ ୬୦୦ ଜଣ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।  

ବାରିପଦାର କଳିଙ୍ଗ କେଶରୀ ଜେନା କହିଛନ୍ତି, ଅଧିକାଂଶ ଗ୍ରାମବାସୀ ଜାଣନ୍ତି ନାହିଁ ଯେ ସେମାନଙ୍କର ପିଇବା ପାଣି ବିଷାକ୍ତ। ପ୍ରତ୍ୟେକ ଘରକୁ ନିରାପଦ ପିଇବା ପାଣି ଯୋଗାଇବାକୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ବୋଲି ସେ କହିଛନ୍ତି। ସିଡିଏମ୍‌ଓ ପ୍ରଭାତ କୁମାର ବେହେରା ମଧ୍ୟ ପିଇବା ପାଣି ପାଇଁ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଆମେ ବହୁ ଲୋକଙ୍କର ଅସ୍ଥି କ୍ଷୟ ସହ ଦାନ୍ତରେ ଫ୍ଲୁଓରୋସିସ୍‌ ସମସ୍ୟା ଥିବା ଲକ୍ଷ୍ୟ କରୁଛୁ। ଅନେକ ବୟସ୍କ ଲୋକଙ୍କର ଚାଲିବାରେ ଅସୁବିଧା ହେଉଛି, ଯୁବକ ଅବସ୍ଥାରେ ଭାଙ୍ଗୁଥିବା ହାଡ଼ ଯୋଡ଼ି ହେବାରେ ସମସ୍ୟା ହେଉଥିବା ଦେଖିବାକୁ ପାଉଛୁ ବୋଲି ସେ କହିଛନ୍ତି। ୱାଟ୍‌କୋର ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଛନ୍ତି ଯେ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ନିରାପଦ ପିଇବା ପାଣି ଯୋଗାଣ ପାଇଁ ପ୍ରୟାସ ଚାଲିଛି। କପ୍ତିପଦା, ଠାକୁରମୁଣ୍ଡା, ରରୁଆଁ ଓ ବାରିପଦାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ‌ଫ୍ଲୋରାଇଡ୍‌ ସ୍ତର ଅଧିକ ରହୁଛି। ସମସ୍ତ ପ୍ରଭାବିତ ବ୍ଲକ୍‌ରେ ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ଏକ ନକ୍ସା ପ୍ରସ୍ତୁତ କରୁଛୁ। ଏହା ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।