ଭଦ୍ରକ ଷ୍ଟେସନ ରେଳ ଫ୍ଲାଏ ଓଭରବ୍ରିଜ୍ କାମ ଆରମ୍ଭ : ଆପ୍ରୋଚରୋଡ ଟେଣ୍ଡର ପାଇଁ ପୁଣି ଦିନ ଗଡାଇଲା ପୂର୍ତ୍ତ ବିଭାଗ, ଆନ୍ଦୋଳନ ପାଇଁ ଡାକରା ଦେଲେ ପୂର୍ବତନ ବିଧାୟକ

ଭଦ୍ରକ : ଭଦ୍ରକ ଜିଲ୍ଲାବାସୀଙ୍କର ବହୁଦିନ ଦାବି ଚରମ୍ପା ରେଳ ‌ଷ୍ଟେସନର ବାମପାର୍ଶ୍ବ ପଥରକାଳୀସାହି ଲେବୁଲ କ୍ରସିଂ ରାସ୍ତାରେ ଫ୍ଲାଏ ଓଭର ବ୍ରିଜ୍ ଓ ନୂତନ ସର୍ଭିସ୍ ରୋଡ ନିର୍ମାଣ ପାଇଁ ଚରମ୍ପା ଅଞ୍ଚଳବାସୀ ଦୀର୍ଘ ବର୍ଷ ଧରି ଆନ୍ଦୋଳନ କରିବା ପ‌ରେ କେନ୍ଦ୍ର ସରକାର ଭଦ୍ରକ ଷ୍ଟେସନଠାରେ ରେଳ ଓଭରବ୍ରିଜ୍ ନିର୍ମାଣ କାମ ଆରମ୍ଭ କରିଛନ୍ତି। ଏଇ ଓଭରବ୍ରିଜର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ କାମ ଆରମ୍ଭ ହୋଇଥିବା ବେଳେ ଓଭରବ୍ରିଜକୁ ସଂଯୋଗ କରିବାକୁ ଥିବା ନୂଆ ଆପ୍ରୋଚ ରୋଡ ପାଇଁ ପୂର୍ତ୍ତ ବିଭାଗ ଲୁଚକାଳି ଖେଳୁଛି। ଏଥିପାଇଁ ଅନୁଦାନ ମଂଜୁର ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ନେଇ ବିଳମ୍ବ ହେଉଛି। ପୂର୍ତ୍ତ ବିଭାଗ ଟେଣ୍ଡର କରିବା ନେଇ ଜାନୁଆରୀ ମାସରୁ ଫେବ୍ରୁଆରୀ ମାସ ଭିତରେ ସମୟ ନେଇଥିଲା। ଏଇ ସମୟ ଭିତରେ ଟେଣ୍ଡର ନହେବାରୁ ଆଜି ପୂର୍ବତନ ବିଧାୟକ ନରେନ ପଲେଇ ପୁଣି ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଟେଣ୍ଡର ପ୍ରକ୍ରିୟା ଓ ରାସ୍ତା କାମ ପାଇଁ ଦାବି ଉପସ୍ଥାପନ କରିଥିଲେ। ଶ୍ରୀ ପଲେଇଙ୍କ ଦାବି ପରେ ପୂର୍ତ୍ତ ବିଭାଗ ଟେଣ୍ଡର ପାଇଁ ପୁଣି ଏକ ମାସ ସମୟ ଅବଧି ନେଇଛନ୍ତି। ମାର୍ଚ୍ଚ ମାସ ଶେଷ ସୁଦ୍ଧା ଆପ୍ରୋଚରୋଡ ପାଇଁ ଟେଣ୍ଡର କରି କାମ ଆରମ୍ଭ ନକଲେ ଆସନ୍ତା ଏପ୍ରିଲ ୨ ତାରିଖ ଦିନ ସ୍ଥାନୀୟ ଚରମ୍ପାବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀ ପଲେଇ ‌ଚେତାବନୀ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଚରମ୍ପା ରେଳ ଓଭରବ୍ରିଜକୁ ସଂଯୋଗ କରୁଥିବା ନୂତନ ଆପ୍ରୋଚ ରୋଡ ପାଇଁ କିଛି ଘରୋଇ ଲୋକଙ୍କର ଜମି ପଡୁଛି। ଏଇ ଜମି ଘରୋଇ ଲୋକଙ୍କଠାରୁ ଅଧିଗ୍ରହଣ କରାଯାଇ ଟେଣ୍ଡର ପ୍ରକ୍ରିୟା କାରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର