ସହି ପାରିଲେନି ଫନି ମାଡ଼, ଶ୍ରୀମନ୍ଦିରରୁ ଚେମିଣି ଉଭାନ୍‌

ପୁରୀ : ଶ୍ରୀମନ୍ଦିରରୁ ଉଭାନ୍‌ ହୋଇ ଯାଇଛନ୍ତି ଚେମିଣିଆ (ଚେମିଣି)। ଚେମିଣି ଦ୍ବାର ବା ଉତ୍ତର ଦ୍ବାର ଗୁମୁଟ ଏବେ ଖାଲି। ଆଉ ସେମାନଙ୍କର ଚୁଁଚୁଁ ଶବ୍ଦ ଶୁଭୁନି। ଗୁମୁଟର ଗୋଟିଏ କୋଣରେ ହାତଗଣତି କୋତାଟି ଓହଳିଛନ୍ତି। ଫନି ମାଡ଼ରେ ଚେମିଣିମାନେ ଦେଉଳ ଛାଡ଼ି ଚାଲିଯାଇଛନ୍ତି।

ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟ ହେଉଛି ଚେମିଣିଆଙ୍କ ସୁରକ୍ଷିତ ଆବାସସ୍ଥଳୀ। ଗୁମୁଟ ଦୁଆରଠାରୁ ଭିତର ଚାଳିରେ ହଜାର ହଜାର ସଂଖ୍ୟାରେ ଏମାନଙ୍କୁ ଓହଳିଥିବାର ଦେଖିବାକୁ ମିଳେ। ଦିନରେ ଚୁଁଚୁଁ ଶବ୍ଦ କରୁଥାନ୍ତି, ରାତି ହେଲେ ଏମାନେ ଉଡ଼ିଯାଆନ୍ତି ଖାଦ୍ୟ ସନ୍ଧାନରେ। କାହିଁ କେତେ ଶହ ବର୍ଷରୁ ଏମାନେ ମନ୍ଦିର ଗୁମୁଟରେ ବାସ କରି ଆସୁଛନ୍ତି। ଏହି ପକ୍ଷୀଙ୍କ ଆବାସ ସ୍ଥାନ ଉତ୍ତର ଦ୍ବାରକୁ କହନ୍ତି ଚେମିଣି ଦ୍ବାର। ହେଲେ ଶ୍ରୀମନ୍ଦିର ଚେମିଣି ଦ୍ବାରର ଗୁମୁଟ ଏବେ ଖାଲି। ଆଉ ନାହାନ୍ତି ଚେମିଣିଆ। ମେ ୩ ତାରିଖରେ ବାତ୍ୟା ଫନି ଆସିବା ଦିନ ଏମାନଙ୍କୁ ଦେଖିବାକୁ ମିଳିଥିଲା। ମାତ୍ର ତା’ ପରଠୁ ଆଉ ଦିଶୁନାହାନ୍ତି ବୋଲି କହିଛନ୍ତି ବରିଷ୍ଠ ସେବକ ରବି ମହାପାତ୍ର। ୪ ତାରିଖରେ ଦେଉଳକୁ ଯିବା ବେଳେ ସେ ଉପରକୁ ଚାହିଁଥିଲେ, ମାତ୍ର ଚେମିଣି ନଥିଲେ। ସେହିଦିନଠାରୁ ସେ ଏପର୍ଯ୍ୟନ୍ତ ନିୟମିତ ଲକ୍ଷ୍ୟ କରୁଛନ୍ତି କିନ୍ତୁ ଚେମିଣି ଦିଶୁନାହାନ୍ତି।

ଉତ୍ତର ଦ୍ବାରରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ବାବୁ ଦାସଙ୍କ କହିବା ଅନୁସାରେ, ୪ ତାରିଖରେ ସେ ଏଠି ଡ୍ୟୁଟି କରୁଥିଲେ। ବାତ୍ୟା ପୂର୍ବରୁ ଯେପରି ହଜାର ହଜାର ସଂଖ୍ୟାରେ ଚେମିଣିଙ୍କୁ ଦେଖିବାକୁ ମିଳୁଥିଲା ହଠାତ୍‌ ସେଥିରେ ଭଟ୍ଟା ପଡ଼ିଗଲା। ଏ ପର୍ଯ୍ୟନ୍ତ ଆଉ ଚେମିଣି ଆସିନାହାନ୍ତି। ଗୁମୁଟର ଏକ କୋଣରେ ହାତଗଣତି ୩୦/୩୫ଟି ଓହଳିଛନ୍ତି। ସେମାନେ କୁଆଡ଼େ ଯାଉନାହାନ୍ତି। ଶ୍ରୀମନ୍ଦିର ସଂସ୍କୃତି ଗବେଷକ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର କହିଛନ୍ତି, ଚେମିଣି ସେଠାରେ କେବେଠାରୁ ରହିଛନ୍ତି ତାହାର ସଠିକ୍‌ ତଥ୍ୟ ମିଳିନି। ପୂର୍ବରୁ ସେହି ଦ୍ବାର ବେଶି ଖୋଲେ ନାହିଁ। ଅନ୍ଧାରିଆ ବି ରହିଥାଏ। ସେଥି ପାଇଁ ସେମାନେ ତାହା ଭିତରେ ରହିଥାଇପାରନ୍ତି। ଉତ୍ତର ଦ୍ବାର ଗୁମୁଟ ମରାମତି ବେଳେ ସେମାନେ ବାସ ଛାଡ଼ି ଯାଇ ନଥିଲେ। ନବକଳେବର ଦାରୁ ବିଜେ ବେଳେ ବି ସେମାନେ ଥିଲେ। ମାତ୍ର ଏବେ ଦିଶୁନାହାନ୍ତି। କେତେକ ସେବକ ଭାଇଙ୍କ କହିବା କଥା ହେଲା, ଫନି ଆସିବା ଦିନଠୁ ଏମାନେ ପଳାଇଛନ୍ତି। ପ୍ରାଣୀ ବିଶେଷଜ୍ଞ ମୁନ୍‌ତାଜ ଖାନ୍‌ଙ୍କ ମତରେ, ଚେମିଣିଆ ଓ ବାଦୁଡ଼ିମାନେ ପ୍ରାୟ ୧୦୦ରୁ ୧୫୦ କିଲୋମିଟର ବେଗର ପବନ ସହିପାରନ୍ତି। ମାତ୍ର ଏହାଠୁ ଅଧିକ ବେଗର ପବନ ହୁଏତ ସମ୍ଭାଳି ପାରିନଥିବେ। ତେବେ ଗୁମୁଟର ସ୍ଥିତିକୁ ଦେଖିଲେ ସେମାନଙ୍କର ପବନ କ୍ଷତି କରିବା କଥା ନୁହେଁ। ତଥାପି ପବନର ବେଗ ଅଧିକ ଥିବାରୁ ସେମାନେ ସମ୍ଭାଳି ନପାରି ଉଡ଼ି ଯାଇଥାଇପାରନ୍ତି। ଏତେ ବେଗ ପବନରେ ଉଡ଼ିବା ବି ନିରାପଦ ନୁହେଁ। କୌଣସି ସ୍ଥାନରେ ପିଟି ହୋଇ ମରିଯିବାର ସମ୍ଭାବନା ରହିଛି। ତେଣୁ ଶ୍ରୀମନ୍ଦିରର ଚେମିଣିମାନେ ଜୀବିତ କି ମୃତ ତାହା ଏବେ ମଧ୍ୟ ସନ୍ଦେହରେ ରହିଛି।

ସମ୍ବନ୍ଧିତ ଖବର