ନୟାଗଡ଼ରେ ଫ୍ଲାଇଂ ସ୍କ୍ବାଡ୍‌ର ଟଙ୍କା ଜବତ

ଲକ୍ଷାଧିକ ଟଙ୍କା ସହ ଇନୋଭା ଗାଡ଼ି ଅଟକ

ନୟାଗଡ଼ : ସାଧାରଣ ନିର୍ବାଚନରେ ପରିପେକ୍ଷୀରେ ଆଜି ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଟଙ୍କା ଜବତ ହୋଇଛି। ଫ୍ଲାଇଂ ସ୍କ୍ବାଡ୍ ଆଜି ଦିନ ପ୍ରାୟ ୧ଟା ବେଳେ ନୟାଗଡ଼-ଶରଣକୁଳ ରାସ୍ତାରୁ ୩ ଲକ୍ଷ ୮୭ ହଜାର ୪୪୦ ଟଙ୍କା ଟଙ୍କା ଜବତ କରିଛି। ଏହ ଘଟଣାରେ ଓଡ଼ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ଅଟକ ରଖାଯାଇଛି। ଏ ସଂପର୍କରେ ଜିଲ୍ଲାପାଳ ଡ. ଏନ୍ ତିରୁମାଲା ନାୟକ କହିଛନ୍ତି, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍ ଶରଣକୁଳ ଥାନା କରଡ଼ା ଗାଁ ନିକଟରେ ଏକ ବେଲେରୋ (ଓଡି୨୫ବି୨୩୨୩)କୁ ଅଟକାଇଥିଲା। ଯାଞ୍ଚ ପରେ ଗାଡ଼ିରୁ ୩ ଲକ୍ଷ ୮୭ ହଜାର ୪୪୦ ଟଙ୍କା ଜବତ କରାଯାଇଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ସହ ତାଙ୍କ ଡ୍ରାଇଭର ବି ଗାଡ଼ିରେ ଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବାବେଳେ ଏତେ ପରିମାଣର ଟଙ୍କା କେଉଁଆଡ଼ ଓ କେଉଁଥିପାଇଁ ଯାଉଥିଲା ସ୍ପଷ୍ଟ ହୋଇନାହିଁ। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଜିଲ୍ଲାପାଳ ଡ. ନାୟକ କହିଛନ୍ତି।

ଲକ୍ଷାଧିକ ଟଙ୍କା ସହ ଇନୋଭା ଗାଡ଼ି ଅଟକ

ଭଦ୍ରକ : ନିର୍ବାଚନ ସମୟରେ ପୁଲିସ ଓ ଫ୍ଲ‌ାଇଂ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରୁ ଗାଡିରେ ଯାଉଥିବା ବିପୁଳ ଟଙ୍କା ଜବତ କରୁଥିବାବେଳେ ଆଜି ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ଛକ ନିକଟରୁ ଏକ ଇନୋଭା କାର୍‌ରୁ ୧ ଲକ୍ଷ ୧୨ ହଜାର ଟଙ୍କା ଜବତ ହୋଇଛି। ଏଥିସହିତ ଇନୋଭା କାର୍‌କୁ ପୁଲିସ ଅଟକ ରଖିିଛି। ପୁଲିସ କୌଣସି ସୂତ୍ରରୁ ଖବର ପାଇ ଇନୋଭା କାର୍‌ର ପିଛା କରିଥିଲା। ବାଟରେ ପୁଲିସ ଏହି କାର୍‌କୁ ଅଟକାଇବା ସହ ଡ୍ରାଇଭରଙ୍କୁ ପଚରାଉଚରା କରିବାରୁ ଏହି କାର୍‌ ଅନୁଗୁଳରୁ ସୋର ଅଭିମୁଖେ ଯାଉଥିବା ନେଇ ସୂଚନା ମିଳିଥିଲା। କାର୍‌ରେ ଏତେ ଟଙ୍କା କୁଆଡେ ଯାଉଥିଲା ବୋଲି ପୁଲିସର ସନ୍ଦେହ ହୋଇଥିଲା। ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନର ଦପ୍ତରକୁ ଅଣାଯାଇଥିଲା। ଆଜି ସଂଧ୍ୟାରେ ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଦପ୍ତରରେ ତଦନ୍ତ କରାଯାଇଛି। ତେବେ ଏହା କୌଣସି ରାଜନୈତିକ ଦଳର ନିର୍ବାଚନ ଖର୍ଚ୍ଚ ଉଦ୍ଦେଶ୍ୟ ନେଇ ବାହାରକୁ ଟଙ୍କା ଯାଉ ନ ଥିଲା ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି। କୌଣସି ଜଣେ ବ୍ୟବସାୟୀ ନିଜର ବ୍ୟବସାୟିକ କାର୍ଯ୍ୟ ପାଇଁ ଟଙ୍କା ନେଇ ଯାଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର