ନିର୍ବାଚନ ଫ୍ଲାଇଂ ସ୍କ୍ବାଡ୍‌ର ଚଢ଼ଉ : ୧୦ ଲକ୍ଷ ଟଙ୍କା ଜବତ

ପଚରାଉଚରା ପରେ ବ୍ୟବସାୟୀଙ୍କୁ ଛଡ଼ାଗଲା

ରାୟଗଡା : ରାୟଗଡ଼ାରେ ନିର୍ବାଚନ ଫ୍ଲାଇଂ ସ୍କ୍ବାଡ ଚଢ଼ଉ କରି ୧୦ ଲକ୍ଷ ଟଙ୍କା ଜବତ କରିଛି। ରାଜସ୍ବ ବିଭାଗ, ପୁଲିସ୍, ଆୟକର ବିଭାଗର ଟିମ୍‌ ମିଳିତ ଭାବେ ଚଢ଼ାଉ କରିବା ସହିତ ଟଙ୍କା ବହନକାରୀ ଜଣେ ବ୍ୟବସାୟୀ ଏନ୍. ପଦ୍ମନାଭଙ୍କୁ ପଚରାଉଚରା କରିଥିଲେ। ପରେ, ତାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଫ୍ଲାଇଂ ସ୍କ୍ବାଡ୍ ଆଜି ମଧ୍ୟାହ୍ନରେ ରାୟଗଡା ସହରର କତାପେଟା ନିକଟରେ ଯାନବାହନ ଯାଞ୍ଚ କରୁଥିଲା। ଏହି ସମୟରେ ପଦ୍ମନାଭଙ୍କ ଟାଟା ଇଣ୍ଡିଗୋ କାର୍ (ଓଆର ୧୮ଏ-୩୯୩୯)କୁ ଟିମ୍ ଅଟକାଇଥିଲା। କାର ଯାଞ୍ଚ ସମୟରେ କାର ଭିତରେ ଲକ୍ଷାଧିକ ଟଙ୍କା ଥିବା ଜଣାପଡ଼ିବା ପରେ ଟିମ୍ ମୁଖ୍ୟ ତଥା ରାୟଗଡା ତହସିଲଦାର ଉମା ଶଂକର ବେହେରା ଏ ନେଇ ଆଦର୍ଶ ଆଚରଣ ବିଧି ପାଳନ ନିମନ୍ତେ ନିଯୁକ୍ତ ନୋଡାଲ୍ ଅଫିସର୍ ଅମ୍ରିତ୍ ଋତୁରାଜଙ୍କୁ ସୂଚନା ଦେଇଥିଲେ।

ନୋଡାଲ୍ ଅଫିସରଙ୍କ ନିର୍ଦେଶକ୍ରମେ ବ୍ୟବସାୟୀ ପଦ୍ମନାଭଙ୍କ ସମେତ କାର ଓ ଟଙ୍କାକୁ ଟାଉନ୍ ଥାନାକୁ ଅଣା ଯାଇଥିଲା। ମିଳିତ ଟିମ୍ ପଦ୍ମନାଭକୁ ପଚରାଉଚରା କରିବା ପରେ କପା ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ ପାଇଁ ଟଙ୍କା ନେଉଥିବା ପଦ୍ମନାଭ କହିଥିଲେ। ରାୟଗଡା ଆଇଓବି ବ୍ୟାଙ୍କରୁ ଟଙ୍କା ଉଠାଣ ପରେ କାର ଯୋଗେ ସେ ନିଜ ଗାଁ ଅଣ୍ଟାମରାକୁ ଯାଉଥିଲେ। ବ୍ୟାଙ୍କ ଆକାଉଣ୍ଟ୍ ସମେତ ସମସ୍ତ କାଗଜପତ୍ରକୁ ଯାଞ୍ଚ କରିବା ପରେ ବ୍ୟବସାୟୀଙ୍କୁ ଛଡ଼ାଯାଇଛି ବୋଲି ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ୫୦ ହଜାରରୁ ଊର୍ଧ୍ବ ଟଙ୍କା ନେଇ ଯାତାୟାତ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ମୁଖ୍ୟ ନିର୍ବାଚନ କମିଶନ୍ ନିର୍ଦେଶ ଦେଇଛନ୍ତି। ସିଇସିଙ୍କ ନିର୍ଦେଶନୁଯାୟୀ, ରାୟଗଡା ସହରର ପ୍ରବେଶ ପଥ ସମେତ ଆନ୍ଧ୍ର-ଓଡ଼ିଶା ସୀମା ଓ ଜିଲ୍ଲା ସୀମାନ୍ତବର୍ତୀ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର