ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ

ଭୁବନେଶ୍ୱର: ୨୦୧୮ ମାର୍ଚ୍ଚ ସୁଦ୍ଧା ଭୁବନେଶ୍ୱରରୁ ବ୍ୟାଙ୍ଗକକ୍‌କୁ ସିଧା ବିମାନ ଉଡ଼ାଣ ସେବା ଆରମ୍ଭ ହେବ। ଏନେଇ ରାଜ୍ୟ ସରକାର ଏବଂ ଥାଇ ଏୟାର ଏସିଆ ମଧ୍ୟରେ ଡିସେମ୍ବର ମାସରେ ଏମ୍‌ଓୟୁ ସ୍ୱାକ୍ଷର ହେବ ବୋଲି ଏକ ପ୍ରକାର ସ୍ଥିର ହୋଇଛି। ଥାଇ ଏୟାର ଏସିଆ ପକ୍ଷରୁ ଗ୍ରାଉଣ୍ଡ ସର୍ଭେ ପରେ ଉଡ଼ାଣ ପାଇଁ ସବୁଜ ସଂକେତ ମିଳିଥିବାରୁ ରାଜ୍ୟ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏୟାର ଏସିଆ (ବରହାଦ) ଏବେ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ଦୈନିକ ବିମାନ ଉଡ଼ାଣ କରୁଥିବାବେଳେ ଏୟାର ଏସିଆ ଗ୍ରୁପର ଥାଇ ଏୟାର ଏସିଆ ଭୁବନେଶ୍ୱରରୁ ବ୍ୟାଙ୍ଗକକ୍‌କୁ ବିମାନ ଉଡ଼ାଣ ପାଇଁ ଆଗ୍ରହ ଦେଖାଇଛି। ଏୟାର ଏସିଆ (ବରହାଦ) ଭଳି ଥାଇ ଏୟାର ଏସିଆ ବି ବର୍ଷକ ପାଇଁ ପ୍ରତି ଉଡ଼ାଣ ପିଛା ସବ୍‌ସିଡି ନେବାକୁ ସର୍ତ୍ତ ରଖିଛି। ଏଥିରେ ଉଡ଼ାଣ ପିଛା ୧ ଲକ୍ଷ ୭୦ ହଜାର ଟଙ୍କା ସବ୍‌ସିଡି ନେବାକୁ ଥାଇ ଏୟାର ଏସିଆ କର୍ତ୍ତୃପକ୍ଷ ସର୍ତ୍ତ ରଖିଛନ୍ତି। ପର୍ଯ୍ୟଟନ ବିଭାଗ ଏହି ସବ୍‌ସିଡି ପ୍ରଦାନ କରିବାକୁ ଥିବାବେଳେ ଏଥିରେ ବିଭାଗ ରାଜି ହୋଇଛି। ଏ ସଂକ୍ରାନ୍ତ ଫାଇଲ୍‌ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସ୍ୱାକ୍ଷର କରିଥିବାବେଳେ ଏହାକୁ ଅର୍ଥ ବିଭାଗକୁ ପଠାଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଡିସେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପର୍ଯ୍ୟଟନ ବିଭାଗ ଓ ଥାଇ ଏୟାର ଏସିଆ ମଧ୍ୟରେ ଚୁକ୍ତିି ସ୍ୱାକ୍ଷର ହେବ।

ଚୁକ୍ତି ସ୍ୱାକ୍ଷର ହେବା ପରେ ଥାଇ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ଗ୍ରାଉଣ୍ଡ ଷ୍ଟାଫ ନିଯୁକ୍ତି, ଟିକେଟ ବୁକିଂ, ଚେକ୍‌ ଇନ୍‌ କାଉଣ୍ଟର, ଲଗେଜ୍‌ ସ୍କାନି, ସିକ୍ୟୁରିଟି ସର୍ଭେ ଏବଂ ଅନ୍ୟାନ୍ୟ ଗ୍ରାଉଣ୍ଡ କାର୍ଯ୍ୟ ହେବ। ଏସବୁ ପାଇଁ ଦୁଇ ମାସ ସମୟ ଲାଗିଯିବ। ତେଣୁ ଚୁକ୍ତି ସ୍ୱାକ୍ଷର ହେବାର ୬୦ରୁ ୭୫ଦିନ ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ବ୍ୟାଙ୍ଗକକ୍‌କୁ ପ୍ରଥମ ପର୍ଯ୍ୟାୟରେ ୪ଦିନ ବିମାନ ଉଡ଼ାଣ ପାଇଁ ଆପାତତଃ ସ୍ଥିର ହୋଇଛି। ବିଳମ୍ବିତ ରାତିରେ ଏହି ଉଡ଼ାଣ ହେବ। ଅପରପକ୍ଷେ ଥାଇ ଏୟାର ଏସିଆ ଡିଜିସିଏ ଅନୁମତି ପାଇଁ ଆବେଦନ କରିଛି। ଡିଜିସିଏ ଅନୁମତି ମିଳିଲେ ସଂସ୍ଥା ପକ୍ଷରୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସିଡ୍ୟୁଲ୍‌ ଚାର୍ଟ ଦିଆଯିବ। ତେଣୁ କେବେଠୁ ଓ କେତେବେଳେ ବିମାନ ଉଡ଼ାଣ ହେବ ଏହାପରେ ହିଁ ସ୍ଥିର ହେବ।

ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଆମେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିଛୁ। ଆମର ଯେତିକି ଭିତ୍ତିଭୂମି ଅଛି ସେଥିରେ ଯେକୌଣସି ସଂସ୍ଥା ଆରାମରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିପାରିବ। ବିମାନ ଉଡ଼ାଣ ସଂସ୍ଥା ଓ ଯାତ୍ରୀଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇବାକୁ ଆମେ ପ୍ରସ୍ତୁତ। ଭୁବନେଶ୍ୱରରୁ ବ୍ୟାଙ୍ଗକକ୍‌କୁ ୧୮୦ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଏବେ ଯୋଜନା ହୋଇଛି। ଏବେ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ଯାଉଥିବା ବିମାନରେ ବହୁ ଯାତ୍ରୀ ବ୍ୟାଙ୍ଗକକ୍‌, ସିଙ୍ଗାପୁର ଭଳି ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକୁ ଯାଉଥିବା ଦେଖିବାକୁ ମିଳୁଛି। ଏହି ସ୍ଥାନରୁ ବି ବହୁ ବିଦେଶୀ ପର୍ଯ୍ୟଟକ ଭୁବନେଶ୍ୱର ଆସୁଛନ୍ତି। ତେଣୁ ଓଡ଼ିଶାକୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱରରୁ ବ୍ୟାଙ୍ଗକକ୍‌ ବିମାନ ସେବା ଆରମ୍ଭ ହେବ ବୋଲି ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର