ଫ୍ଲାଇଂ ସ୍କ୍ଵାଡ୍‌ର ଚଢ଼ଉ ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

କଟକ: କଟକ ସହରରେ ୬ ବର୍ଷ ପରେ ରାଜ୍ୟ ଫ୍ଲାଇଂ ସ୍କ୍ଵାଡ୍‌ ହାତରେ ଧରାପଡ଼ିଛି ବଡ଼ ବ୍ରାଉନ୍‌ସୁଗାର ର‍୍ୟାକେଟ୍‌ । ଏକକାଳୀନ ଦୁଇ ବ୍ରାଉନ୍‌ସୁଗାର ବେପାରୀଙ୍କ ନିକଟରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି । ଏହି ବେପାରୀମାନେ ବାଲେଶ୍ୱରରୁ କଟକ ବାଇକ୍‌ରେ ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ବେଳେ ସ୍କ୍ଵାଡ୍‌ ସେମାନଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଦୁଇଟି ବାଇକ୍‌ ଏବଂ ୨୮୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଗିରଫ ଦୁଇ ବେପାରୀ ହେଉଛନ୍ତି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳର ସେକ୍‌ ସାହିଦ(୩୦) ଏବଂ ଜଡ଼ା ସୋରେନ୍‌(୨୪) । ସେମାନଙ୍କଠାରୁ ଗୋଟିଏ ୟାମା ଆର୍‌-୧୫(ଓଡି ୦୧ ଟି ୨୭୬୦) ଏବଂ ପଲ୍‌ସର ବାଇକ୍‌(ଓଆର୍‌ ୦୧ ଏଲ୍‌ ୭୯୯୮) ଜବତ କରାଯାଇଛି।

ବାଲେଶ୍ୱରରୁ ଦୁଇ ବ୍ରାଉନ୍‌ସୁଗାର ବେପାରୀ ଦୁଇଟି ବାଇକ୍‌ରେ ଆଜି ସକାଳ ପ୍ରାୟ ୬ଟା ବେଳେ ଆସି କଟକରେ ୨୮୦ ଗ୍ରାମ ବ୍ରାଉନ୍‌ସୁଗାର ବିକ୍ରି କରିବାକୁ ଯୋଜନା କରୁଥିଲେ । କିନ୍ତୁ ଫ୍ଲାଇଠ ସ୍କ୍ଵାଡ୍‌ ଘଟଣା ସମ୍ପର୍କରେ ଆଗୁଆ ଖବର ପାଇଥିଲା । ଅବକାରୀ କମିସନର ଦେବେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଓଏମ୍‌ପି ଛକ ନିକଟରେ ଚଢ଼ଉ କରି ସାହିଦକୁ ଏବଂ ଯୋବ୍ରା ବ୍ୟାରେଜ ଛକ ନିକଟରେ ଜଡ଼ାକୁ ଗିରଫ କରିଥିଲା। ଉଭୟଙ୍କୁ ଯାଞ୍ଚ ପରେ ସାହିଦ ନିକଟରୁ ୧୩୦ ଗ୍ରାମ ଏବଂ ଜଡ଼ା ନିକଟରୁ ୧୫୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା। ସେମାନେ ପଶ୍ଚିମବଙ୍ଗର ମୁର୍ସିଦାବାଦ୍‌ରୁ ବ୍ରାଉନ୍‌ସୁଗାର ଆଣି ବାଲେଶ୍ୱରରେ ଡିପୋ ଖୋଲିଥିଲେ । ସେଠୁ ବାଇକ୍‌ ଯୋଗେ କଟକ ଚାଲାଣ କରୁଥିବା ବୟାନରେ କହିଛନ୍ତି । ଟ୍ରେନ୍‌ରେ ଅବକାରୀ ବିଭାଗର ରିତିମତ ଚଢ଼ଉ ଚାଲିଥିବା ଗିରଫ ଭୟରେ ବାଇକ୍‌ରେ ଆସୁଥିବା ଜଣାପଡ଼ିଛି । ଗତ ଫେବ୍ରୁଆରି ମାସରେ ସାହିଦ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ି ଜେଲ୍‌ରେ ଥିବା ବେଳେ ନିକଟରେ ଫେରି ପୁଣି ବେପାର ଆରମ୍ଭ କରି ଦେଇଥିଲା । ଆଜି ହୋଇଥିବା ଚଢ଼ଉରେ ଡିଏସ୍‌ପି ବି.କେ.ସିଂହ ସାମନ୍ତଙ୍କ ନେତୃତ୍ୱରେ ଇନ୍‌ସପେକ୍ଟର ଶରତ ଚନ୍ଦ୍ର ଭଞ୍ଜ, ଏସ୍‌ଆଇ କେ.ଏଲ୍‌. ପାଇକରାୟ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୬ ବର୍ଷ ତଳେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳରେ ୭୦୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହିତ ଜଣେ ଅଭିଯୁକ୍ତକୁ ରାଜ୍ୟ ଫ୍ଲାଇଂ ସ୍କ୍ଵାଡ୍‌ ଗିରଫ କରିଥିଲା । ଜବତ ବ୍ରାଉନ୍‌ସୁଗାର ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବା ବୋଲି ସୂଚନା ମିଳିଛି । ସେହିପରି କେନ୍ଦ୍ରାଞ୍ଚଳ ଅବାକରୀ ଗୁଇନ୍ଦା ବିଭାଗ ଗତ ଫେବ୍ରୁଆରି ମାସରେ ସେକ୍‌ ସାହିଦ ଏବଂ ତାଙ୍କ ପ୍ରେମିକା ବନ୍ଧୁ ସାକିରା ସୋରେନ୍‌କୁ କଟକରୁ ଗିରଫ କରାଯାଇଥିଲା । ତାଙ୍କ ନିକଟରୁ ୨୨୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା । ଜବତ ବ୍ରାଉନ୍‌ସୁଗାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର