ଭୁବନେଶ୍ୱର : ନିର୍ମାଣାଧୀନ ବମିଖାଲ୍ ଫ୍ଲାଏ ଓଭରବ୍ରିଜ୍ ଭୁଶୁଡ଼ିବା ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଛି। ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ପ୍ରାୟ ୧୩୦ ପୃଷ୍ଠାର ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟକୁ ଭିତ୍ତିକରି ପୂର୍ତ୍ତ ବିଭାଗ ପକ୍ଷରୁ ଓଭରବ୍ରିଜ୍ ଭୁଶୁଡ଼ିବା ଦୁର୍ଘଟଣାରେ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ୩ଜଣ ପଦସ୍ଥ ଯନ୍ତ୍ରୀଙ୍କ ବିରୋଧରେ ଚାର୍ଜଫ୍ରେମ୍ କରାଯିବା ସହିତ ଠିକା ସଂସ୍ଥା ପଣ୍ଡା ଇନ୍ଫ୍ରା ଲିମିଟେଡ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ସରକାରଙ୍କ ଅନୁମତି ମଗାଯାଇଛି।
ଗତ ସେପ୍ଟେମ୍ବର ମାସ ୧୦ ତାରିଖରେ ନିର୍ମାଣାଧୀନ ବମିଖାଲ୍ ଫ୍ଲାଏ ଓଭରବ୍ରିଜ୍ ଭୁଶୁଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ଜଣ ଆହତ ହୋଇଥିଲେ। ଏ ନେଇ ରାଜ୍ୟ ସରକାର ବିଭାଗୀୟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଥିଲେ। ସୂଚନାନୁସାରେ ଗତ ମାସ ୨୬ ତାରିଖରେ ତଦନ୍ତକାରୀ ଦଳ ପୂର୍ତ୍ତ ବିଭାଗ ସଚିବଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ବିଭାଗ ପକ୍ଷରୁ ଆବଶ୍ୟକ ତର୍ଜମା କରାଯିବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ସହିତ ସୁପାରିସ ପ୍ରଦାନ କରାଯାଇଛି। ବିଭାଗୀୟ ସୁପାରିସ ଅନୁଯାୟୀ ପୂର୍ବରୁ ନିଲମ୍ବିତ ହୋଇଥିବା ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା, ଉପ ନିର୍ବାହୀ ନିର୍ଦେଶକ ବଂଶୀଧର ପ୍ରହରାଜ ଏବଂ ସହକାରୀ ଯନ୍ତ୍ରୀ କିଶୋର କୁମାର ରାଉତଙ୍କୁ ଏହି ଦୁର୍ଘଟଣାରେ ଦାୟୀ ଦର୍ଶାଯାଇଛି। ସେମାନଙ୍କ ବିରୋଧରେ ଚାର୍ଜଫ୍ରେମ କରାଯିବ। ସେହିପରି ଯଥେଷ୍ଟ କାରଣ ଥିବା ଦର୍ଶାଇ ପଣ୍ଡା ଇନ୍ଫ୍ରାକୁ କଳାତାଲିକାଭୁକ୍ତ କରିବାକୁ ସୁପାରିସ କରାଯାଇଛି। ଏ ନେଇ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ନିମନ୍ତେ ସରକାର ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।
ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ ଦୁର୍ଘଟଣା ଦିନ ଓଭରବ୍ରିଜ୍ର ସ୍ଲାବ୍ ପକାଇବା ନିମନ୍ତେ ସେଣ୍ଟ୍ରିଂର ଡିଜାଇନ୍କୁ ମଞ୍ଜୁରି ଦେବା ପାଇଁ ବିଭାଗୀୟ ଅନୁମତି ଲୋଡ଼ାଯାଇନଥିଲା। ସେଦିନ ସାଇଟ୍ରେ ନିୟୋଜିତ ଯନ୍ତ୍ରୀମାନେ ମଧ୍ୟ ଏ ନେଇ ଠିକାଦାରଙ୍କୁ ତାଗିଦ୍ କରିନଥିଲେ। ଏହା କର୍ତ୍ତବ୍ୟରେ ଗୁରୁତର ଅବହେଳା ବୋଲି ଦର୍ଶାଯାଇଛି। ସ୍ଲାବ୍ଟି ଘଣ୍ଟି ଆକୃତିର ହୋଇଥିବାରୁ ସେଥିରେ ସେଣ୍ଟ୍ରିଂ ନିମନ୍ତେ କଂକ୍ରିଟ୍ ସମତୁଲ ଭାବେ କରାଯିବାର ଆବଶ୍ୟକତା ଥିଲା। କିନ୍ତୁ ଗୋଟିଏ ପାର୍ଶ୍ୱରୁ କଂକ୍ରିଟ୍ ଢଳାଯିବାରୁ ତାହା ଭାର ସମ୍ଭାଳି ନ ପାରି ତଳର ଲୁହାରଡ୍ ବଙ୍କା କରି ଭୁଶୁଡ଼ି ପଡ଼ିଥିଲା। ଫଳରେ ଦୁର୍ଘଟଣା ଘଟି ଜଣଙ୍କର ଅକାଳ ମୃତ୍ୟୁ ଘଟିବା ସହିତ ଅନ୍ୟମାନେ ଆହତ ହୋଇଥିଲେ। ସେଣ୍ଟ୍ରିଂ ପୂର୍ବରୁ ସଂପୃକ୍ତ ଠିକାସଂସ୍ଥା କାହିଁକି ବିଭାଗର ଅନୁମତି ନେଲା ନାହିଁ ତାହା ଅସମାହିତ ପ୍ରଶ୍ନ ହୋଇପଡ଼ିଛି। ଏହାଛଡ଼ା ଠିକା ସଂସ୍ଥା ଓଭରବ୍ରିଜ୍ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର(ଏସ୍ଓପି) ପାଳନ କରିନଥିଲା। ସେହିପରି ସୁରକ୍ଷା ଗାଇଡ୍ଲାଇନ୍ସ ମଧ୍ୟ ଉଲ୍ଲଂଘନ କରିଥିବା ରିପୋର୍ଟରେ ଦର୍ଶାଯାଇଛି।
ବମିଖାଲ୍ ଫ୍ଲାଏ ଓଭରବ୍ରିଜ୍ ପ୍ରକଳ୍ପର ମୋଟ ଟେଣ୍ଡର ଅଟକଳ ୪୪ କୋଟି ଟଙ୍କା ଥିବା ବେଳେ ଏଥିମଧ୍ୟରୁ ପଣ୍ଡା ଇନ୍ଫ୍ରା ୨୮ କୋଟିର କାମ ହାତେଇଥିଲା। ଏହି ପ୍ରକଳ୍ପର ଦୈଘ୍ୟ ୮୪୪ ମିଟର। ଏଥିରେ ମୋଟ ୭୫ଟି ସ୍ପାନ୍ ନିର୍ମାଣ ଯୋଜନା ରହିଛି। ବର୍ତମାନ ସୁଦ୍ଧା ୬୦ଟି ସ୍ପାନ୍ ନିର୍ମାଣ ସଂପୂର୍ଣ୍ଣ ହୋଇଛି। ଦୁର୍ଘଟଣାର କାରଣ ସଂପର୍କରେ ତଦନ୍ତ କରିବା ପାଇଁ ସରକାର ଚିଫ୍ ଇଞ୍ଜିନିୟର(ଡିଜାଇନ୍) ଡି.ଏନ୍. ପାଲ୍ ଏବଂ ଚିଫ୍ ଇଞ୍ଜିନିୟର(ରୋଡ୍ସ) ଓମ୍ପ୍ରକାଶ ପଟେଲ୍ଙ୍କୁ ନିଯୁକ୍ତ କରିଥିଲେ। ସେମାନଙ୍କୁ ସହଯୋଗ କରିଥିଲେ ଜାତୀୟ ରାଜପଥ ଏସ୍ଇ (ଡିଜାଇନ ଆଣ୍ଡ ପ୍ଲାନିଂ) ରବି ଆଚାର୍ଯ୍ୟ ଏବଂ ନିର୍ବାହୀ ଯନ୍ତ୍ରୀ (ବିଶ୍ୱବ୍ୟାଙ୍କ) ମନୋରଞ୍ଜନ ମିଶ୍ର। ତଦନ୍ତ ରିପୋର୍ଟ ଅନୁସାରେ ୩ଜଣ ଇଞ୍ଜିନିୟରଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ମଧ୍ୟ ସମ୍ଭାବନା ରହିଛି।