ସମ୍ବଲପୁର : ସମ୍ବଲପୁର ସହର ମଧ୍ୟରେ ନିର୍ମାଣ ହୋଇଥିବା ଧୁଚୁରାପଡ଼ା-କଚେରି ଛକ ଫ୍ଲାଇଓଭର୍ ଲୋକାର୍ପିତ ହେବାକୁ ଯାଉଛି। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଶୁକ୍ରବାର ସଂଧ୍ୟା ୪ଟାରେ ଏହାର ଉଦ୍‌ଘାଟନ କରିବେ। ଏହାଛଡ଼ା ସ୍ଥାନୀୟ ଜନ ପ୍ରତିନିଧିମାନେ ଉପସ୍ଥିତ ରହିବେ। ସାଢ଼େ ୬ ବର୍ଷ ଧରି କାମ ଚାଲିଥିବା ଏହି ଫ୍ଲାଇଓଭର୍ ଓ ତତ୍ସସଂଲଗ୍ନ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ହୋଇପାରି ନାହିଁ। କେତେବେଳେ ମୂଳ ଡିଜାଇନ୍‌ ପରିବର୍ତ୍ତନକୁ ନେଇ ତ ଆଉ କେତେବେଳେ ପୁଣି ଉଚ୍ଚତାକୁ ନେଇ ବିବାଦ ଉଠିଛି। ପୁଣି କେତେବେଳେ ନିର୍ମାଣକାରୀ ସଂସ୍ଥାର କାମ ଓ ଦୁର୍ଘଟଣାକୁ ନେଇ ବି ବିବାଦୀୟ ସ୍ଥିତି ଉପୁଜିଛି। ଆଉ କେତେବେଳେ ସର୍ଭିସ ରୋଡ଼ ନିମନ୍ତେ ଜମି ଅଧିଗ୍ରହଣ, ସର୍ଭିସ ରୋଡ଼ ଓ ପାର୍ଶ୍ୱ ଡ୍ରେନ ନିର୍ମାଣକୁ ନେଇ ବି ଜନ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଏବେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ହୋଇନଥିବାରୁ ସହରବାସୀ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ଶୀଘ୍ର ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି କରାଯାଉଛି। ଯୋଜନା ଆରମ୍ଭରୁ ଆଜି ଯାଏଁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ବାଦବିବାଦ ରେ ଛନ୍ଦି ହୋଇଥିବା ଏହି ଫ୍ଲାଇଓଭର୍‌ର ଉଦ୍‌ଘାଟନକୁ ନେଇ ବି ବିବାଦ ରହିଛି। ଶୁକ୍ରବାର ଲୋକାର୍ପଣ ହେଲା ପରେ ଅବଶିଷ୍ଟ କାମକୁ ମାସେ ଭିତରେ ସଂପୂର୍ଣ୍ଣ କରି ଫ୍ଲାଇଓଭର୍ ବିବାଦ ଶୂନ୍ୟ କରାଯାଉ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି।

ମଞ୍ଚର ଆବାହକ ଭବାନୀ ଶଙ୍କର ଭୋଇ ଓ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଏକ ମିଳିତ ପ୍ରେସ ବିବୃତିରେ କହିଛନ୍ତି ଯେ, ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ନିର୍ମାଣ ହୋଇଥିବା ଏହି ଫ୍ଲାଇଓଭର୍ ଆଗାମୀ ଦିନରେ ଯେମିତି ମରଣଯନ୍ତା ନପାଲଟିବ ସେଥିପ୍ରତି ଏବେଠୁ ଦୃଷ୍ଟି ଦିଆଯାଉ। ଅରବିନ୍ଦ ସ୍କୁଲ ଏବଂ ଆଶାପାଲି ସ୍କୁଲ ନିକଟରେ ସର୍ଭିସ ରୋଡ଼କୁ ଯଥେଷ୍ଟ ଚଉଡ଼ା କରାଯିବାକୁ ଦାବି କରାଯାଇଛି। ଏଥି ସହିତ ଗୁଜୁରାତି କଲୋନି ଓ ଏହାର ଆଖପାଖ ଅଞ୍ଚଳକୁ ମଧ୍ୟ ଜରୁରିକାଳୀନ ପରିସ୍ଥିତିରେ ଦମକଳ ଓ ଆମ୍ବୁଲାନ୍ସ ଯାତାୟାତ କରିପାରିବା ଭଳି ପ୍ରବେଶ ପଥ କରାଯିବାକୁ ଦାବି କରାଯାଇଛି। ଧୁଚୁରାପଡା ଠାରେ ଫ୍ଲାଇଓଭର୍ ଅବତରଣ ସ୍ଥାନରୁ ଚର୍ଚ୍ଚ ଯାଏଁ ଡିଭାଇଡ଼ର ବ୍ୟବସ୍ଥା, ଫ୍ଲାଇଓଭରର୍‌ ଦୁଇ ପାର୍ଶ୍ଵରେ ସର୍ଭିସ ରୋଡ଼ ଓ ସଂଲଗ୍ନ ଡ୍ରେନ କାର୍ଯ୍ୟ, ଫ୍ଲାଇଓଭର ବ୍ରିଜରୁ ବର୍ଷା ଜଳ ନିଷ୍କାସନ କାର୍ଯ୍ୟକୁ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରାଯିବାକୁ ଦାବି କରାଯାଇଛି। ତେବେ ‌ଫ୍ଲାଇଓଭର୍‌ ଲୋକାର୍ପଣ ହେବା ପରେ ବି ଜରୁରୀ ଆନୁସଂଗିକ କାର୍ଯ୍ୟ ଜାରି ରହିବ ଓ ଜଳ ନିଷ୍କାସନ ବ୍ୟବସ୍ଥା ଶୀଘ୍ର କରାଯିବ ବୋଲି ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି।