ବମିଖାଲ ଓଭରବ୍ରିଜ୍‌ ଅଘଟଣ : ପଣ୍ଡା ଇନ୍‌ଫ୍ରା ପରିଚାଳନା ନିର୍ଦେଶକ ଗିରଫ

ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ ରିଟେନ୍‌ ଓ୍ଵାଲ୍‌ ରଡ୍‌ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ଫ୍ରାର ପରିଚାଳନା ନିର୍ଦେଶକ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ପୁଲିସ ୩୦୪/୩୩୭/୩୩୮/୩୪ ଭଳି ସଙ୍ଗିନ ଦଫା ଲଗାଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ କୋର୍ଟଚାଲାଣ କରାଯାଇନାହିଁ। ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

୮ମାସ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଏହି ଓଭରବ୍ରିଜରେ ଦୁର୍ଘଟଣା ଘଟିଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି।

ନୂଆଦିଲ୍ଲୀଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହିତ ମୃତ ଶ୍ରମିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ବି ସରକାର ବହନ କରିବେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏଥିସହିତ ତତ୍କାଳ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ପୂର୍ତ ବିଭାଗର ଦୁଇ ମୁଖ୍ୟଯନ୍ତ୍ରୀ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି।

ସେହିଭଳି ଗତକାଲିର ଦୁର୍ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗତବର୍ଷ ଜଣଙ୍କ ଜୀବନ ଯିବା ପରେ ଏହି ସଂସ୍ଥାକୁ ସରକାର କଳା ତାଲିକାଭୁକ୍ତ କରିଥିଲେ। ପୁଣି କ’ଣ ହେଲା ବା କାହାର ଅଦୃଶ୍ୟ ଚାପରେ ସରକାର ସଂପୃକ୍ତ ସଂସ୍ଥାକୁ ସୁରକ୍ଷା ଦେଲେ ସେ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀଙ୍କର ଏହି ସଂସ୍ଥା ସହିତ ସଂପର୍କ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି।

ଏଥିସହିତ ରାଜଧାନୀର ସବୁଠାରୁ ଜନଗହଳିପୂର୍ଣ୍ଣ ବମିଖାଲ ଅଂଚଳରେ ଏହି ଓଭରବ୍ରିଜ୍‌ ଏବେ ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଲାଣି। ଆସନ୍ତା ଜୁନ୍‌ ମାସରେ ଏହି ଓଭରବ୍ରିଜ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଓଭରବ୍ରିଜ୍‌ ନିରାପଦ ତ? ଏମିତି ଏକ ପ୍ରଶ୍ନ ସବୁ ମହଲରେ ଉଙ୍କି ମାରିଲାଣି।

ତେବେ ଗତକାଲିର ଘଟଣା ପରେ ସାଇଣ୍ଟିଫିକ୍‌ ଟିମ୍‌ ଆଜି ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ ଆରମ୍ଭ କରିଥିଲେ। ରାଜ୍ୟ ଫୋରେନ୍‌ସିକ୍‌ ଟିମ୍‌ର ୪ଜଣ ବିଶେଷଜ୍ଞଙ୍କ ସମେତ ୮ ଜଣିଆ ଟିମ୍‌ ଲୁହାରଡ୍‌ ଖସି ପଡ଼ିଥିବା ସ୍ଥାନରେ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। କେଉଁ ପରିସ୍ଥିତିରେ ଓ କାହିଁକି ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ କରିଥିଲେ। ତଦନ୍ତ ସମୟରେ ମୃତ ଓ ଆହତ ଶ୍ରମିକଙ୍କ ରକ୍ତ ନମୁନା ସଂଗ୍ରହ ସହ ଦୁର୍ଘଟଣାସ୍ଥଳର ଭିଡିଓ, ଅଡିଓଗ୍ରାଫି କରାଯାଇଛି। ଏ ସଂପର୍କରେ ସାଇଣ୍ଟିଫିକ୍‌ ଟିମ୍‌ ଏକ ରିପୋର୍ଟ ଖୁବ୍‌ଶୀଘ୍ର ଡିସିପିଙ୍କୁ ପ୍ରଦାନ କରିବ।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ଯେ, ଲକ୍ଷ୍ମୀସାଗର ଥାନା ପୁଲିସ ନିଜ ଆଡୁ ମାମଲା ରୁଜୁ ହୋଇଛି। କାହିଁକି ଦୁର୍ଘଟଣା ଘଟିଲା, ଏଥିପାଇଁ କିଏ ଦାୟୀ, ଓଭରବ୍ରିଜ ନିର୍ମାଣ ବେଳେ କେଉଁ ଅଧିକାରୀ ଦାୟିତ୍ୱରେ ଥିଲେ, ଶ୍ରମିକମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରାଯାଇଥିଲା କି ନାହିଁ, ସେ ନେଇ ତଦନ୍ତ ହେବ। ଦୋଷୀ କିଏ ଜଣାପଡ଼ିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପଣ୍ଡା ଇନ୍‌ଫ୍ରା ଓ ପୂର୍ତ ବିଭାଗର ଅନ୍ୟ କର୍ମଚାରୀମାନଙ୍କୁ ଗିରଫ କରିବାକୁ କମିସନରେଟ ପୁଲିସର ସ୍ୱତନ୍ତ୍ର ସ୍କ୍ଵାଡ୍‌କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ଗତବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଘଟିଥିବା ଅଘଟଣରେ ଲକ୍ଷ୍ମୀସାଗର ଥାନା ପୁଲିସ ପଣ୍ଡା ଇନ୍‌ଫ୍ରାର ପରିଚାଳନା ନିର୍ଦେଶକ ପ୍ରତାପଙ୍କ ସମେତ ପୂର୍ତ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ସହକାରୀ ଯନ୍ତ୍ରୀ କିଶୋର ରାଉତ ଏବଂ ପଣ୍ଡା ଇନ୍‌ଫ୍ରାର ପ୍ରୋଜେକ୍ଟ ମ୍ୟାନେଜର ଭିପୁଲ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ପଣ୍ଡା ଇନ୍‌ଫାଷ୍ଟ୍ରକଚର୍‌ର ଅନ୍ୟତମ ନିର୍ଦେଶକ ସନ୍ତୋଷ ପଣ୍ଡା ଓ ନିର୍ଦେଶିକା ସୁଜାତା ପଣ୍ଡା ହାଇକୋର୍ଟରୁ ଜାମିନ୍‌ରେ ଆସିଥିଲେ। ଗତ କିଛିଦିନ ତଳେ ପରିଚାଳନା ନିର୍ଦେଶକ ପ୍ରତାପ ଜାମିନ୍‌ରେ ଆସିଥିଲେ।

ସମ୍ବନ୍ଧିତ ଖବର