ବାଲେଶ୍ବର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କର ଅନ୍ତିମ ସଂସ୍କାର ନିଜ ଜନ୍ମମାଟି ପଳାସିଆରେ ସଂପନ୍ନ ହୋଇସାରିଛି। ଏପଟେ ନିଜର ମେଧାବୀ ଛାତ୍ରୀକୁ ଝୁରି ଗୁମୁରି ଗୁମୁରି କାନ୍ଦୁଛି କଲେଜ।
ଏବେ ବି ଏଫ୍ଏମ୍ କଲେଜ ପରିସରର ପଡ଼ିଆରେ ପଡ଼ିଛି ସୌମ୍ୟାଶ୍ରୀଙ୍କ ଦେହର ଝାଳ। ତାଙ୍କୁ ଝୁରି ଝୁରି ଆଖିରୁ ଲୁହ ଝରାଉଛି ଲାଇବ୍ରେରିର ସେ କାଠ ଚୌକି। ଥୁଣ୍ଟା ପଡ଼ିଲାଣି କଲେଜର ସେ ଆମ୍ଭ ଗଛ ସେହି ଚପଳା ଝିଅର ବୀରହରେ। ଅଡିଟରିୟମ୍ ରୁମ୍ରେ ହାଉ ହାଉ ହେଇ ଶୁଭୁଛି ସୁନା ଝିଅ ସୌମ୍ୟାର ଭାଷଣ ଓ କବିତା।
ଦିନେ ତା ପାଦ ପଡ଼ିଲେ କମ୍ପିଉଠୁଥିଲା କଲେଜ୍। ଆଜି ସେହି କଲେଜ୍ ପାର୍ କରି ଚାଲିଗଲା ତା’ର ଦଗ୍ଧ ମୃତଦେହ। ସେ ଗଲାବେଳକୁ ପଡ଼ିଆରେ ଥିବା ସେ ସିମେଣ୍ଟ୍ ଚେୟାର୍ ବି ଦି’ ଟୋପା ଲୁହ ଝରେଇ ଦେଇଥିଲା। କେତେ ବସିନଥିଲା ସେ ଝିଅଟି ତା’ ଉପରେ ଆହାଃ! ଇଏ କ’ଣ ଏକ ଯିବା ବୟସ ଯେ; କେହି ତାହାକୁ ସହଜରେ ଗ୍ରହଣ କରିନେବ?
କଲେଜର ପଥର କାନ୍ଥ ଭିତରୁ ବି ଶୁଭୁଛି ହୃଦୟଫଟା କ୍ରନ୍ଦନ ସ୍ବର। କୁଆଡ଼େ ଗଲୁ? କୁଆଡ଼େ ଗଲୁ ଆମ ସୁନା ଝିଅ ସୌମ୍ୟା? ତୁ ତ ଆମ ସାହସୀନି। ଅନ୍ୟ ଝିଅଙ୍କୁ ଶକ୍ତିଶାଳୀ କରେଇବାରୁ ତୁ ତାଲିମ୍ ଦେଉଥିଲୁ। କେମିତି ଏମିତି କଲୁ ଲୋ ଝିଅ? ଏ ସବୁକୁ ପଛ କରି ଚାଲି ଯାଇଛନ୍ତି ସୁନା ଝିଅ ସୌମ୍ୟା। ବିଦାୟ ବିଦାୟ ବିଦାୟ ଯୋଦ୍ଧା...