ଭୁବନେଶ୍ବର: କଥାରେ ଅଛି ଚୋର ଯିବା ପରେ ହିଁ ପୋଲିସ ଆସେ.. ନହେଲେ ପୋଲିସର ଦେଖା ଦର୍ଶନ ନଥାଏ । କଥାଟା ଆଜ୍ଞା ଏକଦମ ସତ । ଆପଣ ଯଦି ପୂର୍ବରୁ ଏ କଥା ନିରିଖେଇ ଦେଖିଥିବେ ତାହାଲେ ଜାଣିଥିବେ ଏ କଥାର ସତ୍ୟତା କେତେ, ଯଦି ଜାଣି ନାହାନ୍ତି ତାହାଲେ ବାଲେଶ୍ବର ପୀଡିତା ସୌମ୍ୟାଶ୍ରୀଙ୍କ କଥାକୁ ବିଚାରକୁ ନେଲେ ଆପଣ ଭଲ ଭାବେ ଜାଣିପାରିବେ । କାରଣ ମୃତ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଯେତେବେଳେ ନିଜ ଏଚଓଡିଙ୍କ ଯୌନ ନିର୍ଯାତନାର କଥା ସାମ୍ନାକୁ ଆଣିଲେ, ତାଙ୍କ ବିରୋଧରେ କଲେଜ କର୍ତ୍ତୃପକ୍ଷଙ୍କ ପାଖରେ ଫେରାଦ ହେଲେ ସେତେବେଳେ କଥାକୁ ଚପାଇ ଦେବାକୁ ଅନେକ ପ୍ରଚେଷ୍ଟା କରାଗଲା ।
ନିଜ ପାଇଁ ନିଜେ ଲଢିବାକୁ ଆଗେଇ ଆସିଥିଲେ ସୌମ୍ୟାଶ୍ରୀ କାରଣ ସେ ଜାଣନ୍ତି ଏଠି କେହି କାହା ପାଇଁ ଲଢିବେନି । କେହି କାହା ପାଇଁ ସାହାଯ୍ଯ କରିବାକୁ ବାହାରିବେନି, ଏଠି ନିଜ ଲଢେଇ ନିଜେ ଲଢିବାକୁ ହେବ । ଏ କଥା ଭାବି କଲେଜ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିବା ସୌମ୍ୟାଶ୍ରୀ ଅଭିଯୋଗ ପତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରି ସରକାରଙ୍କୁ ଜଣାଇଲେ । କାଳେ ସୋସିଆଲ ମିଡିଆରେ ସକ୍ରିୟ ଥିବା 'ଲୋକଙ୍କ ସରକାର' ଅଭିଯୋଗ ଶୁଣି ତାର ସମାଧାନ କରିବେ ଆଉ ତାଙ୍କୁ ନ୍ୟାୟ ଦେବେ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୌମ୍ୟାଶ୍ରୀ କେବଳ ତାଙ୍କ ଦୁଃଖ ସରକାରଙ୍କୁ ଜଣାଇବା ପାଇଁ କେବଳ ଟୁଇଟର ଆକାଉଣ୍ଟ ଖୋଲିଥିଲେ । କାରଣ ତାଙ୍କ ଆକାଉଣ୍ଟରେ କେବଳି ଏହି ଅଭିଯୋଗ ପତ୍ର ଛଡା ଅନ୍ୟ କୌଣସି ପୋଷ୍ଟ ନାହିଁ । ଯୌନ ପିପାସୁ ଏଚଓଡି ବାବଦରେ ଅଭିଯୋଗ ପୋଷ୍ଟ କରି ସେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ୍ କରିଥିଲେ । ଉଚ୍ଚଶିକ୍ଷା ବିଭାଗକୁ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ, ସାଂସଦଙ୍କୁ, ବିଧାୟକଙ୍କୁ, ଜିଲ୍ଲାପାଳଙ୍କୁ ଏବଂ ଏସପିଙ୍କୁ ଟ୍ୟାଗ୍ କରିଥିଲେ ବି କେହି ତାର ସାମଧାନ କରିନଥିଲେ କି ସେଥିରେ କେହି ଉତ୍ତର ଦେଇନଥିଲେ ।
@CMO_Odisha@MohanMOdisha@DHE_Odisha@suryabanshibjp@pcsarangi@manaskumardutta@DBalasore@SPBalasore
— Subhra Sambit Nayak (@the_subhrasn29) July 1, 2025
Kindly Take action. pic.twitter.com/gNzcKOwd6T
ଜୁନ ୩୦ରେ ପ୍ରିନ୍ସିପାଲଙ୍କ ଚାମ୍ବରରେ ଆଲୋଚନା ହେଲା । ଏଥିସହ ଜୁଲାଇ ୧ରେ ସୋସିଆଲ ମିଡିଆରେ ଏ ବାବଦରେ ପୋଷ୍ଟ କଲେ । ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ସାଂସଦ, ବିଧାୟକ ସମସ୍ତଙ୍କୁ ଟ୍ୟାଗ କରିଥିଲେ, ଜୁଲାଇ ୨ରେ ଆତ୍ମାହୁତି ଧମକ ଦେଇଥିଲେ । ହେଲେ କେହି ଶୁଣି ନଥିଲେ ବରଂ ଓଲଟି ତାଙ୍କୁ ଚାପ ପକାଇଥିଲେ ଅଭିଯୋଗ ଉଠାଇ ନେବାକୁ । ଜଣେ ସୈତାନକୁ ଶାସ୍ତି ନଦେଇ ଯେତେବେଳେ ଜଣେ ନିରୀହ ଝିଅକୁ ମାନସିକ ନିର୍ଯାତନା ଦିଆଗଲା ସେତେବେଳେ ବାଧ୍ଯହୋଇ ଜୁଲାଇ ୧୨ ତାରିଖରେ ପ୍ରିନ୍ସିପାଲ ଚାମ୍ବର ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ସୌମ୍ୟାଶ୍ରୀ । ୧୨ ତାରିଖ ସଞ୍ଜରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରାଗଲା ଆଉ ୬୦ ଘଣ୍ଟାର ସଂଘର୍ଷ ପରେ ଶେଷରେ ୧୪ ତାରିଖ ରାତି ୧୧.୪୬ରେ ଆଖି ବୁଜିଲେ ସୌମ୍ୟାଶ୍ରୀ ।
ପୂରା ଘଟଣାରେ ଏକା ଏକା ଲଢୁଥିଲେ ସୌମ୍ୟାଶ୍ରୀ, ନିଜକୁ ନ୍ୟାୟ ଦେବାକୁ ସେ ପୂରା ବ୍ୟବସ୍ଥା ସହ ଯୁଝି ହେଉଥିଲେ । କିନ୍ତୁ ଦୁର୍ଭାଗ୍ୟ କେହି ତାଙ୍କୁ ସାହାଯ୍ୟ କରିନଥିଲେ କି ସାହାଯ୍ୟ କରିବା ପାଇଁ ଆଗେଇ ବି ଆସିନଥିଲେ । ଆଉ ଯେତେବେଳେ ଆତ୍ମାହୁତିର ଉଦ୍ୟମ ହେଲା ଏବଂ ପରେ ପରେ ଯାହା ସବୁ ଘଟିଲା ଏବଂ ପରିଶେଷରେ ତାଙ୍କ ଜୀବନ ଚାଲିଗଲା.. ଏସବୁ ଘଟଣାକ୍ରମରେ ପୋଲିସ, ପ୍ରଶାସନ, ସରକାର, ବିରୋଧୀ ଦଳ ଏବଂ ଛାତ୍ର ସଂଗଠନ ଯେଉଁ ମାତ୍ରାରେ ଆଜ୍ଞା ତାଙ୍କ କଥା ବୁଝୁଥିଲା, ତାଙ୍କ ପାଇଁ ନ୍ୟାୟ ମାଗୁଥିଲା ଏବଂ ତାଙ୍କୁ ନ୍ୟାୟ ଦେବାକୁ ଆକ୍ସନ ପରେ ଆକ୍ସନ ନିଆଯାଉଥିଲା ଆଉ ଛାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯେଉଁ ପ୍ରକାର ସୁବିଧା କରାଗଲା.. ଯଦି ଏହି ତତ୍ପରତା ଟିକେ ଆଗୁଆ ଦେଖାଇଥାନ୍ତେ ନା ହୁଏତ ଆଜି ସୌମ୍ୟାଶ୍ରୀଙ୍କୁ ଜଳିବାକୁ ପଡିନଥାନ୍ତା ।
ଖାଲି କଣ ସେତିକି ଯେଉଁ ବିରୋଧୀମାନେ ଏମିତି ଚିତ୍କାର କରି ରାଜରାସ୍ତାରେ ଗର୍ଜୁଛନ୍ତି ଆଉ କଲେଜ ଆଗରେ ଯାଇ ପ୍ରତିବାଦ କରୁଛନ୍ତି ଯଦି ସେମାନେ ୧୫ ଦିନ ଆଗରୁ ଏମିତି ସୌମ୍ୟାଶ୍ରୀଙ୍କ କଥାକୁ ଶୁଣି, ତାକୁ ଗୁରୁତ୍ବର ସହ ନେଇ ବିରୋଧ କରିଥାନ୍ତେ ହୁଏତ ସେ ଆଜି ବଞ୍ଚିଥାନ୍ତେ, ନ୍ୟାୟ ପାଇଥାନ୍ତେ..
ଖାଲି କଣ ସେତିକି କାଲି ଯଦି ଆପଣ ରାତି ତମାମର ଘଟଣାକ୍ରମ ଦେଖିବେ ତାହାଲେ ଏମ୍ସରେ ବିଭିନ୍ନ ନେତାଙ୍କର ହାଇଡ୍ରାମାକୁ ଭଲରେ ଦେଖିଥିବେ । କିଏ କେତେ ଗର୍ଜନ କରି ମାଇଲେଜ୍ ନେଇପାରିବ ସେ ପ୍ରତିଯୋଗିତା ଚାଲିଥିଲା, ବଡ଼ ଦୁର୍ଭାଗ୍ୟ ସେଠି ସେ ପ୍ରତିବାଦ କେବଳ ଶବକୁ ନ୍ୟାୟ ଦେବାକୁ ଚାଲିଥିଲା । ଜିଇଁଥିଲା ବେଳେ ଯେଉଁମାନଙ୍କର ଦେଖା ଦର୍ଶନ ନଥିଲା ସେମାନେ ଯାଇ ସେଠି ହାଜର ହୋଇଥିଲେ.. ରାଜନୈତିକ ଭାଷାରେ ଆପଣ କହିପାରନ୍ତି କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ହଁ ମ.. ଇଏ ପରା ଓଡ଼ିଶା ଏଠି ଜୀବିତ କମ୍ ମୃତଦେହ କୁ ନେଇ ବେଶି ରାଜନୀତି ହୁଏ ।
#ପୋଲିସ_ସହ_ଠେଲାପେଲା
— Sambad (ସମ୍ବାଦ) (@sambad_odisha) July 14, 2025
ଏହି ଆମ୍ବୁଲାନ୍ସରେ ଯାଉଥିଲା ଛାତ୍ରୀଙ୍କ ମୃତଦେହ... ହଠାତ୍ ଆମ୍ବୁଲାନ୍ସ ଆଗରେ ପ୍ରତିବାଦ କଲେ ବିଜେଡି କର୍ମୀ#FMCollegeBalasore#AIIMSBhubaneswar#BJD#Odisha#Sambadpic.twitter.com/fC76l9GwYU
ଆଉ ଏକ କଥା ରାତିରେ ଆଶ୍ଚର୍ଯ୍ଯ କଲା- ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଇନ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଠାକୁ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ବିଜେପି ସଭାପତିଙ୍କ ଠାରୁ ସାଂସଦ ଏବଂ ଅନ୍ୟ ନେତାମାନେ କାଲି ସୌମ୍ୟାଶ୍ରୀଙ୍କ ଦେହାନ୍ତ ପରେ ଖାଲି ଶୋକରେ ବୁଡ଼ିବାର ଦେଖିବାକୁ ମିଳିଲା । ସୋସିଆଲ ମିଡିଆରେ ରାତି ତମାମ ସକ୍ରିୟ ରହି ଶୋକ ବାର୍ତ୍ତା ଦେଲେ ନେତାଏ । ମିଡିଆରେ ଲାଇଭ ଆସି ବାଇଟ ଦେଇ ଦୁଃଖ ପ୍ରକାଶ କଲେ । ଝିଅକୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଲେ ଆଉ ଆଜି ୨୦ ଲକ୍ଷ ଟଙ୍କାର ସରକାର ସହାୟତା ବି ଘୋଷଣା କରିଛନ୍ତି.. ଆରେ ବାବୁ ଯଦି ମଲା ପରେ ଏତେ ତତ୍ପରତା, ଏବେ ଉତ୍ସୁକତା, ଏତେ ସକ୍ରିୟତା ତେବେ ମୃତ୍ୟୁ ପୂର୍ବରୁ କାହିଁକି ଦେଖାଇଲନି କି କାହିଁକି ଝିଅଟିର କଥା ଶୁଣିଲନି-ରାତି ଅନିଦ୍ରା ହୋଇ ଟ୍ବିଟ୍ କରି ହେଉଛି, ଶୋକ ବାର୍ତ୍ତା ଦେଇ ହେଉଛି ମାତ୍ର ରାତାରାତି ଗୋଟିଏ ଫୋନରେ ଯେଉଁ ସମସ୍ୟାର ସମାଧାନ ହୋଇ ପାରିଥାନ୍ତା ସେ କାମ କରିପାରିଲେନି ଏ ସରକାର, ଏ ବ୍ୟବସ୍ଥା.. ହାଏରେ ତମ ପାରିବା ପଣିଆ
ତାହାଲେ ଏଥିରୁ ଏ ରାଜ୍ୟର ନାରୀଟିଏ, ଝିଅଟିଏ କଣ ବୁଝିବ.. ନ୍ୟାୟ ପାଇବାକୁ ହେଲେ କଣ ଜଳିବାକୁ ପଡିବ ? ନା ମରିବାକୁ ପଡ଼ିବ ? ଯଦି ମଲା ପରେ ସବୁର ସମାଧାନ ତାହାଲେ.. ଛାଡ କିଛି ନକହିବା ଭଲ, ଏଠି ସବୁ ସମାନ, ସବୁ ଗୋଟିଏ ଲାଉର ମଞ୍ଜି..
ଅଧିକ ପଢନ୍ତୁ-
ଶବ ପାଲଟିଲା ସାହସୀ ଝିଅ.. ମାଆ କହୁଛି ମୋ ଝିଅ ମରିନି, ଗାଁ ଲୋକଙ୍କ ଆଖିରୁ ଲୁହ ଶୁଖୁନି..