ବାଲେଶ୍ବର(ରୁଦ୍ରରଂଜନ ଶେଜପଡ଼ା): ଗଣମାଧ୍ୟମକୁ ଗଣତନ୍ତ୍ରର ସ୍ବତନ୍ତ୍ର ସ୍ତମ୍ଭ କୁହାଯାଏ। ଏହା ସାମାଜିକ, ଅର୍ଥନୈତିକ, ରାଜନୈତିକ; ସର୍ବପରି ସାମ୍ପ୍ରତିକ ସ୍ଥିତିକୁ ଅନୁଶୀଳନ କରେ ଏବଂ ଲୋକମାନଙ୍କୁ ତତ୍‌ସଂପର୍କିତ ସୂଚନା ଦିଏ। ଏହା ଏକ ସାମଗ୍ରିକ ଓ ଅତ୍ୟାବଶ୍ୟକ ବ୍ୟବସ୍ଥା। ତେଣୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟକୁ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଲକ୍ଷ୍ୟ ରହିଛି, ଛାତ୍ରଛାତ୍ରୀମାନେ ଉକ୍ତ ବିଷୟକୁ ଅନୁଶୀଳନ କରିବେ ଏବଂ ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହେବେ।

Advertisment

ତେବେ ଏମିତି ଲକ୍ଷ୍ୟ ନେଇ ବାଲେଶ୍ବର ଜିଲ୍ଲା ଫକୀରମୋହନ ବିଶ୍ବବିଦ୍ୟାଳୟ (ଏଫ୍‌ଏମ୍‌ୟୁ)ରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଖୋଲିଛି। ଯେଉଁଠି ଅଧିକାଂଶ ଯୁବବର୍ଗ ନାମଲେଖାଇ ଶିକ୍ଷା ଅର୍ଜନ କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା; ଏଠାରେ ଛାତ୍ରଛାତ୍ରୀମାନେ କେବଳ ପାଠ ପଢ଼ୁନାହାନ୍ତି, ଆଧୁନିକ ଓ ପାରମ୍ପରିକ ଗଣମାଧ୍ୟମକୁ ଆଧାର କରି ବିଶ୍ବବିଦ୍ୟାଳୟ ନିକଟସ୍ଥ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ବିଷୟରେ ସଚେତନ ମଧ୍ୟ କରୁଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଏହି କାମକୁ ସହଜ କରିଛି ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ‌ଷ୍ଟୁଡିଓ।

୨୦୧୮ ମସିହାରେ ଫକୀରମୋହନ ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଖୋଲିଲା। ୩ଟି ଶିକ୍ଷାବର୍ଷରେ ଏଯାଏ ମୋଟ ୫୦ ଜଣ ଛାତ୍ରଛାତ୍ରୀ ସଫଳତାର ସହ ପାଠ୍ୟକ୍ରମ ସାରି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସହ ଅନ୍ୟ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ତେବେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦୂରଦୃଷ୍ଟି, ବିଭାଗୀୟ ମୁଖ୍ୟ ଡ. ଭାରତୀବାଳା ପଟ୍ଟନାୟକଙ୍କ ଉଦ୍ୟମ ଏବଂ ବିଭାଗୀୟ ପ୍ରାଧ୍ୟପକ ଡ. ସ୍ମିତି ପାଢ଼ୀ, ଡ. ମୋତୀ ପାଙ୍ଗକାମ ଓ ଡ. ଅଶେଷ କୁମାର ନାଏକଙ୍କ ସହଯୋଗ ଯୋଗୁ ବିଭାଗ କେଇଟା ବର୍ଷ ଭିତରେ ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି।

publive-image

କୁଳପତି ପ୍ରଫେସର ତ୍ରିପାଠୀଙ୍କ ନିର୍ଦେଶ ମୁତାବକ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟରେ ନିର୍ମାଣ ହୋଇଛି ଏକ ଅତ୍ୟାଧୁନିକ ଷ୍ଟୁଡିଓ। ଏହି ଷ୍ଟୁଡିଓ ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ଅଧକୋଟି ଟଙ୍କା। ଯାହା ଜଣାପଡ଼ିଛି, ଓଡ଼ିଶାର କୌଣସି ବିଶ୍ବବିଦ୍ୟାଳୟରେ ଏପରି ଷ୍ଟୁଡିଓ ପ୍ରାୟତଃ ନାହିଁ। ଛାତ୍ରଛାତ୍ରୀମାନେ ଏଠାରେ ପୁସ୍ତକ ଜ୍ଞାନ ହାସଲ କରିବା ସହ ଷ୍ଟୁଡିଓକୁ ଉପଯୋଗ କରି ବ୍ୟାପକ ବ୍ୟାବହାରିକ ଜ୍ଞାନର ଅଧିକାରୀ ହୋଇପାରୁଛନ୍ତି। ଉତ୍ସାହଜନକ କଥା ହେଉଛି; ଛାତ୍ରଛାତ୍ରୀମାନେ ନିଜକୁ ଶ୍ରେଣୀ ପ୍ରକୋଷ୍ଠ ଓ ଷ୍ଟୁଡିଓ ଭିତରେ ସୀମିତ ରଖିନାହାନ୍ତି। ସେମାନେ ଷ୍ଟୁଡିଓରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଅତ୍ୟାଧୁନିକ ବୈଦ୍ୟୁତିକ ସାଧନକୁ ବ୍ୟବହାର କରି ସ୍ଥାନୀୟ ଗ୍ରାମାଞ୍ଚଳବାସୀଙ୍କୁ ପ୍ରାଥମିକ ଶିକ୍ଷା, ନାରୀଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ସହ ବିଭିନ୍ନ ଜନକଲ୍ୟାଣକାରୀ ସରକାରୀ ଯୋଜନା ବାବଦରେ ସଚେତନ କରୁଛନ୍ତି। ଏହା ସହିତ ଅନ୍ଧବିଶ୍ବାସ ଦୂର ପାଇଁ ରିତିମତ୍‌ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସେମାନେ ନିର୍ମାଣ କରିଛନ୍ତି ‘ଗପ ହେଲେ ବି ସତ’, ‘ସର୍ଜନା’, ‘ନିରବତାର ସ୍ୱର’, ‘ଯମବାଣୀ’, ‘ବଜ୍ରପାତ’, ‘ଫୁଲର ଭବିଷ୍ୟତ’ ପରି ମୋଟ ୧୧ଟି ଭିନ୍ନ ଧରଣର ଓଡ଼ିଆ ଭାଷାଭିତ୍ତିକ କ୍ଷୁଦ୍ର ଚଳଚ୍ଚିତ୍ର। ଯେଉଁ ଚଳଚ୍ଚିତ୍ରଗୁଡ଼ିକ ନିୟମିତ ବ୍ୟବଧାନରେ ବିଶ୍ବବିଦ୍ୟାଳୟ ନିକଟ ବିଭିନ୍ନ ଗାଁ’ରେ ପ୍ରଦର୍ଶନ କରାଯାଉଛି। ସେହିପରି ବିଭାଗର ନିଜସ୍ବ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ବ୍ୟାସଦର୍ଶନ’, ନ୍ୟୁଜ୍‌ ପୋର୍ଟାଲ୍‌ ‘ଟେଲିନ୍ୟୁଜ୍‌’, ରେଡିଓ ଚ୍ୟାନେଲ୍‌ ‘ବ୍ୟାସବାଣୀ’ ଏବଂ ଏବଂ ମାସିକ ପତ୍ରିକା ‘ବ୍ୟାସ ସମ୍ବାଦ’ ରହିଛି। ଯାହାକୁ ବ୍ୟବହାର କରି ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଏବଂ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀଙ୍କ ସହ ଆଖପାଖ ଅଞ୍ଚଳର ଲୋକଙ୍କ ନିକଟରେ ବିଭିନ୍ନ ପ୍ରକାର ବାର୍ତ୍ତା ପହଞ୍ଚାଯାଉଛି।

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ କେବଳ ଅତ୍ୟାଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ଲୋକମାନଙ୍କୁ ସଚେତନ କରୁ ନାହାନ୍ତି, ଏଥିପାଇଁ ସେମାନେ ପାରମ୍ପରିକ ମାଧ୍ୟମ ‘କଣ୍ଢେଇ ନାଚ’କୁ ମଧ୍ୟ ବହୁଳ ଭାବେ ଉପଯୋଗ କରୁଛନ୍ତି। ଯାହା ବେଶ୍‌ ଉପାଦେୟ ହୋଇପାରିଛି ବୋଲି ବିଭାଗୀୟ ପ୍ରାଧ୍ୟାପକ ଡ. ନାଏକ କହିଛନ୍ତି।

ଏଠା‌ରେ ଉଲ୍ଲେଖ ଥାଉକି ଖୁବ୍‌ଶୀଘ୍ର ଫକୀରମୋହନ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଏକ କମ୍ୟୁନିଟି ରେଡିଓ ଷ୍ଟେସନ୍‌ ସ୍ଥାପନ ହେବାକୁ ଯାଉଛି। ଏହା କାର୍ଯ୍ୟକାରୀ ହେଲେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚାଲିଥିବା ସଚେତନତା କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି କୁହାଯାଇଛି।

publive-image

ଏ ସଂପର୍କରେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସ‌ନ୍ତୋଷ କୁମାର ତ୍ରିପାଠୀ କହନ୍ତି, କେବଳ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଖୋଲିଦେଲେ କି ଷ୍ଟୁଡିଓ କରିଦେଲେ ହେବନି। ଏହାର ଠିକ୍‌ ଉପଯୋଗ ହେବା ଆବଶ୍ୟକ। ମୁଁ ଖୁସି ଯେ ବିଭାଗୀୟ ଛାତ୍ରଛାତ୍ରୀମାନେ ତାହା କରିଦେଖାଇଛନ୍ତି। ସେମାନେ ବିଶ୍ବବିଦ୍ୟାଳୟର ବିକା‌ଶ ସହ ସ୍ଥାନୀୟ ଲୋକଙ୍କ ହିତ ପାଇଁ ନାନା କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ସେହିପରି ବିଭାଗୀୟ ମୁଖ୍ୟ ଡ. ଭାରତୀବାଳା ପଟ୍ଟନାୟକ କହିଛନ୍ତି, ଫକୀରମୋହନ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଖୁବ୍‌ କମ୍‌ ସମୟରେ ଏକ ବିକଶିତ ବିଭାଗର ଆଖ୍ୟା ପାଇଲାଣି। ଏଠାରେ ପାଠପଢ଼ା ସହ ବ୍ୟାବହାରିକ ଜ୍ଞାନ ଉପରେ ଗୁରୁତ୍ବ ଦିଆଯାଇଥାଏ। ଛାତ୍ରଛାତ୍ରୀମାନେ ଯାହା ଶିଖୁଛନ୍ତି, ତାହା ଅନ୍ୟକୁ ଶିଖାଉଛନ୍ତି। ସେହିପରି ବିଭିନ୍ନ ବିଷୟରେ ସଚେତନତା ମଧ୍ୟ ସୃଷ୍ଟି କରୁଛନ୍ତି। ଏହି ଅଭିନବ ପ୍ରୟାସ ଆଗକୁ ବି ଜାରି ରହିବ।