ବ୍ରହ୍ମପୁର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୈତିକ ଦଳ ଶିବିରରେ ଅଙ୍କକଷା ଆରମ୍ଭ ହୋଇଗଲାଣି। ନିଜ ନିଜର ଭୋଟ୍ ବ୍ୟାଙ୍କକୁ ଭର୍ତ୍ତି କରିବା ପାଇଁ ଦଳଗୁଡ଼ିକର ବରିଷ୍ଠ ନେତା ଆଗଧାଡ଼ିର ନେତା ଓ କର୍ମୀଙ୍କୁ ନେଇ ଘନ ଘନ ବୈଠକ କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଭୋଟ୍ ପ୍ରତ୍ୟେକ ନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଣୁ ଗଞ୍ଜାମ ଜିଲ୍ଲାର ପ୍ରବାସୀ ଓଡ଼ିଆଙ୍କ ପାଇଁ ସବୁ ଦଳ କିଛି ନା କିଛି ସ୍ବତନ୍ତ୍ର ରଣନୀତି କରୁଛନ୍ତି। ଗୁଜରାଟର ଅହମ୍ମଦାବାଦ, ସୁରତ ପରେ ଏବେ ମହାରାଷ୍ଟ୍ରରେ ରହୁଥିବା ପ୍ରବାସୀ ଓଡ଼ିଆ ଭୋଟର୍ଙ୍କ ଉପରେ ନଜର ପକାଇଛି ବିଜେପି। ମହାରାଷ୍ଟ୍ରରେ ପ୍ରାୟ ୫/୬ଲକ୍ଷ ପ୍ରବାସୀ ଓଡ଼ିଆ ରହୁଛନ୍ତି। ମୁମ୍ବାଇ, ପାଲ୍ଘର, ପୁନେ ଓ ଥାନେ ଅଞ୍ଚଳରେ ଅଧିକାଂଶ ଓଡ଼ିଆ ରହୁଛନ୍ତି। ଏଣୁ ଏହିସବୁ ଅଞ୍ଚଳକୁ ଫୋକସ୍ କରିଛି ବିଜେପି। ସେଠାରେ ରହୁଥିବା ଓଡ଼ିଶାର ୭ଟି ଲୋକସଭା ଆସନ ଅଞ୍ଚଳର ସର୍ବାଧିକ ଲୋକ ଅଛନ୍ତି। ସେମାନଙ୍କୁ ଟାର୍ଗେଟ କରି ନିଜ ଆଡ଼କୁ ଟାଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ମୁମ୍ବାଇରେ ଓଡ଼ିଶା ବିଜେପି ତରଫରୁ ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଦଳର ମୋର୍ଚ୍ଚା ସମ୍ଭାଳିଛନ୍ତି। ମହାରାଷ୍ଟ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏକଜୁଟ୍ କରି ଆଗାମୀ ଦିନ ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ସୁରତରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୬ଲକ୍ଷ ପ୍ରବାସୀ ରହୁଛନ୍ତି। ଏହି ଭୋଟ୍କୁ କବ୍ଜା କରିବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଭିତିରି ରଣନୀତି ପ୍ରସ୍ତୁତ କରି ଆସୁଛନ୍ତି। ବିଜେପି ୨୦୨୪ ପାଇଁ ଏବେ ଠୁ କସରତ ଆରମ୍ଭ କରି ଦେଇଛି। ଖୋଦ୍ ସୁରତ ସାଂସଦ ତଥା କେନ୍ଦ୍ର ବୟନଶିଳ୍ପ ତଥା ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋସ୍ଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସେ ସୁରତରେ ଗଞ୍ଜାମ ଜିଲ୍ଲାର ପ୍ରବାସୀଙ୍କ କଥା ବୁଝୁଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ବିଜେପି ନେତା ଶ୍ରୀ ପାଢ଼ୀ ମହାରାଷ୍ଟ୍ରରେ ତାଙ୍କର ଅଭିଯାନ ଚଳାଇଛନ୍ତି। ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଛୋଟ ଛୋଟ ବୈଠକ କରି ସେମାନଙ୍କ ସମସ୍ୟା ବୁଝୁଛନ୍ତି। ମୁମ୍ବାଇର ମୁଲୁଣ୍ଡ ପଶ୍ଚିମ ଇନ୍ଦିରାନଗରରେ ଥିବା ତ୍ରିମୂର୍ତ୍ତି ମନ୍ଦିରରେ ଶ୍ରୀ ପାଢ଼ୀଙ୍କ ନେତୃତ୍ବରେ ପ୍ରବାସୀ ଓଡ଼ିଆଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ସେ ପ୍ରବାସୀ ଓଡ଼ିଆଙ୍କୁ ମୋଦୀ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପିର ସ୍ଥିତି ମଜବୁତ କରିବାକୁ ସେ ଆହ୍ବାନ କରିଥିଲେ।
ବିଶେଷ କରି ମୁମ୍ବାଇରେ ରହୁଥିବା ଓଡ଼ିଶାର ୭ଟି ଲୋକସଭା ନିର୍ବାଚନୀମଣ୍ଡଳୀ ଯଥା ବ୍ରହ୍ମପୁର, ଆସିକା, କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଜଗତସିଂହପୁର ଲୋକସଭା ଅଞ୍ଚଳର ଭୋଟର୍ଙ୍କୁ ଟାର୍ଗେଟ କରିଛି ବିଜେପି। କିଛିଦିନ ପୂର୍ବରୁ ଶ୍ରୀ ପାଢ଼ୀଙ୍କ ନେତୃତ୍ୱରେ ପ୍ରବାସୀ ଓଡ଼ିଆଙ୍କ ଏକ ବୈଠକ ମୁମ୍ବାଇ ସ୍ଥିତ ବିଜେପି ପ୍ରଦେଶ କାର୍ଯ୍ୟାଳୟ ବସନ୍ତ ସ୍ମୃତିରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରବାସୀଙ୍କ ଭୋଟ୍ କିପରି ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ସେ ଦିଗରେ ବୈଠକରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବସନ୍ତ ମହାନ୍ତି, ସଫଳ ରାଉତ, ପଞ୍ଚୁ ରାଉତ, କମଳ ରାଉତ, ନରସିଂହ ଡୁବା, ରାମଚନ୍ଦ୍ର ପାଢ଼ୀ, ଆଲୋକ ଦାଶ, ସୁଶାନ୍ତ ପାଣିଗ୍ରାହୀ ପ୍ରମୁଖ ସ୍ଥାନୀୟ ଲୋକଙ୍କ ନେତୃତ୍ବ ନେଇଥିଲେ। ଆଗାମୀ ଦିନରେ ବେଙ୍ଗାଲୁରୁରେ ମଧ୍ୟ ପ୍ରବାସୀ ଓଡ଼ିଆଙ୍କୁ ନେଇ ବିଭିନ୍ନ ଅଞ୍ଚଳରେ ସମାବେଶ କରି ସମର୍ଥନ ଯୋଗାଡ଼ କରିବା ପାଇଁ ବିଜେପି ଯୋଜନା କରିଥିବା ଜଣାପଡ଼ିଛି।