ଭୁବନେଶ୍ବର: ଗଞ୍ଜାମ ପରେ ରାଜ୍ୟ ସରକାର ଖୋର୍ଧା ଓ କଟକ ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ଲାଗି ଆଜି ତନାଘନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉଭୟ ଜିଲ୍ଲାର ସ୍ଥିତି ସମୀକ୍ଷା କରାଯାଇଛି। ପରେ ରାଜ୍ୟ ସରକାର େକାଭିଡ୍ ମୁକାବିଲା ପାଇଁ ସ୍ବତନ୍ତ୍ର ରଣନୀତି ଗ୍ରହଣ କରିବା ସହିତ ଉଭୟ ଜିଲ୍ଲା ପାଇଁ ୧୫ କୋଟି ଲେଖାଏଁ ୩୦ େକାଟି ଟଙ୍କା ଯୋଗାଇ ଦେଇଛନ୍ତି। ନୂଆ କୋଭିଡ ଡାକ୍ତରଖାନା ଓ କୋଭିଡ କେୟାର ହୋମ୍ ପରିଚାଳନା ପାଇଁ ଅତିରିକ୍ତ ଭାବେ ୨୦ କୋଟି ୬୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଧ୍ୟ ମଞ୍ଜୁର କରିଛନ୍ତି। ଏହାସହିତ ଲୋକପ୍ରତିନିଧି, ସ୍ବେଚ୍ଛାସେବୀଙ୍କୁ ବିଶ୍ବାସକୁ ନେଇଛନ୍ତି ଓ ଡାକ୍ତରଙ୍କୁ ଖୁସି କରିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି।
ଏହି କ୍ରମରେ ଓଡ଼ିଶା ହେଲ୍ଥ ମେଡି଼କାଲ ସର୍ଭିସ କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରି କହିଛନ୍ତି ଯେ କୋଭିଡ ପରିସ୍ଥିତିରେ ଡାକ୍ତରମାନଙ୍କର ଗୁରୁ ଦାୟିତ୍ବ ରହିଛି। ସେମାନେ କଠିନ ପରିଶ୍ରମ କରୁଛନ୍ତି। ଶ୍ରମ ଓ ଇଏସଆଇ ବିଭାଗରେ କାମ କରୁଥିବା ଇନସ୍ୟୁରାନ୍ସ ମେଡ଼ିକାଲ ଅଫିସର ମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ। ବୈଠକରେ ଆହୁରି ନିଷ୍ପତ୍ତି ହୋଇଛି ଯେ ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ଆଇସିୟୁ ସହିତ ୧୫୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ସେହିଭଳି ନୀଳାଚଳ ଡାକ୍ତରଖାନାରେ ୧୫ଟି ଆଇସିୟୁ ସହିତ ୧୨୬ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ ଚଳିତ ସପ୍ତାହରେ କାର୍ଯ୍ୟ ଆରମ୍ଭ କରିବ।
ଲୋକପ୍ରତିନିଧି, ସ୍ବେଚ୍ଛାସେବୀ ଓ ଧାର୍ମିକ ସଂଗଠନର ସହଯୋଗ ଲୋଡ଼ିଲେ
ଭୁବନେଶ୍ବରର ତିନି ବିଧାୟକଙ୍କ ସକ୍ରିୟ ସହଯୋଗ ଏବଂ ସ୍ଥାନୀୟ ବିଭିନ୍ନ ଧାର୍ମିକ, ସାମାଜିକ ଅନୁଷ୍ଠାନ, ସ୍ବେଚ୍ଛାସେବୀ ସଂସ୍ଥା ଓ ଆବାସିକ କଲ୍ୟାଣ ସଂସ୍ଥା ଗୁଡିକ ଦ୍ବାରା ଭୁବନେଶ୍ବରରେ ୧୩୮୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ୍ ଖୁବ ଶୀଘ୍ର ସ୍ଥାପନ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ ଅନ୍ୟ ସଂଗଠନ ମାନଙ୍କୁ ମଧ୍ୟ ଆଗେଇ ଆସିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ଆଶାପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ବରର ବସ୍ତି ମାନଙ୍କରେ କୋଭିଡ୍ ସଂକ୍ରମଣ ରୋକିବା ଉପରେ ଗୁରୁତ୍ବ ଦିଆଯିବା ଦରକାର। ବସ୍ତି କମିଟି ଗୁଡିକ ଏ ଦିଗରେ ଭଲ କାମ କରୁଥିବାକୁ ବିଏମସି ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକ ରହିଛି।
ସେହିପରି କଟକ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି। ୯୨୫ ଅତିରିକ୍ତ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର କଟକ ଜିଲ୍ଲାରେ କାର୍ଯ୍ୟ କରୁଛି। ଆଜିର ବୈଠକରେ ପୂଜା କମିଟି ଓ ସାହି କମିଟିର ସହଯୋଗରେ କଟକର ସାହି ବସ୍ତି ମାନଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଉପରେ ଗୁରୁତ୍ବ ଦିଆଯାଇଛି। ସ୍ଥିର ହୋଇଛି ଯେ କଟକ ବଡ଼ ମେଡ଼ିକାଲରେ କୋଭିଡ-୧୯ ସଂପର୍କରେ ତାଲିମ ଓ ସୂଚନା ଦେବା ପାଇଁ ସୂଚନା କେନ୍ଦ୍ର ଖୁବ୍ ଶୀଘ୍ର କାର୍ଯ୍ୟ କରିବ। ସେହିଭଳି କଟକସ୍ଥିତ ଏମ୍ଜେ ଲାବ୍ର ଉନ୍ନତୀକରଣ କରାଯିବ। ଏହାଦ୍ବାରା କୋଭିଡ-୧୯ ରୋଗୀ ମାନଙ୍କୁ ଫଳପ୍ରଦ ଚିକିତ୍ସା ଯୋଗାଇ ଦିଆଯାଇପାରିବ େବାଲି ଅଧିକାରୀମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦% ଥିବା ବେଳେ କଟକ ଜିଲ୍ଲାରେ ଏହା ୭୧% ରହିଛି। ଯାହାକି ଜାତୀୟ ହାର ୬୩% ରୁ ଅଧିକ ଅଟେ। ଏଥିପାଇଁ ଆଜି ଦୁଇ ଜିଲ୍ଲାର କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାର କୋଭିଡ ପରିଚାଳନା ଟିମ୍କୁ ଧନ୍ୟବାଦ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କୋଭିଡ-୧୯ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇ ନୂଆ କୋଭିଡ କେୟାର ହୋମ୍ ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ କର୍ପୋରେଟ୍ ସେକ୍ଟର ଆଗେଇ ଆସିବା ଦରକାର। ଯେହେତୁ ସ୍ବଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ହୋମ୍ର ପରିକଳ୍ପନା କରାଯାଇଛି, ଏଣୁ ଏହାର ଆବଶ୍ୟକତା ରହିଛି। କରୋନା ଯୁଦ୍ଧରେ ଆଗ ଧାଡିରେ ଥିବା କୋଭିଡ ଯୋଦ୍ଧା ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କଟକ ବଡ଼ ମେଡ଼ିକାଲକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦନ ହଜାର ହଜାର ଲୋକ ଆସୁଥିବାରୁ ଏଥିପ୍ରତି ବିଶେଷ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।
ଆଲୋଚନାରେ ଅଂଶଗ୍ରହଣ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଘରେ ସଙ୍ଗରୋଧ ଉପରେ ଜୋର ଦେବା ସହ ଗୁଟ୍କାର ବ୍ୟବହାର କଡାକଡି ଭାବରେ ନିଷିଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ। ନଗର ଉନ୍ନୟନ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କୋଭିଡ ଚିକିତ୍ସା ପାଇଁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ, ଅଧିକ ଶଯ୍ୟା ଓ ଆଇସିୟୁ କରାଯିବା ଲାଗି ମତ ରଖିଥିଲେ। ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା କୋଭିଡ ସଚେତନତା ଅଭିଯାନରେ ଥିବା ବ୍ୟକ୍ତିମାନଙ୍କୁ ବୀମା ଭୁକ୍ତ କରିବା ଲାଗି ପରାମର୍ଶ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ଲାଜ୍ମା ଥେରାପି ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ଏଥିପାଇଁ ଏକ ପ୍ରୋଟକଲ୍ ବିକାଶ କରିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗଞ୍ଜାମ ଜିଲ୍ଲାରେ ଆଜି ୩ ଜଣ ଗୁରୁତର କୋଭିଡ୍ ରୋଗୀଙ୍କୁ ପ୍ଲାଜ୍ମା ଥେରାପି ଦିଆଯିବା ବିଷୟରେ ସରକାରଙ୍କୁ ଜଣାଇଥିଲେ। କଟକ ବଡ଼ ମେଡିକାଲରେ ରୋଗୀଙ୍କ ସୁବିଧା ପାଇଁ ଅଧିକ ଅସ୍ଥାୟୀ ଓପିଡି ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା।
ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ଥିବା ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲାପାଳମାନେ ସେ କୋଭିଡ୍ ପରିଚାଳନା ସଂପର୍କରେ ସରକାରଙ୍କୁ ଜଣାଇଥିଲେ।