ଟିକାକରଣରେ ଗ୍ରାମାଞ୍ଚଳକୁ ଫୋକସ୍; ପିଏଚ୍‌ସି, ସବ୍‌-ସେଣ୍ଟରକୁ ଗଲାଣି ଟିକାକରଣ

ଭୁବନେଶ୍ବର : ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ରାଜ୍ୟ ସରକାର ଏବେ ଗ୍ରାମାଞ୍ଚଳକୁ ଟିକାକରଣରେ ଗୁରୁତ୍ବ ଦେଇଛନ୍ତି। ସହରାଞ୍ଚଳରେ ଟିକାକରଣ ମାତ୍ରା ବଢ଼ିଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ ଟିକାକରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ନଜରରେ ରଖି ଏବେ ପିଏଚ୍‌ସି ଓ ସବ୍‌-ସେଣ୍ଟରରେ ଟିକାକରଣ ଆରମ୍ଭ ହୋଇଛି।

କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଟିକାକରଣ ଏକ ପ୍ରମୁଖ ଅସ୍ତ୍ର। ରାଜ୍ୟରେ ଏବେ ୧.୭୧ କୋଟି ଡୋଜ୍ ଟିକା ଦିଆଗଲାଣି। ତହିଁରୁ ୪୦ଲକ୍ଷ ଲୋକ ଦୁଇଟି ଡୋଜ୍ ଟିକା ନେଇସାରିଛନ୍ତି। ଯାହାକି ରାଜ୍ୟରେ ଟିକା ନେବାକୁ ଥିବା ହିତାଧିକାରୀଙ୍କ ୧୩.୫ ପ୍ରତିଶତ। ଏହାସହ ସହରାଞ୍ଚଳରେ ୮୦ ପ୍ରତିଶତ ଜନସଂଖ୍ୟା ଟିକା ନେଇ ସାରିଲେଣି। ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଟିକାକରଣ କରିବା ଲାଗି ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଅଧିକ ସଂଖ୍ୟାରେ ଟିକାକରଣ କେନ୍ଦ୍ର ଖୋଲାଯିବ। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଦିଆଯାଇଥିବା ୧.୭୧କୋଟି ଡୋଜ୍‌ ମଧ୍ୟରେ ୧.୩୧କୋଟି ପ୍ରଥମ ଓ ୪୦ଲକ୍ଷ ଦ୍ବିତୀୟ ଡୋଜ୍ ଦିଆଯାଇଛି। ହେଲେ ଗ୍ରାମାଞ୍ଚଣରେ କେତେ ପ୍ରତିଶତ ଟିକାକରଣ ହୋଇଛି ‌ସେ ସଂପର୍କରେ କୋ-ୱିନ୍‌ରେ ବ୍ୟବସ୍ଥା ନାହିଁ। ମାତ୍ର ଗ୍ରାମାଞ୍ଚଳରେ ଏବେ ଟିକାକରଣରୁ ଅଗ୍ରାଧିକାର ଦିଆଯିବ। ସେହିପରି ଭୁବନେଶ୍ବର, ଗଞ୍ଜାମ ବାଦ୍ ଅନ୍ୟ ଜିଲ୍ଲାରେ କୋଭାକ୍ସିନ୍ ଟିକାକରଣ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଏବେ ରାଜ୍ୟରେ ଧୀରେ ଧୀରେ କୋଭାକ୍ସିନ୍‌ର ମଧ୍ୟ ଅଭାବ ଦେଖିବାକୁ ମିଳିଲାଣି। ଯଦିଓ ଆସନ୍ତ ୭ତାରିଖରେ କୋଭାକ୍ସିନ୍ ଟିକା ଆସିବ ତଥାପି ଏହି ସଂଖ୍ୟା ଯଥେଷ୍ଟ ନୁହେଁ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ ସମୁଦାୟ ୩.୧କୋଟି ଲୋକଙ୍କୁ ଟିକା ଦିଆଯିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬.୨ କୋଟି ‌ଡୋଜ୍‌ର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଦୈନିକ ୩.୫ଲକ୍ଷ ଲୋକଙ୍କୁ ଟିକା ଦେବା ଲାଗି ଲକ୍ଷ୍ୟ ରଖିଛନ୍ତି। ଏବେ ବହୁ ସଂଖ୍ୟାରେ ହିତାଧିକାରୀଙ୍କ ଦ୍ବିତୀୟ ଡୋଜ୍ ନେବାର ଅବଧି ଆସିଥିବାରୁ ରାଜ୍ୟ ସରକାର ମହଜୁଦ ଟିକାର ୭୦ ପ୍ରତିଶତ ଦ୍ବିତୀୟ ଡୋଜ୍ ପାଇଁ ବ୍ୟବହାର କରୁଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ଏବେ ଦୈନିକ ଯେଉଁ ପରିମାଣର ଟିକାକରଣ କରାଯାଉଛି ତହିଁରେ ଆସନ୍ତା ୪ ମାସ ଭିତରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ପ୍ରଦାନ କରିବା ଅସମ୍ଭବ। ଅପରପକ୍ଷରେ ଆସନ୍ତାକାଲି କୋରାପୁଟକୁ ବାଦ୍ ଦେଇ ରାଜ୍ୟର ଅନ୍ୟ ଜିଲ୍ଲାରେ ସମୁଦାୟ ୧୦୯୯ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ରାଜ୍ୟରେ ଏବେ ୫୮,୯୧୦ ଡୋଜ୍ କୋଭାକ୍ସିନ୍ ଓ ୧୩ଲକ୍ଷରୁ ଅଧିକ କୋଭିସିଲ୍‌ଡ ଟିକା ମହଜୁଦ ରହିଛି।

ସମ୍ବନ୍ଧିତ ଖବର