ଭୁବନେଶ୍ବର : ଜାରି ରହିଛି ଘନ କୁହୁଡ଼ି। ଲଗାତାର ତିନି ଦିନ ହେଲା ରଜ୍ୟର ଅର୍ଧାଧିକ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଅଧିକାଂଶ ସ୍ଥାନରେ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତା ‌ଠିକ୍‌ ଭାବେ ଦୃଶ୍ୟମାନ ହୋଇ ନ ଥିଲା। କୌଣସି ସ୍ଥାନରେ ଅଘଟଣ ହୋଇ ନଥିଲେ ମଧ୍ୟ ବସ୍‌ ଓ ଟ୍ରେନ୍‌ ଚଳାଚଳରେ କିଛିଟା ବିଳମ୍ବ ହୋଇଥିବା ସୂଚନା ମିଳିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଏଭଳି ଘନ କୁହୁଡ଼ି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

କୁହାଯାଇଛି ଯେ ୨୯ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲା‌‌ରେ ଘନ କୁହୁଡ଼ି ହେବ। ମଧ୍ୟରାତି ପରେ କୁହୁଡ଼ି ପରିମାଣ ବଢ଼ିବ। ଉପକୂଳ ଓଡ଼ିଶାରେ ଭୋର ସମୟରେ ସ୍ଥିତି ଅଧିକ ଖରାପ ରହିବ। ତେଣୁ ଭଦ୍ରକ, ଅନୁଗୁଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋ‌ର୍ଧା, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲା ପାଇଁ ୟେ‌ଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘନ କୁହୁଡ଼ି କବଳରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ୩୦ ତାରିଖରେ ମୟୂରଭଞ୍ଜ, ଖୋର୍ଧା, ପୁରୀ ଓ ଢେଙ୍କାନାଳରେ ଘନ କୁହୁଡ଼ି ହେବ। ଏହାବ୍ୟତୀତ ଉପକୂଳ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ବି ସକାଳୁ ସକାଳୁ କୁହୁଡ଼ି ପଡ଼ିବ। ଡିସେମ୍ବର ପହିଲାରୁ ପାଗରେ କିଛିଟା ପରିବର୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପକ୍ଷରେ ଘନ କୁହୁଡ଼ି ଲାଗିରହିଥିଲେ ମଧ୍ୟ ତାପମାତ୍ରା ହ୍ରାସ ପାଇନି। ଆଜି ବି ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ କୋରାପୁଟରେ ୧୨.୫, ସୁନ୍ଦରଗଡ଼ରେ ୧୩, ଅନୁଗୁଳରେ ୧୪, ଟିଟିଲାଗଡ଼ ଓ ସୋନପୁରରେ ୧୩.୬ ଡିଗ୍ରି ଲେଖାଏ ରହିଥିଲା। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।