ରେଳକୁ କୁହୁଡ଼ି ଭୟ : ସତର୍କତା ଅବଲମ୍ବନ ଓ ଟ୍ରେନ୍‌ର ନିରାପତ୍ତା ପାଇଁ କର୍ମଚାରୀଙ୍କୁ ପରାମର୍ଶ

ଭୁବନେଶ୍ବର : ଘନ କୁହୁଡ଼ି ସମୟରେ ଯାତ୍ରୀମାନଙ୍କ ନିରାପତ୍ତାକୁ ଗୁରୁତ୍ବଦେଇ ପୂର୍ବତଟ ରେଳପଥ ପକ୍ଷରୁ ଏହା ପରିସୀମା ମଧ୍ୟରେ ନାଇଟ୍‌ ପାଟ୍ରୋଲି˚ ଦଳକୁ ସଜାଗ କରାଯାଇଛି। ସେମା‌େନ ହାଲୁକା ଓଜନ ବିଶିଷ୍ଟ କିଟ୍‌(ବିଟର, କ୍ରୋବାର, ମୁଦ୍ରା ଆକୃତିର ମେରୁନ ରଙ୍ଗର ଡିଟୋନେଟର, ଫ୍ଲାସ୍‌ ସିଗ୍ନାଲ୍‌ ଲାଇଟ୍‌, କ୍ୟାପ୍‌, ଗ୍ଲୋଭସ୍‌, ହୁଇସିଲ୍‌) ଓ ଫ୍ଲୋରୋସେଣ୍ଟ୍‌ ଜ୍ୟାକେଟ ପିନ୍ଧି ଟ୍ରେନ୍‌ ଚାଳକଙ୍କୁ ସତର୍କ କରାଉଛନ୍ତି। ଟ୍ରାକ୍‌ର ଫିସ୍‌ ପ୍ଲେଟ୍‌ରେ ଯଦି କୌଣସି ତ୍ରୁଟି ରହିଥାଏ, ସ୍କୃ ସଠିକ୍‌ ଜାଗା ନଥାଏ ତେବେ ନାଇଟ୍‌ ପାଟ୍ରୋଲି˚ ଦଳ ଏହାର ଉଚିତ ପଦକ୍ଷେପ ନେବେ। ୯ କିମି ପର୍ଯ୍ୟନ୍ତ ଟ୍ରେନ୍‌ ଲାଇନର ଉଭୟ ପାର୍ଶ୍ବକୁ ପରୀକ୍ଷା କରିବେ। ଯଦି ଟ୍ରାକ୍‌ରେ କୌଣସି ଫାଟ କିମ୍ବା କ୍ଷୟକ୍ଷତି ରହିଥାଏ ତେବେ ଏହି ଟିମ୍‌ ତାହାକୁ ତତ୍କାଳ ମରାମତି କରିବେ। ମରାମତି ପାଇଁ ଯଦି ଅଧିକ ସମୟ ଦରକାର ପଡ଼େ ତେବେ ଆସୁଥିବା ଟ୍ରେନ୍‌କୁ ଲାଲ୍‌ ଆଲୋକ ସଙ୍କେତ ଦେଖାଇ ବନ୍ଦ କରିପାରିବେ।

ଶୀତ ଋତୁକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ରାତ୍ରୀକାଳୀନ ପାଟ୍ରୋଲି˚ମ୍ୟାନ୍‌କୁ ଉପଯୁକ୍ତ ତାଲିମ ଦିଆଯାଉଛି। ଘନ କୁହୁଡ଼ି ସମୟରେ ଟ୍ରେନ୍‌ ଚଳାଚଳକୁ ସୁଗମ କରିବା ଓ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଲୋକୋ ପାଇଲଟ୍‌ମାନଙ୍କୁ ସେମାନଙ୍କ ଟ୍ରେନର ବେଗକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଉଛି। ବିଳମ୍ବିତ ରାତି ଓ ପ୍ରାତଃ ସମୟ(ମଧୢରାତ୍ରରୁ ସକାଳ ୭ ଘଣ୍ଟା) ପର୍ଯ୍ୟନ୍ତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଥିବା ଫୁଟ୍‌ ପ୍ଲେଟ୍‌ ନିରୀକ୍ଷଣ ଓ ଆପାତକାଳୀନ ଯାଞ୍ଚ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଯେତେବେଳେ ଜଣେ ଲୋକୋ ପାଇଲଟ୍‌ ବିଚାର କରିବେ ଯେ କୁହୁଡ଼ି ଯୋଗୁଁ ରାସ୍ତା ଠିକ୍‌ ଭାବେ ଦେଖାଯାଉନାହିଁ ସେତେବେଳେ ସେ କର୍ତ୍ତୃପକ୍ଷଙ୍କୁ କେତେ ଗତିରେ ଟ୍ରେନ୍‌ ଚଳାଇବେ ଓ କେତେ ଗତିରେ ଗଲେ ଟ୍ରେନ୍‌କୁ ଆବଶ୍ୟକତା ଅନୁସାରେ ରୋକିପାରିବେ ସେ ବିଷୟରେ ନିଜେ ନିଷ୍ପତ୍ତି ନେବେ। ଏପରିସ୍ଥଳେ ଟ୍ରେନ୍‌ର ଗତି ଘଣ୍ଟା ପ୍ରତି ୬୦ କିମିରୁ ଅଧିକ ହେବା ଉଚିତ୍‌ ନୁହେଁ। ଏନେଇ ଲୋକୋ ପାଇଲଟ୍‌ ତଥା ଗାର୍ଡମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର