ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ସେମତ ଉତ୍ତର ପୂର୍ବ ଭାରତରେ ବିକ୍ଷୋଭ ଯୋଗୁ ଓଡ଼ିଶାରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଏପଟେ ଆଜି ଘନ କୁହୁଡ଼ି ଯୋଗୁ ଭୁବନେଶ୍ବର ବିମାନ ବନ୍ଦରରେ ୧୦ଟି ବିମାନର ଉଡ଼ାଣ ବିଳମ୍ବିତ ହୋଇଛି।
ଆଜି ସକାଳୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନବନ୍ଦରର ଭିଜିବିଲିଟି କମିଯିବାରୁ ବିମାନ ସେବା ପ୍ରଭାବିତ ହୋଇଥିଲା। ୬ଟି ବିମାନ ଭୁବନେଶ୍ବରରେ ଅବତରଣ କରିନପାରି କୋଲକତା ବିମାନବନ୍ଦରକୁ ଡାଇଭର୍ଟ ହୋଇଥିବାବେଳେ ୪ଟି ବିମାନ ଭୁବନେଶ୍ବରରୁ ବିଳମ୍ବରେ ଉଡ଼ାଣ କରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ସକାଳ ୮ଟା ୪୦ରେ ନୂ୍ଆଦିଲ୍ଲୀରୁ ଆସିଥିବା ଇଣ୍ଡିଗୋ ବିମାନ, ୮ଟା ୩୦ରେ ବେଙ୍ଗାଲୁରରୁ ଆସିଥିବା ଏୟାର ଏସିଆ ବିମାନ, ୮ଟା ୫୦ରେ କୋଲକତାରୁ ଅାସିଥିବା ଏୟାର ଏସିଆ ବିମାନ, ଦିଲ୍ଲୀରୁ ସକାଳ ୯ଟା ୫ ରେ ଆସିଥିବା ଭିସ୍ତାରା ବିମାନ, ଦିଲ୍ଲୀରୁ ୯ଟା ୧୦ରେ ଆସିଥିବା ଏୟାର ଇଣ୍ଡିଆ ବିମାନ, ୯ଟା ୪୦ରେ କୋଲକତାରୁ ଆସିଥିବା ଗୋ ଏୟାର ବିମାନ ଭୁବନେଶ୍ବରରେ ଅବତରଣ କରି ନ ପାରିବାରୁ ଏହା କୋଲକତା ବିମାନବନ୍ଦରକୁ ଡାଇଭର୍ଟ ହୋଇଥିଲା। ଭୁବନେଶ୍ବରରେ କୁହୁଡ଼ି କମିବା ପରେ ପୂର୍ବାହ୍ନ ୧୦ଟା ପରେ ବିମାନ ଚଳାଚଳ ସ୍ବାଭାବିକ ହୋଇଥିଲା। କିନ୍ତୁ ଏହି ୬ଟି ବିମାନ ବିଳମ୍ବରେ ଆସି ବିଳମ୍ବରେ ଏଠାରୁ ଛାଡ଼ିଥିଲା। ଭିସ୍ତାରା ବିମାନଟି ଅପରାହ୍ନ ୧ଟା ୩୦ରେ ଭୁବନେଶ୍ବରରେ ଅବତରଣ କରିଥିବାବେଳେ ବାକି ବିମାନଗୁଡ଼ିକ ଏହାପରେ ଅବତରଣ କରିଥିଲା।
ସେହିପରି ଭୁବନେଶ୍ବରରୁ ସକାଳ ୮ଟା ୩୦ରେ ମୁମ୍ବାଇ ଯିବାକୁ ଥିବା ଇଣ୍ଡିଗୋ ବିମାନ ୮ଟା ୩୦ ପରିବର୍ତ୍ତେ ଅପରାହ୍ନ ୧ଟା ୨୦ରେ ଛାଡ଼ିଥିଲା। ୮ଟା ୫୫ରେ ହାଇଦ୍ରାବାଦ ଯିବାକୁ ଥିବା ଏୟାର ଏସିଆ ବିମାନ ପ୍ରାୟ ୪ଘଣ୍ଟା ବିଳମ୍ବରେ ଯାଇଥିଲା। ପୂର୍ବାହ୍ନ ୯ଟା ୧୦ରେ ଦିଲ୍ଲୀ ଯିବାକୁ ଥିବା ଇଣ୍ଡିଗୋ ବିମାନ ୫ଘଣ୍ଟା ବିଳମ୍ବରେ ଏବଂ ୯ଟା ୨୦ରେ ବେଙ୍ଗାଲୁରୁ ଅଭିମୁଖେ ଯିବାକୁ ଥିବା ଏୟାର ଏସିଆ ବିମାନ ସାଢ଼େ ୪ଘଣ୍ଟା ବିଳମ୍ବରେ ଏଠାରୁ ଛାଡ଼ିଥିଲା। ବିମାନ ଉଡ଼ାଣ ପ୍ରାୟ ୪ରୁ ୫ଘଣ୍ଟା ବିଳମ୍ବ ହେବାରୁ ଯାତ୍ରୀମାନେ ବିମାନବନ୍ଦରରେ ହୋହଲ୍ଲା କରିଥିଲେ। ବିମାନ କମ୍ପାନିର ଅଧିକାରୀମାନେ ଯାତ୍ରୀଙ୍କୁ ବୁଝାସୁଝା କରିଥିଲେ ହେଁ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଏପରିକି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା।
ଆଜି ରାତି ୧୦ଟା ବେଳେ ଏୟାର ଏସିଆ ଫ୍ଲାଇଟ ଲୋ ଭିଜିବିଲିଟି ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇ ନପାରି କୋଲକାତା ପଳାଇଥିଲା। ଏହି ବିମାନରେ ୧୫୬ଜଣ ଯାତ୍ରୀ ଯିବା ପାଇଁ ଅପେକ୍ଷା କରିଥିଲେ। ବିମାନ ଚାଲିଯିବା ସୂଚନା ପାଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏୟାର ଏସିଆ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଶୁଝା କରିବା ସହ କିଛି ଟିକେଟ ଫେରାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ହୋଟେଲରେ ରହିବେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କିଛି ଯାତ୍ରୀ ବିମାନ ବନ୍ଦରରେ ବସିରହିଛନ୍ତି।
ରାଜଧାନୀରେ ଘନ କୁହୁଡ଼ି: ୧୦ ବିମାନ ଉଡ଼ାଣ ପ୍ରଭାବିତ, ବିମାନବନ୍ଦରରେ ଉତ୍ତେଜନା
/sambad/media/post_attachments/wp-content/uploads/2019/10/airport.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)