ଫୁଲବାଣୀ/ଦାରିଙ୍ଗବାଡ଼ି : କନ୍ଧମାଳରେ ହାଡ଼ଭଙ୍ଗା ଶୀତ। କ୍ରମାଗତ ପାରଦ ଖସିବା ଫଳରେ ଥଣ୍ଡା ଲାଗିଛି। ଓଡିଶାର ସବୁଠାରୁ ଥଣ୍ଡା ସହର କୁହାଯାଉଥିବା ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ପାରଦ ଖସି ୬ରେ ପହଞ୍ଚିଛି। ଆଜି ଦାରିଙ୍ଗବାଡିରେ ତୁଷାରପାତ ହୋଇଥିବା ଜଣାପଡିଛି। ଦାରିଙ୍ଗବାଡ଼ି ବ୍ଲକର ବହୁ ଆଭ୍ୟନ୍ତରୀଣ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ସେଲସିୟସ ଥିବା ବେଳେ ଆଭ୍ୟନ୍ତରୀଣ ଇଲାକାରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ଅର୍ଥାତ ୩ରୁ ୪ ଡିଗ୍ରୀ ସେଲସିୟସ୍ ରହୁଛି। କଟିଙ୍ଗା, ଝିଙ୍ଗିରିଗୁଡ଼ା, ମାଣ୍ଡିପଙ୍କା, ଗଦାପୁର, ସିର୍କାବର୍ଗ, ଶ୍ରାନିକେତା, ବୁଡାଗୁଡ଼ା, ଗୁମିକିଆ, ପ୍ଲିହେରି, ଗ୍ରୀନବାଡ଼ି, ପରପାଙ୍ଗା ସମେତ ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଥିବା ଜଣାପଡ଼ିଛି। ଆହୁରି ସପ୍ତାହେ ଶୀତ ଲହରୀ ଲାଗି ରହିବ। ଏଭଳି ଅନୁମାନ ପାଣିପାଗ ବିଭାଗ କରୁଥିବା ବେଳେ ଏହାକୁ ନେଇ ସମଗ୍ର କନ୍ଧମାଳବାସୀ ଆଶା ଆଶଙ୍କାରେ ରହିଛି। ଶୀତରୁ ତ୍ରାହି ପାଇବା ନିମନ୍ତେ କାଠ, ଟାୟାର ଏବଂ ଶୁଖିଲା ପତର ଉପରେ ନିଭର୍ର କରିବାକୁ ପଡୁଛି। ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଛି। ଏହା ସାଙ୍ଗକୁ ଘନ କୁହୁଡି। ଯାହାକି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଶୀତରୁ ମଜା ଉଠାଇବାକୁ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।