ଅପରାହ୍ଣରୁ ପୁରୀକୁ ମାଡ଼ି ଆସିଲା ଘନ କୁହୁଡି, ବଡ଼ଦେଉଳକୁ ଦେଖିପାରିଲେନି ଭକ୍ତ

ପୁରୀ: ଶ୍ରୀକ୍ଷେତ୍ରରେ ଘନ କୁହୁଡି । ଅପରାହ୍ନ ୪ଟା ସମୟରୁ ବଡଦାଣ୍ଡକୁ କୁହୁଡି ମାଡିଆସିଛି । ବଡଦାଣ୍ଡରୁ ବଡ଼ଦେଉଳକୁ ଭଲ କରି ଦେଖିପାରିନାହାନ୍ତି ଭକ୍ତ । କୁହୁଡିର ପ୍ରକୋପ ଏଭଳି ଥିଲା ଯେ ଶ୍ରୀମନ୍ଦିର ବଡ଼ଦାଣ୍ଡରୁ ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହୋଇନଥିଲା। କୁହୁଡ଼ିର ଘନ ଆସ୍ତରଣ ଭିତରେ ଲୁଚିଯାଇଥିଲା ଶ୍ରୀମନ୍ଦିର । ମିଳିଥିବା ସୂଚନା ମୁତାବକ, ସନ୍ଧ୍ୟା ୫ଟା ବେଳକୁ ପୁରୀ ଆକାଶକୁ ପୂରାପୂରି କୁହୁଡି ଢାଙ୍କିଦେଇଥିଲା । ଜଣେ ଦର୍ଶନାର୍ଥୀଙ୍କ ଅନୁଯାୟୀ, କୁହୁଡି ଯୋଗୁଁ ବଡ ଦେଉଳ, ଜଗମୋହନ, ନାଟମଣ୍ଡପ ସହ ଭୋଗମଣ୍ଡପ ଅନ୍ଧାର ଭିତରେ ଅଦୃଶ୍ୟ ପ୍ରାୟ ହୋଇଯାଇଥିଲା । ମୋ ଭଳି ଶ୍ରୀମନ୍ଦିରରେ ପତିତପାବନ ନେତ ବନ୍ଧା ଦେଖିବାକୁ ଅପେକ୍ଷା କରିଥିବା ବହୁ ଭକ୍ତଙ୍କୁ ନିରାଶ ହେବାକୁ ପଡିଛି ।

କୁହୁଡ଼ି ଯୋଗୁଁ  ନୀଳଚକ୍ର ଓ ପତିତପାବନ ବାନାକୁ ଆଖି ପୂରାଇ ଭକ୍ତ ଦେଖିପାରିନାହାନ୍ତି । ଶ୍ରୀକ୍ଷେତ୍ର ଆସିଲେ ପତିତପାବନ ବାନା ଓ ନୀଳଚକ୍ର ଦର୍ଶନର ଏକ ସ୍ୱତନ୍ତ୍ର ମହତ୍ତ୍ବ ରହିଥାଏ ବୋଲି ବିଶ୍ୱାସ ରହିଛି, ଯାହା ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ।  ଗତକାଲି ମଧ୍ୟ ପୁରୀରେ ସଂଜ ନଉଁ ନଉଁ କୁହୁଡି ହୋଇଥିଲା । ହେଲେ ଆଜିର କୁହୁଡି ତ‌ା’ଠାରୁ ବହୁଗୁଣରେ ଅଧିକ ରହିଛି ।

ଅପରାହ୍ନ ୪ଟା ପୁରୀରେ ଗାଡିମଟର ଲାଇଟ୍ ଦେଇ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ଆଗରୁ କୁହୁଡି ହେବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହେବା ସହ ଗମନାଗମନରେ ଯାତ୍ରୀ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀରେ ବହୁ ଅସୁବିଧା ଭୋଗିଛନ୍ତି ।

ସମ୍ବନ୍ଧିତ ଖବର