ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଏପରିକି କଟକ- ଭୁବନେଶ୍ୱରରେ ବି ଘନ କୁହୁଡ଼ିର ଆସ୍ତରଣ ପରିଲକ୍ଷିତ ହୋଇଛି। ରାସ୍ତାରେ ୨୦ରୁ ୩୦ ମିଟର ଯାଏଁ ଦୂରକୁ ଦେଖିବା କଷ୍ଟକର ହୋଇପଡ଼ିଛି। ଏହାଫଳରେ ଗାଡ଼ି ଚଳାଚଳ ଏବଂ ଯାତାୟତରେ ସମସ୍ୟା ଉପୁଜୁଛି।
ଗତକାଲି ବି କଟକ ଓ ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହୋଇଛି। ସର୍ବନିମ୍ନ ଦୃଶ୍ୟମାନ ଦୂରତା ଉଭୟ ସହରରେ ୧୦୦ମିଟର ରେକର୍ଡ କରାଯାଇଥିଲା। ଅନୁଗୁଳ ଓ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା।
ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ସୁଦ୍ଧା ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର, ଖୋର୍ଧାରେ ଘନ କୁହୁଡ଼ି ସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିଲା। ୧୩ ତାରିଖ ରାତିରୁ ୧୪ ତାରିଖ ସକାଳ ସୁଦ୍ଧା କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ହେବାକୁ ଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଗଜପତି, ମୟୂରଭଞ୍ଜରେ ମଧ୍ୟମଧରଣର କୁହୁଡ଼ି ପଡ଼ିବ। ପରବର୍ତ୍ତୀ ୨୪ ଘଣ୍ଟା ତଥା ୧୫ ତାରିଖ ସକାଳ ସୁଦ୍ଧା ଅନୁଗୁଳ, ଢେଙ୍କାନାଳ, କଟକ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ସାଙ୍ଗକୁ ବୌଦ୍ଧ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ଅଧିକ ରହିଛି।