ଭୁବନେଶ୍ବର: ଆସନ୍ତା ୪ରୁ ୫ ଦିନ ଭିତରେ ରାତିର ତାପମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବାର ନାହିଁ। ଏହି ଦିନଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ କୁହୁଡ଼ି ଯୋଗୁ ଦୃଶ୍ୟତା ହ୍ରାସ ପାଇବାକୁ ଥିବାରୁ ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଉଛି କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ କୋରାପୁଟ। ଆଜି ପାଇଁ ମଧ୍ୟ ଏହି ୪ ଜିଲ୍ଲାକୁ ଏଭଳି ଚେତାବନୀ ଦିଆଯାଇଥିଲା। ବିଳମ୍ବିତ ରାତିଠାରୁ ଭୋର୍‌ ପର୍ଯ୍ୟନ୍ତ ଫୁଲବାଣୀରେ ଘନ କୁହୁଡ଼ି ଯୋଗୁ ୨୦୦ ମିଟର ସର୍ବନିମ୍ନ ଦୃଶ୍ୟତା ଥିବା ବେଳେ ଭବାନୀପାଟଣାରେ ୫୦୦ ମିଟର ଓ ସୁନ୍ଦରଗଡ଼ରେ ୧କିମି ଦୃଶ୍ୟତା ଥିବା ରେକର୍ଡ କରାଯାଇଛି।

Advertisment

ଏହା ଛଡ଼ା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର, ଝାରସୁଗୁଡ଼ାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖା ଦେଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ୮ଡିଗ୍ରି ରେକର୍ଡ କରାଯାଇଥିବା ବେଳେ  ଝାରସୁଗୁଡ଼ାରେ ୯.୭ ଡିଗ୍ରି ରହିଥିଲା। ସର୍ବାଚ୍ଚ ତାପମାତ୍ରା ନୂଆପଡ଼ାରେ ୩୨ଡିଗ୍ରି ରହିଥିବା ବେଳେ ମାଲକାନଗିରିରେ ୩୦.୨, ପାରଳାଖେମୁଣ୍ଡିରେ ୩୦.୫ ଓ ସୁନ୍ଦରଗଡ଼ରେ ୩୦.୮ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରରେ ସର୍ବନିମ୍ନ ୧୨.୩ ଓ ସର୍ବାଧିକ ୨୭.୮ ଡିଗ୍ରି ତାପମାତ୍ରା ‌ରେକର୍ଡ କରାଯାଇଛି।