ବ୍ରହ୍ମଗିରି: ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ବିଭିନ୍ନ ଦେବଦେବୀ ପୀଠରେ ଆଜି ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ବଢ଼ିଥିଲା। ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଈଙ୍କ ପୀଠକୁ ଆଜି ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା। ଏଥିପାଇଁ ସାତପଡ଼ା, ବାଲୁଗାଁ, ରମ୍ଭା, ବରକୂଳ ଆଦି ସ୍ଥାନରୁ ବହୁ ସଂଖ୍ୟାରେ ସରକାରୀ ଓ ବେସରକାରୀ ଡଙ୍ଗାରେ ପର୍ଯ୍ୟଟକ ଓ ଭକ୍ତମାନେ ପୀଠକୁ ଯାଇଥିଲେ। ଏହା ସହିତ ଚିଲିକା ମଧ୍ୟରେ ଥିବା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ଯଥା ରାଜହଂସ, ନଳବଣ ଇତ୍ୟାଦିର ଶୋଭା ଦେଖିବା ପାଇଁ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଯାଇଥିଲେ।

Advertisment

ସକାଳୁ ସକାଳୁ ଡଙ୍ଗାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଚିଲିକାର କାଳିଜାଈ ପୀଠ ସମେତ ବିଭିନ୍ନ ସ୍ଥାନକୁ ବାହାରି ଥିଲେ। କିନ୍ତୁ ସକାଳୁ ଘନକୁହୁଡ଼ି ଏଥିରେ ବାଧା ସୃଷ୍ଟି କରିଥିଲା। ଫଳରେ ଅନେକ ଡଙ୍ଗା ସହ ଯାତ୍ରୀମାନେ କିଛି ସମୟ ଧରି ବାଟବଣା ହୋଇ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ। ବାଟ ଜାଣି ନ ପାରି କିଛି ଡଙ୍ଗା ଚିଲିକା ଭିତରେ ଘଣ୍ଟା ଘଣ୍ଟା ଧରି ବୁଲୁଥିଲେ। ପାଖାପାଖି ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ଡଙ୍ଗାଗୁଡ଼ିକ ମଝି ଚିଲିକାରେ ଫସି ରହିଥିଲା। ଗୋଟିଏ ଗୋଟିଏ ଡଙ୍ଗାରେ ୨୫ରୁ ଅଧିକ ଶ୍ରଦ୍ଧାଳୁ ବସି ଯାଉଥିବା ବେଳେ ମଝି ଚିଲିକାରେ ଫସି ରହିଥିଲେ। କୁହୁଡ଼ି କମିବା ପରେ ଡଙ୍ଗାଗୁଡ଼ିକ ପୁଣି ଥରେ ପୀଠକୁ ଯାଇଥିଲା।