ଉପକୂଳ ଓ ଉତ୍ତର ଓଡ଼ିଶାରେ କୁହୁଡ଼ି ଆଶଙ୍କା

ଭୁବନେଶ୍ବର : ପୁଣି ବଢ଼ିବ ଥଣ୍ଡା। ୧୭ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇବ। ଅଧିକାଂଶ ସ୍ଥାନରେ ରାତିର ପାରଦ ପୁଣିଥରେ ୧୦ ଡିଗ୍ରି ତ‌ଳକୁ ଖସି ଆସିବ। ଏଥିସହ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ କୁହୁଡ଼ି ହେବ। ଭୋର ସମୟରେ ବେଶି ଦୂର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ। ପାହାଡ଼ିଆ ଅଞ୍ଚଳରେ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଏଥିପ୍ରତି ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେପଟେ ଗତ ସପ୍ତାହକ ମଧ୍ୟରେ ସମସ୍ତ ସହରର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। କେବଳ ଫୁଲବାଣୀକୁ ଛାଡ଼ି ଦେଲେ ଆଜି ଅନ୍ୟ ସବୁଠି ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରକୁ ଚାଲିଯାଇଛି। ମାଲକାନଗିରି, ଭୁବନେଶ୍ବର ସମେତ ତାଳଚେରରେ ଦିନର ତାପମାତ୍ରା ୩୦ ଡିଗ୍ରି ଟପିଛି। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ରହିଥିଲା। ଏଥିସହ ଭୁବନେଶ୍ବରରେ ୩୦.୭ ଓ ତାଳଚେରରେ ୩୦.୫ ଡିଗ୍ରି ଥିଲା। ସବୁ ସହରରେ ଦିନର ତାପମାତ୍ରା ୨୫ ଡିଗ୍ରି ଉପରକୁ ଟପିଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଓଡ଼ିଶା ଉପରେ ଗୁରୁଚାପ ସୃଷ୍ଟି ହୋଇଥିଲା। ତେଣୁ ଉତ୍ତର ଭାରତ ପଟୁ ଓଡ଼ିଶା ଆଡ଼କୁ ଥଣ୍ଡା ପବନ ଆସି ପାରୁ ନଥିଲା। ତେଣୁ ରାତିର ତାପମାତ୍ରା ବଢ଼ୁଥିଲା। ଶୀତ ପ୍ରକୋପ କମିଥିଲା। ଏବେ ଉତ୍ତର ଭାରତ ପଟୁ ଓଡ଼ିଶାକୁ ପୁଣିଥରେ ପବନ ହେଉଛି। ‌ତେଣୁ ୧୮ ତାରିଖ ଯା‌ଏ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ପାରଦ ହ୍ରାସ ପାଇବ। ୨ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମିବ। ପରେ ସାମାନ୍ୟ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର