ଲୋକକଳା କାର୍ଯ୍ୟକ୍ରମ ଆର୍ଥିକ ଅନିୟମିତତାର ଅଡ଼ୁଆ ତୁଟୁନି

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଲୋକକଳା କାର୍ଯ୍ୟକ୍ରମରେ ହୋଇଥିବା ଆର୍ଥିକ ଅନିୟମିତତାର ଅଡ଼ୁଆ ତୁଟୁନି। ଏବେ ରାଜ୍ୟ କଳାସଂସ୍କୃତି ସଂଘର ସମସ୍ତ ଅର୍ଥ କାରବାର ଉପରେ ଅର୍ଥ ବିଭାଗ ସ୍ବତନ୍ତ୍ର ଅଡିଟ୍‌ ଜାରି ରଖିଛି। କୋଟିଏରୁ ଅଧିକ ଟଙ୍କା ସରକାରୀ ଅର୍ଥର ନଗଦ କାରବାର କିପରି ପୂର୍ବତନ ପ୍ରକଳ୍ପ ସଂଯୋଜକଙ୍କ ମାଧ୍ୟମରେ କରାଗଲା, ତାହାକୁ ନେଇ ଅଡିଟ୍‌ ଟିମ୍‌ ଭୀଷଣ ଆପତ୍ତି ଉଠାଇଛି। ପ୍ରଥମ ପର୍ଯ୍ୟାୟରେ ୬୩ ଲକ୍ଷ ଟଙ୍କା ତାଙ୍କ ଠାରୁ ଅସୁଲ୍‌ କରିବାକୁ ସୁପାରିସ୍ କରାଯାଇଛି। ଅପର ପକ୍ଷରେ ଅଡିଟ୍‌ ଆଳରେ ଲୋକକଳା କାର୍ଯ୍ୟକ୍ରମକୁ ସଂସ୍କୃତି ବିଭାଗ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଏହାକୁ ନେଇ କଳାକାର ମହଲରେ ଅସନ୍ତୋଷ ସୃଷ୍ଟି ହେଲାଣି।

ନିକଟରେ ସଂସ୍କୃତି ନିର୍ଦ୍ଦେଶକଙ୍କ ନିକଟକୁ ଅଡିଟ୍‌ ଟିମ୍‌ ଲେଖିଥିବା ଚିଠିରେ ଦର୍ଶାଯାଇଛି, ବିଭିନ୍ନ ଲୋକକଳା କାର୍ଯ୍ୟକ୍ରମ ଆୟୋଜନ ପାଇଁ ବହୁ ପରିମାଣରେ ଟଙ୍କା ଖର୍ଚ୍ଚ ହୋଇଥିବା‌ ବେଳେ ଏଥିରୁ ବଡ଼ ଅଂଶ ପ୍ରକଳ୍ପ ସଂଯୋଜକଙ୍କ ଜରିଆରେ ଖର୍ଚ୍ଚ ହୋଇଛି। କାର୍ଯ୍ୟକ୍ରମ ଆୟୋଜନ ପୂର୍ବରୁ ପ୍ରକଳ୍ପ ସଂଯୋଜକ ଅଗ୍ରୀମ ଆକାରରେ ଟଙ୍କା ନେଇଛନ୍ତି। ୩୯ଟି କାର୍ଯ୍ୟକ୍ରମ ଆୟୋଜନ ପାଇଁ ୨ କୋଟି ୩୨ କୋଟି ୯୦ ହଜାର ୧୦୯ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କେବଳ ପ୍ରକଳ୍ପ ସଂଯୋଜକଙ୍କ ଜରିଆରେ ୧ କୋଟି ୩୬ ଲକ୍ଷ ୪୪ ହଜାର ୨୧୧ ଟଙ୍କା ଖର୍ଚ୍ଚ ‌ହୋଇଛି। ଏସବୁ ଟଙ୍କା ଆର୍‌ଟିଜିଏସ୍‌ ବା ଚେକ୍‌ରେ ପେମେଣ୍ଟ କରିବାର ନିୟମ ରହିଥିଲେ ମଧ୍ୟ ପ୍ରକଳ୍ପ ସଂଯୋଜକ ଅଧିକାଂଶ ଟଙ୍କା କ୍ୟାସ୍‌ରେ ପେମେଣ୍ଟ୍‌ କରିଛନ୍ତି। ଅର୍ଥ କାରବାରରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ବିଭିନ୍ନ ନିୟମ ରହିଥିବା ବେଳେ ପ୍ରକଳ୍ପ ସଂଯୋଜକଙ୍କ କ୍ୟାସ୍‌ କାରବାର ଆର୍ଥିକ ଅନିୟମିତତା ଆଡ଼କୁ ଇଙ୍ଗିତ କରୁଛି। ଅଡିଟ୍‌ ଟିମ୍‌ ଯେଉଁ ଟଙ୍କା ତାଙ୍କ ମାଧ୍ୟମରେ ଦିଆଯାଇଛି, ତାହାର ବୈଧତା କିପରି ନିଶ୍ଚିତ କରାଯିବ? କେଉଁ ପରିସ୍ଥିତିରେ ପ୍ରକଳ୍ପ ସଂଯୋଜକଙ୍କ ମାଧ୍ୟମରେ ଏତେ ପରିମାଣରେ ନଗଦ କାରବାର କରାଗଲା?

ଅଡିଟ୍‌ ସମୟରେ ବହୁ ଫାଇଲ୍‌ ମିଳୁ ନଥିବା ଜଣାପଡ଼ିଛି। ଏହି ଫାଇଲ୍‌ ସମ୍ପର୍କରେ ଜାଣିବା ପାଇଁ ପୂର୍ବତନ ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖାଯାଇଥିଲେ ବି କୌଣସି ଉତ୍ତର ମିଳି ନଥିଲା। ଏଥି ପାଇଁ ଗତ ସେପ୍ଟେମ୍ବର ମାସରେ ସଂସ୍କୃତି ନିର୍ଦ୍ଦେଶକ ବଡ଼ଗଡ଼ ଥାନାରେ ଫାଇଲ୍‌ ହଜିବା ସମ୍ପର୍କରେ ଏତଲା ଦେଇଥିଲେ, ଯେଉଁଥିରେ ସିଧାସଳଖ ପୂର୍ବତନ ପ୍ରକଳ୍ପ ସଂଯୋଜକଙ୍କ ନାମ ଉଲ୍ଲେଖ ଥିଲା। ଏତଲା ସହ ସିସିଟିଭି ଫୁଟେଜ୍ ମଧ୍ୟ ଥାନାରେ ଦିଆଯାଇଥିଲା। ଏହା ପରେ ପୁଲିସ ଏକ ମାମଲା ରୁଜୁ କରି ସଂସ୍କୃତି ଭବନକୁ ଆସି ତଦନ୍ତ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି।

ଆର୍ଥିକ ଅନିୟମିତତାର ତଦନ୍ତ ଚାଲିଥିଲା ବେଳେ ଲୋକକଳା କାର୍ଯ୍ୟକ୍ରମକୁ ଆଠ ମାସ ହେଲା ସମ୍ପୂର୍ଣ୍ଣ ବନ୍ଦ ରଖାଯିବା କଳାକାରମାନଙ୍କୁ ବ୍ୟଥିତ କରିଛି। ଲୋକକଳା କାର୍ଯ୍ୟକ୍ରମ ଆୟୋଜନ କରାଗଲେ କଳାକାରମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବା ସହ ଜୀବିକା ଅର୍ଜନ କରୁଥିଲେ। କିନ୍ତୁ ଏବେ ତାହା ବନ୍ଦ ହୋଇଯାଇଛି। ପ୍ରଶ୍ନ ଉଠୁଛି, ଯଦି କାର୍ଯ୍ୟକ୍ରମରେ ଆୟୋଜନରେ ଅନିୟମିତତା କରାଯାଇଛି ତେବେ ତୁରନ୍ତ ଅଡିଟ୍‌ ଶେଷ କରି ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି? କଳାକାରଙ୍କ ପେଟରେ ଲାତ ମାରି ବିଭାଗ କି ବାର୍ତ୍ତା ଦେବାକୁ ଚେଷ୍ଟା କରୁଛି?

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ବିଭାଗର ତତ୍‌କାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟ କଳାସଂସ୍କୃତି ସଂଘ(ଆର୍‌କେଏସ୍ଏସ୍) ଓ କଳାକାର ମହାସଂଘ ପ୍ରକୋଷ୍ଠ(ଏଏଫ୍‌ସି)ର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରୁ ଜଣାପଡ଼ିଥିଲା ଯେ ଲୋକକଳା କାର୍ଯ୍ୟକ୍ରମର କୌଣସି କ୍ୟାସ୍‌ବୁକ୍ ଲିଖିତ ଆକାରରେ ରଖାଯାଉନାହିଁ। ପ୍ରକଳ୍ପ ସଂଯୋଜକ ୧ କୋଟିରୁ ଅଧିକ ଟଙ୍କା ଅଗ୍ରୀମ ଆକାରରେ ନେଇଛନ୍ତି। ଏହା କେବଳ ନିର୍ଦ୍ଦେଶକଙ୍କ ନୋଟ୍‌ସିଟ୍ ଭିତ୍ତିରେ ନିଆଯାଇଛି। ଏହାର କୌଣସି ହିସାବ ଓ କାଗଜପତ୍ର ପ୍ରକଳ୍ପ ସଂଯୋଜକ ରଖିନାହାନ୍ତି। ଏଭଳି ଏକ ଗୁରୁତର ଆର୍ଥିକ ଅନିୟମିତତା ସାମ୍‌ନାକୁ ଆସିବା ଫଳରେ ପ୍ରକଳ୍ପ ସଂଯୋଜକଙ୍କୁ ପ୍ରତ୍ୟାହାର କରି ନେବା ପାଇଁ ୟୁନିସେଫ୍‌କୁ ସଂସ୍କୃତି ବିଭାଗ ଚିଠି ଲେଖିଲା। ଏହାପରେ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକଳ୍ପ ସଂଯୋଜକଙ୍କୁ ଦିଆଯାଇଥିବା ସରକାରୀ ପ୍ରକୋଷ୍ଠକୁ ଖାଲି କରି ସମସ୍ତ ଆବଶ୍ୟକ ସରକାରୀ ଦସ୍ତାବିଜ ବିଭାଗକୁ ହସ୍ତାନ୍ତର କରିବାକୁ ତାଙ୍କୁ ନୋଟିସ୍ ଦିଆଯାଇଥିଲା। କିନ୍ତୁ ପ୍ରକଳ୍ପ ସଂଯୋଜକ ପ୍ରକୋଷ୍ଠରେ ତାଲା ପକାଇ ପଳାଇଥିଲେ। ପରେ ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଧା ଉପ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖାଯାଇ ପ୍ରକଳ୍ପ ସଂଯୋଜକଙ୍କ ପ୍ର‌କୋଷ୍ଠର ତାଲା ଖୋଲିବାକୁ ଅନୁମତି ମାଗାଯାଇଥିଲା। ଅଗଷ୍ଟ ୧୭ ତାରିଖ ଦିନ ଖୋର୍ଧା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବଡ଼ଗଡ଼ ଥାନା ଅଧିକାରୀଙ୍କ ଉପସ୍ଥିତିରେ ପ୍ରକଳ୍ପ ସଂଯୋଜକଙ୍କ ପ୍ରକୋଷ୍ଠ ଖୋଲାଯାଇଥିଲା।

ସମ୍ବନ୍ଧିତ ଖବର