ପୁନରୁତ୍ଥାନ ପାଇଁ ଜିଲ୍ଲାପାଳ ଲେଖିଲେ ଚିଠି
ତା’ର ପୁନରୁତ୍ଥାନ ଏବଂ ପ୍ରଚାର ପାଇଁ ଦେଲେ ପ୍ରସ୍ତାବ
ଅନୁଗୁଳ : ରାବଣ ଛାୟା। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଳକ୍ ଓଡ଼ଶ, ଖମାର ଇଲାକାର ନିଜସ୍ବ ପରମ୍ପରିକ କଳା କୁହାଯାଉଥିବା ଏହି ନୃତ୍ୟ କେବଳ ଜିଲ୍ଲା ପାଇଁ ନୁହେଁ, ସାରା ଦେଶରେ ଗୌରବ ଅର୍ଜିଛି। ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାର ଯେଉଁ ତିନୋଟି ପରମ୍ପରିକ ଲୋକକଳାକୁ ସ୍ବୀକୃତି ଦେଇଛନ୍ତି, ସେହି ତାଲିକାରେ ରାବଣ ଛାୟା ନାଁ ଥିବା ବେଳେ ଲୁଚି ଯାଉଥିବା ଏହି ଲୋକକଳାର ବିକାଶ ଏବଂ ପ୍ରଚାର ପ୍ରସାର ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶା ସହିତ ଦେଶ ଏବଂ ବିଦେଶରେ ଲୋକଙ୍କର ମନ ଜିଣିଥିବା ଏହି ପାରମ୍ପରିକ ନୃତ୍ୟକଳାକୁ ବଞ୍ଚାଇ ରଖିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।
/sambad/media/post_attachments/wp-content/uploads/2021/04/ravan-chhaya-shadow-puppetry-of-orissa-02.jpg)
ଏ ଲୋକକଳା ହେଉଛି ଏକ ପ୍ରକାର ଛାୟା ନାଟକ। ଯେଉଁଥିରେ ରାମାୟଣର କଥାବସ୍ତୁ ପ୍ରଦର୍ଶିତ ହୁଏ। ରାମାୟଣର କଥାବସ୍ତୁ ଓ ନାଟକରେ ରାବଣର ଭୂମିକା ରହିଛି। ପରଦାରେ ନାଟକର ନାୟକମାନେ ଛାଇ ଭାବେ ଉଭା ହୁଅନ୍ତୁ। ସମ୍ଭବତଃ ସେଥିପାଇଁ ଏ ଲୋକକଳାର ନାମ ‘ରାବଣ ଛାୟା’ ବୋଲି କୁହାଯାଏ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଖମାର ଓ ଓଡ଼ଶ ଅଞ୍ଚଳରୁ ପ୍ରସ୍ତୁତ ଏ ନାଟକ ଓଡ଼ିଶାର ବିରଳ ଲୋକକଳା ପରମ୍ପରାର ସ୍ୱତନ୍ତ୍ର ସ୍ଥାନ ନେଇଛି। ରାବଣ ଦେବୀ ସୀତାଙ୍କୁ ପୁଷ୍ପକ ବିମାନରେ ସମୁଦ୍ର ଉପର ଦେଇ ହରଣ କରି ନେଉଥିବା ବେଳର ଦୃଶ୍ୟ ଏହି ଲୋକକଳା ମାଧ୍ୟମରେ ଦେଖିବା ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ମନୋରମ।
ଏ ଲୋକକଳାର ଚରିତ୍ରଗୁଡ଼ିକ ନିର୍ଜୀବ ହେଲେ ହେଁ ସେମାନଙ୍କ ମାଧ୍ୟମରେ ନାଟକକୁ ଯେମିତି ପରିବେଷଣ କରାଯାଏ ତାହା ଅତି ନିଖୁଣ। ଏ ଲୋକକଳାର ସ୍ରଷ୍ଟା ଓଡ଼ଶର ସ୍ବର୍ଗତ କାଠିନନ୍ଦ ଦାସ। ସେତେବେଳେ ଏତେ ଉନ୍ନତମାନର ବ୍ୟବସ୍ଥା ନ ଥିଲେ ବି ଡିବିରି ଜାଳି ଏବଂ ଧୋତିରେ ପରଦା ତିଆରି କରି ସେ ରାମାୟଣ କଥାବସ୍ତୁକୁ ପ୍ରଦର୍ଶିତ କରୁଥିଲେ। ତାଙ୍କ ଅନ୍ତେ ଗୁରୁ କୋହ୍ଲ ଚରଣ ସାହୁ ଏ କଳାକୁ ବଞ୍ଚାଇ ରଖିବାକୁ ବେଶ୍ ଉଦ୍ୟମ କରିଥିଲେ। ଏବେ ଗୁରୁ ଖଗେଶ୍ବର ପ୍ରଧାନ ଏବଂ ଗୁରୁ ଖଗେଶ୍ବର ସାହୁ କଳାର ନେତୃତ୍ବ ନେଉଛନ୍ତି।
/sambad/media/post_attachments/wp-content/uploads/2021/04/im21.jpg)
ଇତିମଧ୍ୟରେ ଏ ଲୋକକଳା ନୂଆଦିଲ୍ଲୀ, କଲିକତା, ହାଇଦ୍ରାବାଦ, ଜାମସେଦପୁର, ପଣ୍ଡିଚେରୀ, ବମ୍ବେ, ଗୁଜୁରାଟ ପ୍ରମୁଖ ଅଞ୍ଚଳରେ ରାବଣ ଛାୟା ପ୍ରଦର୍ଶିତ ହୋଇ ବେଶ୍ ସମ୍ମାନ ସାଉଁଟିଛି। କେବଳ ଭାରତବର୍ଷ ନୁହେଁ, ମାଲେସିୟା, ସିଙ୍ଗାପୁର, ଫ୍ରାନ୍ସ, ସାଉଥ୍ କୋରିଆ, ଇଣ୍ଡୋନେସିଆ ପ୍ରମୁଖ ଦେଶରେ ବି ରାବଣ ଛାୟା ପ୍ରଦର୍ଶିତ ହୋଇଛି ବୋଲି ଜିଲ୍ଲା ପ୍ରଶାସନ ନିଜ ଚିଠିରେ ସରକାରଙ୍କୁ ଜଣାଇଛି। ଏ ଲୋକକଳାକୁ ବଞ୍ଚାଇ ରଖିବା ଜରୁରି ହୋଇପଡ଼ିଛି। ଏହାର ପୁନରୁତ୍ଥାନ ଏବଂ ପ୍ରସାର ଜରୁରି ବୋଲି ଜିଲ୍ଲା ପ୍ରଶାସନ ଚିଠିରେ ଜଣାଇଛି।