୩୦ ଜିଲ୍ଲାରେ ଗଠନ ହେବ ୩୦ ଲୋକକଳା ଗ୍ରାମ

୨ରୁ ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ
ଯୋଗଦେବେ ୨ହଜାର କଳାକାର

ଭୁବନେଶ୍ୱର : ଲୋକକଳାକୁ ତୃଣମୂଳସ୍ତରରୁ ଗୁରୁତ୍ୱ ଦିଆଯିବ। ଗ୍ରାମୀଣସ୍ତରରେ କଳାକାରଙ୍କୁ ଉତ୍ସାହିତ କରିବା ସହ ଗଠନ ହେବ ‘ଲୋକକଳା ଗ୍ରାମ’। ତେବେ ଏଥିପାଇଁ ଜିଲ୍ଲାର ଗୋଟେ ମାତ୍ର ଯୋଗ୍ୟ ଗ୍ରାମକୁ ଚୟନ କରାଯିବ। ଅର୍ଥାତ ୩୦ଟି ଜିଲ୍ଲାରେ ୩୦ଟି ଲୋକକଳା ଗ୍ରାମ ଗଠିତ ହେବ।

ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ଏହି ଗ୍ରାମକୁ ଚୟନ କରାଯିବ। ସଂପୃକ୍ତ ଗ୍ରାମଟି ଉନ୍ନତ ହୋଇଥିବ ଏବଂ ସେଠାରେ ଅନ୍ତତଃ ୨ଟି କଳାର ପ୍ରଚଳନ ଥିବ। ଏଇ ଭିତ୍ତିରେ ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଲେଖାଏଁ ‘ଲୋକକଳା ଗ୍ରାମ’ ଚୟନ କରାଯିବ। ବର୍ତମାନ ସୁଦ୍ଧା ୧୦ଟି ଜିଲ୍ଲାର ଜିଲ୍ଲାପାଳ ୧୦ଟି ଗ୍ରାମର ନାମ ପଠାଇ ସାରିଥିବା ବେଳେ ଅନ୍ୟ ୨୦ଟି ଜିଲ୍ଲାରେ ଚଳିତ ବର୍ଷ ଶେଷ ସୁଦ୍ଧା ‘ଲୋକକଳା ଗ୍ରାମ’ ଚୟନ କରାଯିବ ବୋଲି ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦେଶିକା ସଂଘମିତ୍ରା ଶତପଥୀ କହିଛନ୍ତି। ଉତ୍କଳ ମଣ୍ଡପରେ ଆସନ୍ତା ଏପ୍ରିଲ୍‌ ୨ରୁ ହେବାକୁ ଯାଉଥିବା ଅଷ୍ଟମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବ ଅବସରରେ ଏହି ଲୋକକଳା ଗ୍ରାମ ଲୋକାର୍ପିତ ହେବ ବୋଲି ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ ଆଜି ପାନ୍ଥ ନିବାସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାରୁ ୩୦ଟି ଲୋକକଳା ଦଳରେ ୨ହଜାର କଳାକାର ଅଂଶଗ୍ରହଣ କରିବେ। ପ୍ରତ୍ୟେକ ସନ୍ଧ୍ୟାରେ ୧୦ଟି ଲୋକକଳା ଦଳ ନୃତ୍ୟ ଓ ସଂଗୀତ ପରିବେଷଣ କରିବେ। ଏହି ଅବସରରେ ଯୋଡ଼ିଶଙ୍ଖ, ସମ୍ବଲପୁରୀ, ଗଣବାଜା, ଛଉ, ବଜାସାଲ, କରମା, ଗୋପାଳ ଉଉଡ଼ି, ସଉରା, ପାଇକ ଆଖଣା, ଢଣ କୋଇଲା, ଗୋଟିପୁଅ, ଝୁମର, ଶିଙ୍ଘ ବାଦ୍ୟ ଭଳି ନୃତ୍ୟ ଦେଖିବାକୁ ମିଳିବ ବୋଲି ବିଭାଗୀୟ ନିର୍ଦେଶକ ବିଜୟ ନାୟକ ସୂଚନା ଦେଇଛନ୍ତି।

ଏହି ଅବସରରେ ଲୋକକଳାକୁ ପ୍ରୋତ୍ସାହନ ଦେଇଥିବା ୩ ଜିଲ୍ଲା, ୧୦ ବ୍ଲକ୍‌, ୧୦ କଳାକାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବଙ୍କୁ ସମ୍ମାନିତ କରାଯିବ ବୋଲି ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର