ପାଟଣାଗଡ଼ : ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ବର୍ଷାରାଣୀ ତ୍ରିପାଠୀଙ୍କ କଣ୍ଠରୁ ଝରୁଛି ଲୋକସଂଗୀତ

ସୋସିଆଲ ମିଡିଆରେ ପ୍ରଶଂସାର ସୁଅ, କୃଷ୍ଣଗୀତ ଯିଏ ଶୁଣୁଛି, ମନ୍ତ୍ରମୁଗ୍ଧ ହେଉଛି

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ବର୍ଷାରାଣୀ ତ୍ରିପାଠୀ ଏବେ ସୋସିଆଲ ମିଡିଆରେ ବେଶ୍‌ ସୁପରିଚିତ ହେବାରେ ଲାଗିଛନ୍ତି। ଫେସ୍‌ବୁକ୍‌ ଓ ବିଭିନ୍ନ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଭାଇରାଲ ହେବାରେ ଲାଗିଛି ତାଙ୍କ କଣ୍ଠର ଦଣ୍ଡନାଚ ଗୀତ, କୃଷ୍ଣଗୀତ ଓ ପାରାୟଣ ଗୀତ। ‘ଦୂତୀ ମୁଖୁ ଶୁଣି ପୀତବାସ.., ‘ଧନକେ ମୋ ମନର୍‌ କଥା ଗୋ ଆରୁ କିଏ କହେବା ଯେ.., ଅକ୍ରୂରରେ, ନ ଯା ରାମକୃଷ୍ଣ ନେଇ.., ‘କଳାହାହ୍ନୁ ବଇଁଶିଧାରୀ ମୋ ନୀଲ ରତନ.. ଆଦି ଗୀତକୁ ଅତ୍ୟନ୍ତ ସୁଲଳିତ ଓ ନିଆରା ଅନ୍ଦାଜରେ ଗାଉଛନ୍ତି ସେ। ତାଙ୍କ ଗୀତ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସଂଗୀତପ୍ରେମୀ ଓ ସଂଗୀତଙ୍କମାନଙ୍କୁ ମଧ୍ୟ ମୁଗ୍ଧ କରିଛି।
ବର୍ଷାଙ୍କ ପ୍ରତିଭାକୁ ଦେଖି ତାଙ୍କ ସ୍କୁଲର ଜଣେ ଶିକ୍ଷୟିତ୍ରୀ ତଥା ଚିତ୍ରଶିଳ୍ପୀ ଲୀନା ମେହେର କିଛି ଦିନ ତଳେ ତାଙ୍କ ଗୀତର ଏକ ଭିଡିଓ ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରିଥିଲେ। ଏହାପରେ ଜିଲ୍ଲାର ଅନ୍ୟ ଜଣେ ଶିକ୍ଷକ ତଥା ସଂସ୍କୃତିପ୍ରେମୀ ସଚ୍ଚିଦାନନ୍ଦ ପ୍ରଧାନ ମଧ୍ୟ ଆଉ କେତୋଟି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଇତିମଧ୍ୟରେ ହଜାର ହଜାର ସଂଖ୍ୟାରେ ଲୋକ ଏହି ପୋଷ୍ଟ ଦେଖିବା ସହ ପସନ୍ଦ ମଧ୍ୟ କରିଛନ୍ତି।

ଏବେ ପାଟଣାଗଡ଼ ଲାଇନପଡା ନିକଟ ମେହେର କଲୋନିରେ ଭଡ଼ା ଘରେ ରହୁଛନ୍ତି ବର୍ଷାଙ୍କ ପରିବାର। ମୂଳ ଗ୍ରାମ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ। ବାପା ସୁରେଶ ତ୍ରିପାଠୀ ଓ ମା ଡୋଲେଶ୍ବରୀ ତ୍ରିପାଠୀଙ୍କ ଝିଅ ବର୍ଷା। ଡୋଲେଶ୍ବରୀ ପାଟଣାଗଡ଼ ନିକଟ ଭାଲୁଦର୍ହ ଗ୍ରାମର ଝିଅ। ପାରିବାରିକ କାରଣ ପାଇଁ ଗତ ୩ ବର୍ଷ ହେଲାଣି ସେମାନେ ପାଟଣାଗଡ଼ରେ ଭଡ଼ାରେ ରହୁଛନ୍ତି। ମା’ ଡୋଲେଶ୍ବରୀଙ୍କ କହିବା ଅନୁଯାୟୀ, ବର୍ଷା ଦଣ୍ଡ ଗୀତ ଓ ପାରାୟଣ ଆଦି ପ୍ରତି ରୁଚି ରଖୁଥିବାରୁ ତାକୁ ଜଣେ ପାରାୟଣ କିମ୍ବା ଭଜନ ଗାୟିକା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଅର୍ଥାଭାବ ଯୋଗୁଁ କେଉଁ ସଙ୍ଗୀତ ବିଦ୍ୟାଳୟକୁ ପଠାଇ ପାରୁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର