ଭୁବନେଶ୍ବର: ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା କୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରିକ କ୍ଷତି। ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ଘରୁ ବାହରିବାଠୁ ନେଇ ଫେରିବା ପର୍ଯ୍ୟନ୍ତ ସଡ଼କର ସମସ୍ତ ନିୟମ ଠିକ୍ ଭାବେ ପାଳନ କରନ୍ତୁ ଓ ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନିଶ୍ଚିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ରାଜ୍ୟରେ ଯେପରି ସଡ଼କ ଦୁର୍ଘଟଣାରେ କେହି ମୃତାହତ ହେବେନି ସେହି ଲକ୍ଷ୍ୟରେ ଆଇଅାଇଟି ମାଡ୍ରାସ ସହଯୋଗରେ ଆରମ୍ଭ ହୋଇଛି ଶୂନ ଦୁର୍ଘଟଣା ଦିବସ। ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ରାସ୍ତାରେ ଯାତାୟତ କରିବାବେଳେ ସମସ୍ତେ ସତର୍କ ହେବା ସହ ସଡ଼କର ସବୁ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏହିପରି ଆହ୍ବାନ ଦେଇଛନ୍ତି। ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଆମ ଦେଶରେ ଦୁର୍ଘଟଣା ଯୋଗୁ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭୫.୨%କାରଣ ହେଉଛି ଦ୍ରୁତ ଗତିରେ ଗାଡ଼ି ଚାଳନା। ଗାଡ଼ି ଚାଳନାର ଗୋଲଡେନ୍ ରୁଲ୍ ‘ଗତି ରୋମାଞ୍ଚକର, କିନ୍ତୁ ଏହା ମୃତ୍ୟୁ ମଧ୍ୟ ଆଣିଥାଏ’କୁ ଚାଳକମାନେ ଭୁଲି ଯାଉଛନ୍ତି। ଏହାସହ ଭୁଲ୍ ପାର୍ଶ୍ୱରେ, ମଦ୍ୟପାନ କରି ଗାଡ଼ି ଚାଳନା ଓ ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର ଯୋଗୁ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ଘଟୁଛି। ଏନେଇ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’
ଗଡ଼ିଲା ‘ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍’
୫୭୫.୭୭କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫୭୫.୭୭ କୋଟି ଟଙ୍କାର ସଡ଼କ ସୁରକ୍ଷା ସମ୍ପର୍କିତ ୫୫ଟି କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥିରେ ୨୪କୋଟି ଟଙ୍କା ବିନିଯୋଗରେ ସୋନପୁର, ଚଣ୍ଡୀଖୋଲ, ଭଞ୍ଜନଗର, ମୟୂରଭଞ୍ଜ, ରାଇରଙ୍ଗପୁର, ବଲାଙ୍ଗୀର, ତାଳଚେର, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର ଓ ଦେବଗଡ଼ରେ ୧୧ଟି ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏଥିସହ ୨୧୫ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ଡ୍ରାଇଭିଂ ଇଲେକ୍ଟ୍ରୋନିକ୍ ଏନଫୋର୍ସମେଣ୍ଟ ଟୁ ସେଭ୍ ହ୍ୟୁମାନ୍ ଲାଇଭ୍ସ ବା ଦିଶା ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଥିଲେ। ଏହା ରାଜ୍ୟର ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥର ୪୮୫ କିଲୋମିଟର ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ। ଏହାସହ ୧୦୦୭ କିମି ଅଞ୍ଚଳରେ ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ପାଇଁ ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହି ବ୍ୟବସ୍ଥା ଫଳରେ ସଡ଼କ ସୁରକ୍ଷା ନିୟମ ପାଳନ କରୁନଥିବା ଚାଳକଙ୍କ ବିରୋଧରେ ସ୍ୱୟଂକ୍ରିୟ ପ୍ରଣାଳୀରେ ଇ-ଚାଲାଣ କଟିବ। ଯାଜପୁର ଜିଲ୍ଲାରେ ଦ୍ୱିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ କେନ୍ଦ୍ର ମଧ୍ୟ ଉଦ୍ଘାଟିତ ହୋଇଛି। କଟକଠାରେ ରାଜ୍ୟର ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ ସହିତ ଆହୁରି ୨୦ଟି ସ୍ଥାନରେ ଏହି କେନ୍ଦ୍ର ସ୍ଥାପନ ପାଇଁ ଶିଳାନ୍ୟାସ କରାଯାଇଛି।
ସେହିପରି ମୁଖ୍ୟମନ୍ତ୍ରୀ ୨୭.୩ କୋଟି ଟଙ୍କା ବ୍ୟୟରେ ପୁରୀରୁ ଅଯୋଧ୍ୟା, ତିରୁପତୀ, ଉଜ୍ଜୟିନୀ, ହାଇଦ୍ରାବାଦ, ଭିଲାଇ, ଭୁବନେଶ୍ୱରରୁ ବିଶାଖାପାଟଣା, ଭବାନୀପାଟଣାରୁ ହାଇଦ୍ରାବାଦ ଏବଂ ରାଇଘରରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ୧୫ଟି ସୁପର ପ୍ରିମିୟମ୍ ଭୋଲଭୋ ବସ୍ ‘ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍’ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ସମ୍ପର୍କରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।
କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ, ଆମେ ଯେତେବେଳେ ବିକଶିତ ଓଡ଼ିଶା କଥା କହୁଛୁ ସେତେବେଳେ କେବଳ ସୁଦୃଢ଼ ପରିବହନ ନୁହେଁ, ସୁରକ୍ଷିତ ପରିବହନକୁ ମଧ୍ୟ ଗୁରୁତ୍ବ ଦେଉଛୁ। ଶୂନ ଦୁର୍ଘଟଣା ଦିବସ ପାଳନର ବ୍ରାଣ୍ଡ ଆମ୍ୱାସଡର ଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସଡ଼କ ସୁରକ୍ଷା ସମ୍ୱନ୍ଧିତ ସଚେତନତା ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ। ପରିବହନ କମିସନର ଅମିତାଭ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିଥିବାରୁ ଅବିନାଶ ପାଣିଗ୍ରାହୀ, ବିଶ୍ୱରଞ୍ଜନ ପାଢ଼ୀ, ପଞ୍ଚାନନ ଦାସ, ଶ୍ରୀନିବାସ ବେହେରା ଓ ସବିତା ରାଣୀ ପରିଡ଼ାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ।